ବରିଷ୍ଠ ବିଜେଡି ନେତ୍ରୀ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଶୋକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟକ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ୧୦ ଥର ବିଧାୟକ ରୂପେ ନିର୍ବାଚିତ ହେବା ସୁଜ୍ଞାନ କୁମାରୀ ଦେଓଙ୍କ ଲୋକପି୍ରୟତାର ପରିଚୟ ଦିଏ । ଖଲ୍ଲିକୋଟ ରାଜପରିବାର ସଦସ୍ୟ ଭାବେ ଜଣାଣୁଣା ସୁଜ୍ଞାନ କୁମାରୀ ଦେଓ ତୃଣମୂଳସ୍ତରର ଲୋକଙ୍କ ସୁଖଦୁଃଖର ସାଥି ଥିଲେ । ନିଜ ନିର୍ବାଚନ ମଣ୍ଡଳୀ ସହ ସମଗ୍ର ରାଜ୍ୟର ଉନ୍ନତି କଳ୍ପେ ସେ ସର୍ବଦା ଚେଷ୍ଟିତ ଥିଲେ । ବିଭିନ୍ନ ସମୟରେ ଓଡ଼ିଶା ବିଧାନସଭା କମିଟିଗୁଡ଼ିକରେ ସଦସ୍ୟ ରହି ସେ ନିଜ ରାଜ୍ୟ ପ୍ରତି ନିଜ ନିଷ୍ଠା ଓ ଦାୟିତ୍ୱବୋଧର ପରିଚୟ ଦେଇଯାଇଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ସୃଷ୍ଟ ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ ସୁଜ୍ଞାନ କୁମାରୀ ଦେଓଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର