ବଜ୍ରାଘାତରେ ୯ ଗାଈ ମୃତ,୧ ଗୁରୁତର : ଅଳ୍ପକେ ବର୍ତ୍ତିଲେ ଚାଷୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଭ୍ରମରପୁର ପଞ୍ଚାୟତ ଦୋଳବ – ଗୋପୀନାଥପୁର  ଗ୍ରାମ ନିକଟ ଚଟିଆନାଳ ନିକଟରେ ଶନିବାର ଅପରାହ୍ନ ପ୍ରାୟ ସାଢେ଼ ୫ ଟାରେ ବଜ୍ରାଘାତରେ ୯ ଟି ଗାଈ ମୃତ୍ୟୁ ବରଣ କରିଛନ୍ତି । ଗୁରୁତର ଆହାତ ଅବସ୍ଥାରେ ଗୋଟିଏ ଗାଈକୁ ଚିକିତ୍ସା ଚାଲିଥିବା ବେଳେ ଗୋପୀନାଥପୁର ଗ୍ରାମର ଗାଈ ମାଲିକ ତଥା ଚାଷୀ ପୂର୍ଣ୍ଣ ନାୟକ ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ସବୁଦିନଭଳି ଶନିବାର ସକାଳେ ପୂର୍ଣ୍ଣ ତାଙ୍କ ଗାଈଗୋଠକୁ ଚରାଇବାକୁ ନେଇଥିଲେ । ଅପରାହ୍ନରେ ଆକସ୍ମିକ ବର୍ଷା ଓ ବାରମ୍ବାର ବଜ୍ରପାତ କାରଣରୁ ପୂର୍ଣ୍ଣ ଗାଈ ଗୋଠକୁ ନିକଟସ୍ଥ ଏକ ବର ଗଛ ତଳେ ରଖି ସେ ନିକଟସ୍ଥ ଅନ୍ୟ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଗାଈଗୋଠ ଥିବା ଗଛ ତଳେ ବଜ୍ରପାତ ହେବାରୁ ୯ଟି ଗାଈ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ଗାଈ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।ଖବରପାଇ ପୂର୍ଣ୍ଣଙ୍କ ସମ୍ପର୍କୀୟ ଓ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଭ୍ରମରପୁର ସର୍କଲର ରାଜସ୍ଵ ନୀରିକ୍ଷକ ସନାତନ ରଣା ଗାଁ’ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି । ଗରିବ ଅସହାୟ ଚାଷୀ ପୂର୍ଣ୍ଣଙ୍କୁ ସରକାରୀ କ୍ଷତିପୂରଣ ପ୍ରଦାନ ପାଇଁ ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଦାବୀ କରିଛନ୍ତି ।


ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା