ବାଲି ସୌରାତ ନିଲାମକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ବାଲି ସୌରାତକୁ ବିରୋଧ କରି ତଟବର୍ତ୍ତୀ ଶିଖରପୁର ଗ୍ରାମବାସୀଙ୍କ ପକ୍ଷରୁ ଆଜି ମଙ୍ଗଳବାର ଜଳେଶ୍ୱର ତହସିଲ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଜିଲାପାଳ ଓ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକ ମଧ୍ୟଦେଇ ସୁବର୍ଣ୍ଣାରେଖା ନଦୀ ପ୍ରବାହିତ । ଗତ ୨୦ତାରିଖରେ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ଚିଠି ନଂ ୩୦୮୮ ମୂଳେ ଶିଖରପୁର ଗ୍ରାମର ଖାତା ନଂ ୪୯୬ ଓ ପ୍ଲଟ ନଂ ୧୯୦୦ ଏବଂ ୧୯୧୦ରେ ଏକ ବାଲି ସୌରାତକୁ ଦୀର୍ଘମିଆଦି ସୂତ୍ରରେ ଲିଜଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା । ଲିଜ ଦିଆଯାଇଥିବା ସ୍ଥାନ ଠାରୁ ୩୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ବିଦ୍ୟାଳୟ, ପଂଚାୟତ ଅଫିସ୍ ଓ ଜନବସତି ରହିଛି । ଏପରିକି ଏହିସ୍ଥାନରେ ମୂର୍ତ୍ତିକା କ୍ଷୟକୁ ରୋକିବା ଲାଗି ଏବଂ ବନ୍ୟା ସମୟରେ ନଦୀକୂଳ ଖାଇବାରୁ ରକ୍ଷା କରିବାଲାଗି ଗ୍ରାମବାସୀଙ୍କ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ଲିଜ ଦିଆଯିବାକୁଥିବା ସ୍ଥାନଟି ନଦୀର ପାଣିସ୍ରୋତ ମଧ୍ୟରେ ଥିବାରୁ ଭାରତ ସରକାରଙ୍କ ‘ସାଷ୍ଟେନେବୁଲ ସେଣ୍ଡେ ମାଇନିଂ ପଲିସ୍‌’କୁ ଖୋଲାଖୋଲି ଉଲଙ୍ଘନ ହେଉଛି । ବାଲି ସୌରାତ ଚିହ୍ନଟ ଓ ଲିଜ ଦିଆଯିବା ପୂର୍ବରୁ ଜନଶୁଣାଣି କରାଯିବା ଯିବାର ନିୟମ ଥିବା ବେଳେ ତାହା କରାନଯାଇ ବିଜ୍ଞାପନ ପ୍ରକାଶ ପାଇଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ସେଠାରେ ହେଉଥିବା ବାଲି ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରି ଆନ୍ଦୋଳନ ଓ ଧାରଣାରେ ବସିଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହିତ ସାମାଜିକ, ଅର୍ଥନୈତିକ ଓ ପରିବେଶଗତ କୁପ୍ରଭାବକୁ ଦୃଷ୍ଟିରେ ରଖି ଉକ୍ତ ବାଲି ସୌରାତ ଲିଜକୁ ବାତିଲ କରାନଗଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମ୍ୟ ମୁଖ୍ୟ ଲକ୍ଷ୍ମୀକାନ୍ତ ଗିରି, ବଳରାମ ଓଝା, ସତ୍ୟେନ୍ଦ୍ର ଗିରି, ସୁଦର୍ଶନ ଜେନା, ହିମାଂଶୁ ଜେନ, ଦେବେନ୍ଦ୍ର ନାଥ ନାୟକ, ଆଦିକନ୍ଦ ବ୍ରାହ୍ମଙ୍କ ସହିତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା