ବାଲିଗୁଡ଼ା ଗାଡ଼ିମାସ୍କା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କଲେ ଏସଓଜି ଓ ଡିଭିଏଫ୍ ଯବାନମାନେ

ଫୁଲବାଣୀ(ପ୍ରଭାତ ବେହେରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଗାଡ଼ିମାସ୍କା, ସିକିଲି ଓ ପୋଡ଼ାପଦର ଗ୍ରାମ ନିକଟସ୍ଥ ବାଗଲମୁଣ୍ଡା ଓ ସିଙ୍ଗାବାଲି ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ କରିଛନ୍ତିି ଏସଓଜି ଓ ଡିଭିଏଫ୍ ଯବାନମାନେ । ଏହି ମାଓ କ୍ୟାମ୍ପରେ ୨୫ରୁ ୩୦ ମାଓବାଦୀ ଥିବା ସୂଚନା ମିଳିବା ପରେ ଗତ ୩୦ ତାରିଖରୁ ସିଆରପିଏଫ,ଏସଓଜି ଓ ଡ଼ିଭିଏଫ ପକ୍ଷରୁ କମ୍ବିଂ ଅପରେସନ ଚାଲୁ କରାଯାଇଥିଲା । ଗତ ଦୁଇ ତାରିଖରେ ଅପରେସନ୍ରେ ସାମିଲ ଥିବା ଗୋଟିଏ ଟିମ୍ ବାଗଲମୁଣ୍ଡା ଓ ସିଙ୍ଗାବାଲି ଜଙ୍ଗଲରେ ଏକ ମାଓ କ୍ୟାମ୍ପର ସନ୍ଧାନ ପାଇଥିଲେ । କମ୍ବିଂ ଅପରେସନ୍ର ଖବର ପାଇ ଘଟଣା ସ୍ଥଳରୁ ମାଓବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ ।
ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଯେଉଁଥିରେ ରହିଛି ମାଓ ପୋଷାକ, ଛତା, ମେଡ଼ିସିନ, ମାଓ ପୁସ୍ତିକା, ମୋବାଇଲ, ୱାକିଟକି, ବିସ୍ଫୋରକ, ରେଡ଼ିଓ, ୨୦ ହଳ ଜୋତା, ଖାଦ୍ୟ ସାମଗ୍ରୀ, ବାସନ, ହ୍ୟାଣ୍ଡ ବ୍ୟାଗ ପ୍ରଭୃତି । ପୁଲିସ ଓ ଯବାନମାନେ ସୂଚନା ଆଧାରରେ ମାଓବାଦୀଙ୍କୁ ଘେରିବାକୁ କମ୍ବିଂ ଜୋରଦାର କରାଯାଉଥିବା ଏକ ପ୍ରେସ ବିବୃତ୍ତିରେ ଜିଲ୍ଲା ଏସପି ପ୍ରତୀକ ସିଂ କହିଛନ୍ତି । ଏସ୍ପିଙ୍କ କହିବାନୁସାରେ କେ. କେ. ବି. ଏନ୍ ମାଓ ଡ଼ିଭିଜନ ସହିତ ଅନ୍ୟ ଗୋଟିଏ ମାଓ ସଂଗଠନ ଏହି କ୍ୟାମ୍ପରେ ଥିଲେ । ଏହା ଛଡ଼ା ସ୍ଥାନୀୟ ମାଓନେତା ଅଜୟ, ହିମାଂଶୁୁ, ପ୍ରମୋଦ, ରାଜେଶ ପ୍ରଭୃତି ଉପସ୍ଥିତ ଥିବା ସନେ୍ଦହ କରାଯାଉଛି । ଏନେଇ କୌଣସି ଗୁଳି ବିନିମୟ କିମ୍ବା କେହି ମୃତାହତ ହୋଇଥିବାର ସୂଚନା ମିଳି ନାହିଁ ।