ବାଜେ କବିତା-ଶ୍ରୀକ୍ଷେତ୍ରେ ଜଳିଲା ନିଆଁ

ବଡଦାଣ୍ଡେ ଯିଏ ବାରିକେଡ଼ ଭାଙ୍ଗି
ଟାୟାର ଜାଳିଲେ ଆଜି।
ତାଙ୍କୁ ଯଦି ଭକ୍ତ ଗଣରେ ଗଣିବା
ହେବା ମହାମୂର୍ଖ ପାଜି।
ମନରେ ପାରୁନି ହେଜି,
ଏଇ କଣ ସେଇ ଶାନ୍ତି ପ୍ରିୟ ସ୍ଥାନ
ମଲା ପରେ ଥାଉ ଖୋଜି ?
ଜୟ ବିଜୟ ଙ୍କ ହାତ ଭାଙ୍ଗିଦେଲ
ଭାଙ୍ଗିଲ ଗରୁଡ଼ ସ୍ତମ୍ଭ।
ସିଂହ ଦୁଆର କୁ ପଥର ମାରିଲ
ପ୍ରଭୁ ଙ୍କୁ ମଣିଲ ଖମ୍ବ !
ଏତେ ଟା ତୁମ୍ଭର ଦମ୍ଭ,
ଆସୁଛି ସମୟ କେହି ବର୍ତ୍ତିବନି
ହୁଗୁଳି ପଡିବ ତୁମ୍ବ।
ବେପାର ବୁଡିବା ଜାଣି କିଛି ଖଳ
ଭିଆଇଲେ ଗଣ୍ଡଗୋଳ।
ଭକତ ଙ୍କ ଦାନ ହରିଲୁଟ ପେଇଁ
ଏଇଟା ଭିତିରି ଖେଳ।
ସଚ୍ଚା ଭକତ ଙ୍କୁ କାଳ,
ସାପ ମlରିଦେଇ ବିଚରା ବେଙ୍ଗ ର
ନାମେ ଅପବାଦ ବୋଳ ?
ଶିରୀ ମନ୍ଦିର ର ଇଜ୍ଜତ ଗାରିମା
ପାଇଁ ତମର ଯା ବଥା।
ଲୋକେ ଜାଣିଛନ୍ତି ବ୍ରହ୍ମ ବଦଳ ଠୁଁ
ଭକତ ଙ୍କୁ ମାଡ଼ ମୁଥା।
ମନରେ ଅଶେଷ ବ୍ୟଥା,
ଦିନ ଦିନ ଧରି ଖାଡା ଉପାସ ରେ
ମହାପ୍ରଭୁ ମହାରଥା।
ଜଗନ୍ନାଥ ଙ୍କ ର ତେମେ ପରା କଣ
ଏକା ମାଆ ପେଟ ଭାଇ।
ମୁଁ କହୁନେଇଁ ତମଠୁଁ ଶୁଣିଲି
ଟିଭି ରେ ଥିଲା ଦେଖେଇ।
ଯା’ର ମୁଖେ ଲଜ୍ଜା ନେଇଁ,
ତlକେ ଆମି ଡରି କହନ୍ତି ବଙ୍ଗାଳୀ
ଅର୍ଥ ଟା ବୁଝ ରେ ଯାଇ।
ବଡ଼ ଦେଉଳ କି ତମର ଜାଗିରି
ଯା ଇଚ୍ଛା ପାରିବ କରି।
ତମ ଆଖିରେ କି ସେଇଟା ଗୋଟାଏ
ସପିଙ୍ଗ ମଅଲ ପରି।
କରିବ ଦୋକାନ ଦାରୀ,
ସୁପ୍ରିମି କୋଅଟ ଅର୍ଡର କୁ ତେମେ
ଉଡ଼ା ବାଏଁ ବାଏଁ କରି ?
ସବୁ ଦେଖୁଛନ୍ତି ସବୁ ଜାଣୁଛନ୍ତି
ହର୍ତ୍ତାକର୍ତ୍ତା ବ୍ରହ୍ମ ଦାରୁ।
ଭାବ ନାହିଁ ତାଙ୍କୁ କାଠ ର କଣ୍ଢେଇ
ବୁଝ ତାଙ୍କ ଚରିତ୍ର ରୁ।
ଯଦୁବଂଶ ଅତ୍ୟାଚାରୁ,
ଜଗତ ଜନ ଙ୍କୁ ରକ୍ଷା କଲେ ଯିଏ
ସ୍ଵବଂଶ ନାଶି ମୂଳରୁ।
(ବ୍ୟଙ୍ଗ ଗୋସେଇଁ )