ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ ଅନୁଷ୍ଠିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପରି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ଵର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅବେଶନ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୃହରାଜ୍ୟ ମନ୍ତ୍ରୀ ତୁଷାରକାନ୍ତ ବେହେରା କହିଥିଲେ ଯେ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନମାନଙ୍କରେ ପ୍ରତି କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ । ତେଣୁ ଆଗାମୀ ଦିନରେ ରାଜ୍ୟରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ, ସୁବିଧାସମ୍ପନ୍ନ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ବର୍ତ୍ତମାନ ଅତି ଉଚ୍ଚ ଅଟ୍ଟାଳିକା ତଥା ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି । ସମ୍ମାନୀୟ ଅତିଥି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତା’ର ଭୂୟସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ଜିରୋ କାଜୁଆଲିଟିର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରିପାରିଥିବାରୁ ସାଧୁବାଦ ଜଣାଇ ଥିଲେ । ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟୟ ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପରି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୁଦ୍ରିକ ତୈଳ ବିସ୍ମରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ । ଅଧିବେଶନରେ ଅଗ୍ନି, କିପରି ଓ ମଣିଷ ଉପରେ ତା’ର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନସଚେତନତାର ଆବଶ୍ୟକତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଅଗ୍ନିଶମ ଅଧିକାରୀମାନେ ଅଗ୍ନି ନିରୋଧ, ପ୍ରତିରୋଧ ଓ ଶମନଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନିଉଜ ବୁଲିଟିନ୍ ଓ ଟେଲିଫୋନ ଡିରେକ୍ଟୋରୀ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୌମ୍ୟା ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା