ବାଇଗଣବାଡ଼ିଆ ପଞ୍ଚାୟତରେ ଆବାସ ଯୋଜନାରେ ଲାଞ୍ଚ କାରବାର ଅଭିଯୋଗ : ତଦନ୍ତ ପାଇଁ ଦାବି…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ କାରବାର, ଗ୍ରାମ ରୋଜଗାର ସେବକ ଏବଂ ସରପଞ୍ଚ ମିଳିତ ହୋଇ ପଞ୍ଚାୟତର ଶତାଧିକ ହିତାଧିକାରୀଙ୍କ ଠାରୁ ଘର ଯୋଗାଇ ଦେଇ, ନେଇଛନ୍ତି ଲକ୍ଷାଧିକ ଟଙ୍କାର ଲାଞ୍ଚ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଖୁଦ ସରପଞ୍ଚ ପ୍ରତିନିଧିଙ୍କ ନାମରେ । ହିତାଧିକାରୀଙ୍କ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଓ୍ଵାର୍କ ଅର୍ଡର ଦେବା ପାଇଁ ନେଇଛନ୍ତି ଘର ପିଛା ଦୁଇ ହଜାରରୁ ୩୬ ହଜାର ଟଙ୍କା ଯାଏ ଲାଞ୍ଚ । ଏହି ସମସ୍ତ ଘଟଣାକୁ ମିଶାଇ ପଞ୍ଚାୟତର ଶତାଧିକ ହିତାଧିକାରୀଙ୍କ ଠାରୁ ସିଧା ସଳଖ ଓ ଦଲାଲ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି, କଣ୍ଟାପାଳ ଗ୍ରାମର ବିମଳ ମାଝୀ, ପ୍ରଶାନ୍ତ ଗିରି, ଗୁରୁବାରୀ ମାଝୀ, ସନ୍ଧ୍ୟାରାଣୀ ଜ୍ୟୋତି ଓ ସୁରେଶ ଜେନାଙ୍କ ସହ ପଞ୍ଚାୟତର ଅନେକ ହିତାଧିକାରୀ । କେବଳ ସରପଞ୍ଚ ନୁହନ୍ତି ପଞ୍ଚାୟତର ଜିଆରଏସ ଓ କେତେ ଜଣ ଦଲାଲଙ୍କର ରହିଛି ଏଥିରେ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ଭୂମିକା । ଏବାବଦରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ତେ ନୀରବ । ଏପରି ଘଟଣା ଘଟିଛି, ଜଳେଶ୍ଵର ବ୍ଲକ ଅନ୍ତର୍ଗତ, ବାଇଗଣବାଡ଼ିଆ ପଞ୍ଚାୟତର କଣ୍ଟାପାଳ ଗ୍ରାମରେ । ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାକାର ଲୋକମାନେ ଦଳିତ, ନିଷ୍ପେସିତ ଅବସ୍ଥାରେ ରହି ଆସୁଛନ୍ତି । ଗରିବ, ଦିନ ମଜୁରିଆ, ଖଟିଖିଆ ହୋଇ ଥିବାରୁ ଏମାନେ କୈାଣସି ଅଧିକାରୀଙ୍କ ନିକଟକୁ ଯିବାକୁ ସାହସ କରି ନ ଥାନ୍ତି । ନିଜର ସୁବିଧା ଅସୁବିଧାକୁ ସ୍ଥାନୀୟ ଦଲାଲ, ଓ୍ବାଡ଼ ମେମ୍ବର, ଜିଆରଏସ ଓ ସରପଞ୍ଚଙ୍କ ନିକଟରେ ଜଣାଇ ଚୁପ୍ ରହନ୍ତି । କାରଣ ସେମାନେ ଯଦି କାହାକୁ କହିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେମାନେ ଭୟ ଭୀତ କରନ୍ତି ଓ ଏମାନଙ୍କର ସରଳତାର ସୁଯୋଗ ନେଇ ଦଲାଲମାନେ ଲୁଟ କରିବାକୁ ପଛାନ୍ତି ନାହିଁ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ଏବଂ ପୂର୍ଣ୍ଣାଙ୍ଗି କରଣ ପର୍ଯ୍ୟନ୍ତ ଦଲାଲ, ସରପଞ୍ଚ ଏବଂ ଜିଆରଏସଙ୍କୁ ଲାଞ୍ଚ ଦେବାକୁ ପଡ଼ିଥାଏ । ଯିଏ ନଦେଇ ପାରେ ତାର ସମ୍ପୂର୍ଣ୍ଣ ବିଲ ମିଳି ପାରେ ନାହିଁ । ପଞ୍ଚାୟତର ସରପଞ୍ଚ ସୁଜାତା ଗିରିଙ୍କ ପ୍ରତିନିଧି, ତାଙ୍କ ଶଶୁର ରବୀନ୍ଦ୍ର ନାଥ ଗିରି ଓ ପଞ୍ଚାୟତରେ ୨୦ ବର୍ଷ ଧରି ରହିଥିବା ଜିଆରଏସ ପ୍ରଦୀପ୍ତକୁମାର ପ୍ରଧାନ ଏ ସମସ୍ତ ଲାଞ୍ଚ ଘଟଣାର ମୁଖ୍ୟ ନାୟକ ବୋଲି ଅଭିଯୋଗ ହୋଇଛି । ତେବେ ସୁଜାତା ଗିରି କେବଳ ନାମକୁ ମାତ୍ର ସରପଞ୍ଚ ସେ ଅଧିକାଂଶ ସମୟ ତାଙ୍କ ସ୍ଵାମୀଙ୍କ ସହିତ ଚାକିରୀ ଜାଗାରେ ରହନ୍ତି । ଏପରିକି ଖାଲି ପ୍ରଧାନମନ୍ତ୍ରୀ ଆବାସ ନୁହେଁ ରେସନ କାର୍ଡ, ହେଣ୍ଡିକେପ୍ଟ ସାର୍ଟିଫିକେଟ, ରେଶନ କାର୍ଡ଼ ପାଇଁ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓ, ଜିଲ୍ଲାପାଳ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଲିଖିତ ଅବଗତ କରାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । କିନ୍ତୁ ଏହି ଘଟଣାକୁ ଅସ୍ବୀକାର କରିଛନ୍ତି ସରପଞ୍ଚଙ୍କ ଶଶୁର ତଥା ପ୍ରତିନିଧି ରବୀନ୍ଦ୍ର ନାଥ ଗିରି । ସେ କୈାଣସି ବ୍ୟକ୍ତି ଠାରୁ ଲାଞ୍ଚ ନେଇ ନ ଥିବା କହିଥିବା ବେଳେ, ସିଧାସଳଖ ଜିଆରଏସଙ୍କୁ ଆଙ୍ଗୁଳି ଦେଖାଇଛନ୍ତି । ଜିଆରଏସ କୈାଣସି ଦିନ ପଞ୍ଚାୟତ ଅଫିସକୁ ନ ଆସି ଲୋକ ମାନଙ୍କଠାରୁ ଲାଞ୍ଚ ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି । ତେବେ ଅଭିଯୁକ୍ତ ଜିଆରଏସ ପ୍ରଦୀପ୍ତ ପ୍ରଧାନଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ଏହି ଘଟଣା ବିଷୟରେ ଆମେ ଜଳେଶ୍ଵର ବିଡ଼ିଓଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲୁ ମାତ୍ର ସେ ଖୁବଶୀଘ୍ର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା