ବିକ୍ରମ,ସୁଦାମ ଓ ସାରଦା ଆଜି ହେଲେ ମନ୍ତ୍ରୀ : ରାଜ୍ୟପାଳ କରାଇଲେ ଶପଥ ଗ୍ରହଣ

ଭୁବନେଶ୍ବର(ସମୃଦ୍ଧ ଓଡିଶା )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଭଞ୍ଜନଗରର ୬ଥର ବିଧାୟକ ୬୧ବର୍ଷୀୟ ବିକ୍ରମ କେଶରୀ ଆରୁଖ, ରାଉରକେଲାର ୩ଥର ବିଧାୟକ ୫୫ବର୍ଷୀୟ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରିପୋଷିର ୫ଥର ବିଧାୟକ ୫୭ବର୍ଷୀୟ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ମନ୍ତ୍ରୀମାନଙ୍କୁ ବିଭାଗ ଆବଂଟନ ଆଜି ସନ୍ଧ୍ୟା ସୁଦ୍ଧା ସମାପନ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ଏହି ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା  ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଂଚିଛି । ସ୍ୱଳ୍ପ ଅବଧିର ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ସୁଶାନ୍ତ ସିଂ ଓ ତାଙ୍କ ଖାସ୍ ଅନୁଗତ ବର୍ଷା ସିଂ ବରିହାଙ୍କୁ ଆଜିର ଶପଥ ସମାରୋହରେ ଦେଖିବାକୁ ମିଳିନଥିବାବେଳେ ନବନିର୍ବାଚିତା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଉପସ୍ଥିତ ରହିଥିଲେ । ଶ୍ରୀ ଆରୁଖ ଗତ ୧୨ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ରାଜନୀତିକ ସମୀକରଣ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ଓ ସେଥିପାଇଁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବୋଲି ଆକଳନ କରାଯାଉଥିଲା। ଶ୍ରୀ ଆରୁଖ ପୂର୍ବରୁ ୨୦୦୮-୦୯ ବିଧାନସଭା ମୁଖ୍ୟ ସଚେତକ, ୨୦୦୯-୧୪ ଓ ୨୦୧୪-୧୯ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର , ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ଦାୟିତ୍ୱରେ ରହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା