ଫଣି ପରେ ରାଜଧାନୀରେ ଜବରଦଖଲ ଆରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାତ୍ୟା ଆଢୁଆଳରେ ଏବେ ରାଜଧାନୀରେ ଚାଲିଛି ଜବରଦଖଲ । ନିଜକୁ ବାତ୍ୟା ପୀଡିତ ଦେଖାଇ ସରକାରୀ କ୍ୱାର୍ଟର ଠାରୁ ଆରମ୍ଭକରି ରାସ୍ତାକଡ ଜମି ଓ କନଜରଭେନ୍ସି ଆଦିରେ ଲୋକେ ଘର କରିବାରେ ଲାଗିଛନ୍ତି । ଗତ ତିନି ତାରିଖରେ ଆସିଥିବା ବାତ୍ୟା ପୂର୍ବରୁ ବସ୍ତିରେ ରହୁଥିବା ଲୋକଙ୍କୁ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ନିକଟରେ ବିଦ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କୋଠାକୁ ସ୍ଥାନାନ୍ତରିତ କରିଥିଲେ । ହେଲେ କିଛି ଲୋକ ପ୍ରଶାସନ ସହିତ ନଯାଇ ବିଭିନ୍ନ ୟୁନିଟ୍‍ରେ ଖାଲି ପଡିଥିବା ସରକାରୀ କ୍ୱାର୍ଟର ଗୁଡିକର ଚାବି ଭାଙ୍ଗି ଆସ୍ଥାନ ଜମାଇଥିଲେ । ବାତ୍ୟା ଛାଡିଯିବାପରେ ସେମାନେ ଜବରଦଖଲ କରିଥିବା କ୍ୱାଟର୍ସ ଗୁଡିକୁ ଆଉ ଛାଡିବାକୁ ରାଜି ନୁହନ୍ତି । ନିଜର ଘରଦ୍ୱାରା ନଥିବା ଦର୍ଶାଇ ସେଠାରେ ରହୁଛନ୍ତି । ସେହିଭଳି ବାତ୍ୟା ପରେ ବିଭିନ୍ନ ୟୁନିଟ୍‍ରେ ଖାଲିପଡିଥିବା ରାସ୍ତାକଡ ଜମିରେ ଏବେ ଏବେ ଲୋକେ ରାତାରାତି ବସ୍ତି ତିଆରି କରିବାରେ ଲାଗିଛନ୍ତି । ଅତ୍ୟନ୍ତ ତରବରିଆ ଭାବେ ଭାଙ୍ଗିଥିବା ଗଛ ଓ ରିଲିଫରେ ମିଳିଥିବା ପଲିଥିନ୍‍ରେ ଘର ତିଆରି କରୁଛନ୍ତି । ଆଉ କିଛି ବସ୍ତିବାସିନ୍ଦା ଏବେ ନିଜକୁ ବାତ୍ୟା ପ୍ରପୀଡିତ ଦର୍ଶାଇ ବିଭିନ୍ନ ୟୁନିଟ୍‍ର ସରକାରୀ କ୍ୱାଟର୍ସ ମଝିରେ କନଜରଭେନ୍ସିରେ ଘର ତିଆରି କରିବାରେ ଲାଗିଛନ୍ତି । ରାଜ୍ୟ ସଚିବାଳୟ ଓ ରାଜଭବନର ଅନତି ଦୂରରେ ଥିବା ଛଅ ନମ୍ବର ୟୁନିଟ୍‍ରେ ବାତ୍ୟା ପରବର୍ତ୍ତୀ ଏଭଳି ଜବରଦଖଲ ଉକ୍ରଟ ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ଏହା କେବଳ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁନାହିଁ ବରଂ ରାଜଧାନୀର ସୁରକ୍ଷାପ୍ରତି ଆହ୍ୱାନ ସୃଷ୍ଟି କଲାଣି । କାରଣ ବାତ୍ୟା ପରେ କିଏ କେଉଁଠୁ ଆସି ଏଠାରେ ରାତାରାତି ଘରୁଛି ତାହାର ହିସାବ କାହାରି ପାଖରେ ନାହିଁ । ବାତ୍ୟା ପରେ ରାଜଧାନୀରେ ପୁଲିସ୍‍ ପାଟ୍ରୋଲିଂ ବ୍ୟବସ୍ଥା ଏକ ପ୍ରକାର ଠପ୍‍ ହୋଇଯାଇଥିବାବେଳେ ବିଏମ୍‍ସି ଓ ପୂର୍ତ୍ତ ବିଭାଗ ଏବେ ସହରରୁ ବାତ୍ୟା ଅଳିଆ ଉଠାଇବାରେ ବ୍ୟସ୍ତ । ସେମାନେ ଏଭଳି ବେଆଇନ୍‍ କାର୍ଯ୍ୟକୁ ଦେଖିଲେ ମଧ୍ୟ ସେ ଦିଗକୁ ଦୃଷ୍ଟି ଦେଉନଥିବାରୁ ଜବରଦଖଲକାରୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ।ବାତ୍ୟା ପରେ ପରେ କନଜରଭେନ୍ସିରେ ଗଢି ଉଠିଥିବା ଅସ୍ଥାୟୀ ଘରକୁ ଇତି ମଧ୍ୟରେ ବିଜୁଳି ସଂଯୋଗ ହୋଇଗଲାଣି । ଏହି ସ୍ଥାନକୁ କିଏ କିଭଳି ଭାବେ ବିଜୁଳି ସଂଯୋଗ ଦେଲା ତାହା ଦେଖିବାକୁ ବି ବିଜୁଳି ବିଭାଗର ଅଧିକାରୀମାନେ ସମୟ ପାଉନାହାନ୍ତି । ଏହାର ସୁଯୋଗରେ ବାତ୍ୟା ପରେ ଏବେ ରାଜଧାନୀରେ ଜମି ମାଫିଆମାନେ ଅଧିକ ସକ୍ରିୟ ହୋଇ ଜମି ଜବରଦଖଲ କରିବାରେ ଲାଗିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର