ପ୍ରମୋଦ କୁମାର ଜେନା ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ ନିଯୁକ୍ତ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ୧୯୮୭ ବ୍ୟାଚ୍ ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ଜେନା ଯୋଗଦାନ କରିଛନ୍ତି । ଜେନା ଏପରି ଏକ ସମୟରେ ଭାରତୀୟ ରେଳବାଇର ପ୍ରମୁଖ ପଣ୍ୟ ପରିବହନ କରୁଥିବା ପୂର୍ବତଟ ରେଳପଥର ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ଯୋଗଦାନ କରିଛନ୍ତି ଯେତେବେଳେ ଏହି ରେଳ ଜୋନ୍ ପାଇଁ ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ କରାଯିବାର ଯୋଜନା ରଖାଯାଇଅଛି । ପୂର୍ବତଟ ରେଳପଥରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ଯୋଗଦାନ ପୂର୍ବରୁ ଜେନା ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଳାସପୁରରେ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ଏବଂ ଏହା ପୂର୍ବରୁ କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥରେ ପ୍ରମୁଖ ବାଣିଜ୍ୟ ପ୍ରବନ୍ଧକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜେନାଙ୍କର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ସମ୍ବନ୍ଧରେ ପ୍ରଗାଢ ଅନୁଭବ ରହିଛି । ସେ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଯଥା ପଣ୍ୟ ପରିଚାଳନା, ଯାତ୍ରୀ ପରିଚାଳନା, ନିରାପତ୍ତା, ଯୋଜନା, ସାଧାରଣ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟକରି ପ୍ରସଂଶିତ ହୋଇଛନ୍ତି । ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳାବାଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପୂର୍ବତଟ ରେଳପଥର ପ୍ରମୁଖ ପରିଚାଳନା ବିଭାଗର ମୁଖ୍ୟ ଭାବେ ଜେନାଙ୍କ ସମ୍ମୁଖରେ ଚଳିତ ବର୍ଷ ୨୦୦ ନିୟୁତ ଟନ୍ ମାଲ ପରିବହନର ସଂକଳ୍ପ, ଟ୍ରେନ୍ ଚଳାଚଳର ସମୟାନୁବର୍ତ୍ତିତା, ଭିତ୍ତିଭୂମିର ଯୋଜନା, ଶିଳ୍ପ ସଂସ୍ଥା ସହିତ ପୋର୍ଟ ଗୁଡିକୁ ରେଳ ସଂଯୋଗର ଲକ୍ଷ୍ୟ ପୁରଣ କରିବା ଏକ ଆହ୍ୱାନ୍ ହେବ ।୧୯୮୪ ମସିହାରେ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକୋତ୍ତର ପରେ ଜେନା ଭାରତୀୟ ରେଳାବାଇରେ ଯୋଗଦାନ କରିଥିଲେ । ସେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିକଟବର୍ତ୍ତୀ କୋଲର ଗ୍ରାମର ଭାସ୍କର ଜେନାଙ୍କର ସୁପୁତ୍ର ଅଟନ୍ତି।ତାଙ୍କର ଯୋଗଦାନ ନେଇ ସାରା ରେଳବାଇ ଜୋନରେ ଆନନ୍ଦର ଲହରୀ ଖେଳିଯାଇଅଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା