ବାରକୋଣା ଗାଁ ରାସ୍ତା କାଦୁଅ ପଚପଚ ଯୋଗୁଁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ : କାନ୍ଧରେ ବୁହା ହେଲା ରୋଗୀ, ପ୍ରଶାସନକୁ ଅଟକ ରଖିଲେ ଗାଁ ଲୋକେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ କେତେକ ଗାଁକୁ ଅଦ୍ୟାବଧି ସବୁଦିନିଆ ରାସ୍ତା ନ ଥିବାରୁ ଲୋକେ ବର୍ଷା ଦିନରେ ଯାତାୟାତ କରିବା କଷ୍ଟ ସାଧ୍ୟ ହେଉଛି । ଏପରିକି ରୋଗୀ ବୋହିବା ଲାଗି ଆମ୍ବୁଲାନ୍ସ, ଦୈବିଦୁର୍ବିକା ପରେ ସହାୟତା ପାଇଁ ଦମକଳ ଯାଇ ପାରୁ ନ ଥିବାରୁ ଜନ ଅସନ୍ତୋଷ ବଢି ଚାଲିଛି । ଏପରି ଏକ ଘଟଣା ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ପଂଚାୟତର ବରକୋଣା ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରୁ ଜଳେଶ୍ୱର-ଚୁରମରା ମୁଖ୍ୟ ରାସ୍ତାର ମାଳଗଡିଆ ଠାରୁ ବାରକୋଣା ଯାତାୟାତ ଲାଗି ସବୁ ଦିନିଆ ରାସ୍ତା ନାହିଁ । ଖରା, ଶୀତରେ ଲୋକେ ଯାତାୟାତ କରିପାରୁଥିବା ବେଳେ ବର୍ଷା ଦିନରେ ତାହା ଅଗମ୍ୟ ହୋଇ ପଡେ । ତେଣୁ ସେହି ଗାଁକୁ ଜରୁରୀ ଚିକିତ୍ସା ଲାଗି ଦମକଳ କିମ୍ବା ଆମ୍ବୁଲାନ୍ସ ଯାତାୟାତ କରିପାରୁ ନାହିଁ । ସେହି ଗାଁର କାର୍ତ୍ତିକ ଚନ୍ଦ୍ର ପାତ୍ରଙ୍କ ପତ୍ନୀ (୬୧) ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ବୁଧବାର ଅପରାହ୍ନରେ ଚିକିତ୍ସା ଲାଗି ଆଣିବାକୁ ଜରୁରୀ ହୋଇ ପଡିଥିଲା । କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ପରିବାର ଓ ପଡୋଶୀ ଲୋକେ ଏକ ଦଉଡି ଖଟିଆରେ ମାଳଗଡିଆ ମୁଖ୍ୟ ରାସ୍ତା ନିକଟକୁ ଆଣିଥିଲେ । କିନ୍ତୁ କେବଳ ବାସନ୍ତି ନୁହନ୍ତି, ଗାଁରୁ କେହି ନା କେହି ରୋଗୀ ବାହାରକୁ ଯିବାକୁ ଲାଗି ଏପରି ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏ ସମ୍ପର୍କରେ ଜଳେଶ୍ୱର ଭାରପ୍ରାପ୍ତ ବିଡିଓ ସ୍ମୃତିରଂଜନ ମଲ୍ଲିକ ଜାଣି ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କ ସହିତ ସରପଂଚ ଶୁଭସ୍ମିତା ଦାସ, ସରପଂଚ ପ୍ରତିନିଧି ପ୍ରବୀର ଦାସ, ଜିପିଓ ମାୟାଧର ମଲ୍ଲିକ, ମଂଗଳ ଅଧିକାରୀ ସୁଜୟ ଚାନ୍ଦ ଓ ଜେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଦିର୍ଘ ଦିନର ଅସନ୍ତୋଷ ଗାଁ ଲୋକେ ବ୍ୟକ୍ତ କରିବା ବେଳେ ପରିସ୍ଥିତି ଉତ୍ତେଜନା ମୂଳକ ଥିଲା । ପରେ କାର୍ଯ୍ୟ ନ ହେବା ପର୍ଯ୍ୟନ୍ତ ବିଡିଓଙ୍କୁ ଗାଁ ଲୋକେ ଅଟକ ରଖିଥିବା କୁହାଯାଇଛି । ଜଳେଶ୍ୱର ଏସ୍‌ଡିପିଓ ଅଂକିତା କୁମ୍ଭାର, ଆଇଆଇସି ରୋଜାଲିନ୍ ବେହେରା ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆସନ୍ତା ଦିନରେ ମରାମତି ହେବାର ପ୍ରତିଶୃତି ମିଳିବାପରେ ଗାଁ ଲୋକେ ବିଡିଓଙ୍କୁ ଛାଡିଥିଲେ ।

ରିପୋର୍ଟ : ଭୂପତି ପରିଡା