ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନୀ ଭର୍ଚୁଆଲ୍‌ ମିଟ୍…

ବ୍ରହ୍ମପୁର : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଆନୁଷ୍ଠାନିକ ଉଦ୍‌ଘାଟନୀ ଓ ବିଭିନ୍ନ ରେଳବାଇ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ ଆନୁଷ୍ଠାନିକ ଭାବେ ସମାହିତ ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହ କଟକ-ପୁରୀ ଷ୍ଟେସନର ନବୀକରଣ, ସମ୍ବଲପୁର-ଟିଟିଲାଗଡ ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନ କାମର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂତନ ରେଳ ଲାଇନ, ରାଉରକେଲା-ଝାରସୁଗୁଡ଼ା-ମନୋହରପୁର ମଧ୍ୟରେ ତୃତୀୟ ଲାଇନ ଏବଂ ଓଡ଼ିଶାରେ ଶତ ପ୍ରତିଶତ ଇଲେକ୍ଟ୍ରିଫିକେସନ ସମ୍ପୂର୍ଣ୍ଣ ପାଇଁ ମଧ୍ୟ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଅବସରରେ ଛତ୍ରପୁର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ରେଳ ବିଭାଗର ଅଧିକାରୀ, କର୍ମଚାରୀ ସମେତ ଛତ୍ରପୁର ସହରର ସଚେତନତା ନାଗରିକମାନେ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ରେଳ ବିଭାଗର ସବୁଠୁ ଦ୍ରୁତଗାମୀ ଟ୍ରେନ୍‌ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର ପୁରୀଠାରୁ ହାୱଡା ଅଭିମୁଖେ ବାହାରି ଥିଲା । ଏହି ଟ୍ରେନ୍‌ ଗଡିବାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ୫୦ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ହେଡ଼୍‌ କ୍ୱାଟର ଛତ୍ରପୁର ଏବଂ ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ରେଳ ବିଭାଗ ପକ୍ଷରୁ ଆନୁଷ୍ଠାନିକ ସଭାର ଅୟୋଜନ କରାଯାଇଥିଲା । ଛତ୍ରପୁର ରେଳ ଷ୍ଟେସନର ସ୍ୱତନ୍ତ୍ର ପ୍ଲାଟଫର୍ମରେ ଏହି ଅବସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ରେଳ ଅଧିକାରୀ ଅତିରିକ୍ତ ଡିଭିଜିନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର ତଥା ଟିଆରଡ଼ି ଇନଚାର୍ଜ ଶୁଭମ ସାଇନି ଏଥିରେ ପୌରାହିତ୍ୟ କରିଥିଲେ । ଚିଫ୍ ବୁକିଙ୍ଗ ସୁପରଭାଇଜର ଏଲ୍.ଏ. ରାବାଣା ଯୋଗଦେଇ ରେଳ ବିଭାଗର ଭବିଷ୍ୟତ ଓ ଉନ୍ନୟନ ଦିଗରେ ଆଲୋକପାତ କରିଥିଲେ । ବିଜେପି ନେତା ବସନ୍ତ କୁମାର ବେହେରା, ରାଜ୍ୟ ହରିଜନ ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବିଜେପି ଘୁମୁସର ଜିଲ୍ଲା ଉପସଭାପତି ଅନୀଲ କୁମାର ପଣ୍ଡା, ଜିଲ୍ଲା ଲିଗାଲସେଲ୍ ଅଧ୍ୟକ୍ଷ ଆଡ୍‌ଭୋକେଟ୍‌ ପ୍ରଦୀପ ପାଢ଼ୀ, କୀର୍ତ୍ତନ ଦାସ, ବିଜେପି କାଉନସିଲର ଗଣ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଟିକଟ ନିରୀକ୍ଷକ ବୃନ୍ଦାବନ ସେଠୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବରିଷ୍ଠ ଟିକଟ ନିରୀକ୍ଷକ ଡି.ଭି.ଏସ.ଏମ୍. ରେଡ୍ଡୀ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା