ବିଜୁ ବାବୁଙ୍କ ଅନୁଗତ ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ପରଲୋକ : ରାଜ୍ୟସାରା ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଖୁବ ଜଣାଶୁଣା ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନୁଗତ ତତ୍କାଳୀନ ପ୍ରଭାବଶାଳୀ ଆଦିବାସୀ ନେତା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ତାଙ୍କ ଗାଁ ବୌଦରେ ରହୁଥିଲେ । ଗତ ୨୦ ଦିନ ହେଲା ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ ପ୍ରହ୍ଲାଦ ବେହେରା ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ ଉତ୍ତମ ଗାଡି ଚାଳକ ରୂପେ ମଧ୍ୟ ପରିଚିତ ଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଆସିଥିଲେ । ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ନଜର ପଡିଥିଲା । ତା’ପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ । ତାହାରି ଭିତରେ ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ । ରାଜନୀତି ପ୍ରତି ପ୍ରହ୍ଲାଦଙ୍କ ଆଗ୍ରହକୁ ଦେଖି ଥରେ ବିଜୁ ବାବୁ ନିଜର ଏକ ସଭାରେ ତାଙ୍କୁ ଭାଷଣ ଦେବାର ସୁଯୋଗ ଦେଇଥିଲେ । ଆଉ ସେଦିନ ତାଙ୍କର ସେହି ଚମତ୍କାରୀ ଭାଷଣରେ ପ୍ରଭାବିତ ହୋଇ ବିଜୁ ବାବୁ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଅବିଭକ୍ତ ଫୁଲବାଣୀ ବିଧାନସଭା ଆସନରେ ବିଜୟ ଲାଭ କରିଥିଲେ । ସେତେବେଳେ ସେ ବିଜୁବାବୁ ଆଶୀର୍ବାଦରୁ ଖୁବ ଲୋକପ୍ରିୟତା ହାସଲ କରି ପ୍ରଭାବ ଶାଳୀ ହୋଇଥିଲେ । ସେ ପଇସା ପଛରେ କେବେ ଗୋଡ଼ାଇ ନ ଥିଲେ । ସେଭଳି ଏକ ମହାନ ଆତ୍ମାର ଆଜି ପରଲୋକ ଘଟିଛି । ରାଜ୍ୟସାରା ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା