ବଡଦିନ ଉପଲକ୍ଷେ ରାଇବଣିଆ ଗଡରେ ଆନ୍ତରାଜ୍ୟ ପିକ୍‌ନିକ୍ ଦଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଡିସେମ୍ବର ୨୫ ବଡଦିନ ଉପଲକ୍ଷେ ଇତିହାସ ପ୍ରସିଦ୍ଧ ରାଇବଣିଆ ଗଡରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଓଡିଶାର କେତେକ ଅଂଚଳରୁ ବହୁ ଯୁବକ ଯୁବତୀ ବଣଭୋଜିରେ ମାତିଛନ୍ତି । ଗଡଚଣ୍ଡି ମନ୍ଦିର, ନିର୍ମାଣାଧିନ ଜଗନ୍ନାଥ ମନ୍ଦିର, ନିକଟରେ ଥିବା ଶିବ ମନ୍ଦିର ତଥା ଅସ୍ଥାୟୀ ପ୍ରନ୍ଥଶାଳାରେ ଏହିଂ ବଣଭୋଜି ଦଳ ଅବସ୍ଥାନ କରୁଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବଣଭୋଜିର ମଜା ନେଉଥିବା ଦେଖିବାକୁ ମିଳିଛି । ଦିନଥିଲା ରାଇବଣିଆ ଦୁର୍ଗ ସମଗ୍ର ପୂର୍ବଭାରତରେ ସର୍ବଶ୍ରେଷ୍ଠ ଭାବେ ପରିଗଣିତ ହେଉଥିଲା । ରାଇବଣିଆ ଦୁର୍ଗକୁ ଲାଗି ଅନ୍ୟ ୧୮ଟି ଦୁର୍ଗ ରହିଥିବା ବହୁତଥ୍ୟ ସହିତ ଗବେଷକ ଡ.ଶ୍ରୀକାନ୍ତ ଚରଣ ପାତ୍ର ତାଙ୍କ ପୁସ୍ତକରେ ଲେଖିଛନ୍ତି । ଏଠାରେ ବ୍ୟବହୃତ ପଥର ସମ୍ପର୍କରେ କୋଲକତା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିଭାଗର ବିଶେଷଜ୍ଞ ଡ. ଅଶୋକ ମିତ୍ର ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ଏସିଆର୍‌ଟିକ୍ ସଂଗଠନରୁ ଅର୍ଥଆଣି ଏହି ଦୁର୍ଗ ଖନନର ପ୍ରଚେଷ୍ଟା ରଖିଥିବା ଡ. ମିତ୍ରଙ୍କ ମୃତ୍ୟୁପରେ ତାହା ଧିମେଇ ଯାଇଛି । ରାଇବଣିଆ ସୁରକ୍ଷା ପରିଷଦ ଓ ଗଡ ବିକାଶ କମିଟି ସରକାରଙ୍କ ପକ୍ଷରୁ ମିଳିଥିବା ୧୭ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ, ୧୬ଲକ୍ଷ ଟଙ୍କା ବ୍ୟୟରେ ପିଇବାପାଣି ଯୋଗାଣ, ୧୫ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତିକରଣ ଓ ୬୦ଲକ୍ଷା ଟଙ୍କା ବ୍ୟୟରେ ଏକ ସୁନ୍ଦର ଫାଟକ ନିର୍ମାଣ କାର୍ଯ୍ୟ ରହିଥିବାର କମିଟିର ସଭାପତି ବ୍ରିଜେଶ ରଣା, ଉପସଭାପତି ଦିଲ୍ଲିପ ସାମଲ ଓ ସଂପାଦକ ସୁକୁମାର ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି । ଲୁପ୍ତପ୍ରାୟ ରାଇବଣିଆ ଗଡର ସୁରକ୍ଷା, ତାର କାରୁକାର୍ଯ୍ୟ ଇତ୍ୟାଦିର ସୁରକ୍ଷାଲାଗି ପ୍ରଚେଷ୍ଟା ଜାରି ରହିଲେ ରାଇବଣିଆ ଦୁର୍ଗ ଅଧିକ ଲୋକପ୍ରିୟ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ସମ୍ପର୍କରେ ପଶ୍ଚିମବଂଗର ପଶ୍ଚିମମେଦିନୀପୁର ଜିଲାରୁ ଆସିଥିବା ପାପିଆ ଦତ୍ତ, ସୌମେନ ଦେ, ନିୟତି ଭଟାଚାର୍ଯ୍ୟ, ରାମଶଂକର ପାଣିଗ୍ରାହୀ, ବୀନା ଦାସଗୁପ୍ତ ପ୍ରମୁଖ ରାଇବଣିଆ ଭଗ୍ନସ୍ତୁପ ମଧ୍ୟରେ କଳା ସଂସ୍କୃତି ଓ ଐତିହ୍ୟ ଲୁଚିରହିଥିବାର କହିଛନ୍ତି । କେବଳ ଏତିକି ନୁହେଁ, ଦୁର୍ଗର କାରାୁକାର୍ଯ୍ୟ, ସୁଡଙ୍ଗ, ବହୁପୋଖରୀର ଇତିକଥା, ତିନିଦିଗକୁ ଥିବା ୩ଟି ଦ୍ୱାରଦେଶ ସଂପର୍କରେ ଥିବା ଲୋକକଥା ସର୍ବୋପରି ମାଟିରେ ତିଆରି ହୋଇଥିବା ୭ ପ୍ରାଚୀର ସଂପର୍କରେ ତଥ୍ୟ ସଂଗ୍ରହ କରି ନିକଟରେ ଏକ ସଂଗ୍ରାହାଳୟ ପ୍ରତିଷ୍ଠା କରି ରଖାଯାଇ ପାରିଲେ ଅଧିକ ଗୁଣଗ୍ରାହୀ ହେବ ବୋଲି କହିଥିଲେ । ସେହିପରି ଝାଡଖଣ୍ଡରୁ ଆସିଥିବା ରାଜେନ୍ ମିତ୍ର, ସୁପନ ଗୁପ୍ତା, ନିଲେଶ ପଣ୍ଡା ପ୍ରମୁଖ ସୁବର୍ଣ୍ଣରେଖା ନଦୀ ଓ ରାଇବଣିଆ ସଂପର୍କରେ ବହୁ ତଥ୍ୟ ସେମାନେ ପାଇପାରିଛନ୍ତି ଓ ସେହି ପୀଠର ଉନ୍ନତି ପାଇଁ ସରକାର ଓ ସ୍ଥାନୀୟ କମିଟି ପ୍ରଚେଷ୍ଟା କରିପାରିଲେ ଏହି ସ୍ଥାନଟି ଅଧିକ ଆକର୍ଷଣୀୟ ହୋଇ ପାରିବ ବୋଲି କହିଥିଲେ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୧୪ ଓଡିଆ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଇବଣିଆ ଦୁର୍ଗ ପର୍ଯ୍ୟଟକଙ୍କ ଦ୍ୱାରା ଚଳଚଞ୍ଚଳ ହୋଇ ଉଠେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏହି ସ୍ଥାନର ଉନ୍ନତି କରିବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା