ପ୍ରବାସୀ ଶ୍ରମିକମାନଙ୍କୁ ସୀମାରେ ଅଟକାଇ ରଖିବାକୁ ନିର୍ଦେଶ…

କଟକ(ସମୃଦ୍ଧ ଓଡ଼ିଶା)ଦେଶରେ ମହାମାରୀ କରୋନା ଭାଇରସ ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ସରକାର ଘୋଷଣା କରୁଥିବା ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରିବା ସହ ଜାରୀ ହୋଇଥିବା ଲକ୍‌ ଡାଉନ୍‌ କୁ ଉଲଘଂନ କରୁଥିବା ବ୍ୟକ୍ତି ଉପରେ କଡା ନଜର ରଖିବାକୁ ଉଚ୍ଚନ୍ୟାୟାଳୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ରେଜିଷ୍ଟର ନିଜ ତରଫରୁ ରୁଜୁ କରିଥିବା ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ ଓ ଏହା ଗୁରୁତର ସଂକଟ ସୃଷ୍ଟି କରିବ। ତେଣୁ ସେମାନଙ୍କୁ ସୀମାରେ ଅଟକାଇବା ସହ ସେହିଠାରେ ହିଁ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ପୋଲିସ ଏସପିଙ୍କୁ ନିର୍ଦେଶ ଦେବା ସହ ରାଜ୍ୟକୁ ପ୍ରବେଶ କରୁଥିବା ଶ୍ରମଜୀବୀଙ୍କର ଅସ୍ଥାୟୀ ରହଣିସ୍ଥଳରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ପଡ଼ୋଶୀ ରାଜ୍ୟ ତଥା ପଡ଼ୋଶୀ ଜିଲ୍ଲାରୁ ଶ୍ରମଜୀବୀ ଓ ସେମାନଙ୍କ ପରିବାରର ସ୍ଥାନାନ୍ତରଣ ଯୋଗୁଁ ସାଙ୍ଘାତିକ ସମସ୍ୟା ସୃଷ୍ଟି ହୋଇପାରେ । ସମ୍ପୃକ୍ତ ଶ୍ରମଜୀବୀମାନଙ୍କ ମଧ୍ୟରୁ କେହି କରୋନା ଭାଇରସ୍ ଆକ୍ରାନ୍ତ କି ନୁହେଁ ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନ ଥିବାବେଳେ ଏତେ ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତରଣ କରୋନା ଭାଇରସ୍ ସଂକ୍ରମଣରେ ସହାୟକ ହୋଇପାରେ । ହଜାର ହଜାର ସ୍ଥାନରେ ଥିବା ଏତେ ସଂଖ୍ୟକ ଲୋକଙ୍କ କଥା ବୁଝିବା ସହଜ ନୁହେଁ । ସେମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଯାନବାହନ ଯୋଗାଇବା ମଧ୍ୟ କଠିନ କାର୍ଯ୍ୟ ଅଟେ । ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶ୍ରମଜୀବମାନଙ୍କ ରହଣି, ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ସମସ୍ତ ସୀମାନ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି । ସ୍ଥାନାଭାବ ହେଲେ ଜିଲ୍ଲା ପ୍ରଶାସନ ଶୌଚାଳୟ ସୁବିଧା ଥିବା କଲେଜ ଓ ସ୍କୁଲ ବ୍ୟବହାର କରିପାରିବେ ବୋଲି ମଧ୍ୟ କୁହାଯାଇଛି । ଜିଲ୍ଲାସ୍ତରୀୟ ସ୍ଥାନାନ୍ତରଣରେ ମଧ୍ୟ ଏହି ପ୍ରକାର ବ୍ୟବସ୍ଥା ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପି କରିପାରିବେ । ଅନ୍ତତଃ ଲକଡାଉନ ଉଠିବାଯାଏ ଏ ଭଳି ବ୍ୟବସ୍ଥା କରାଯାଇ ପାରିବ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଲକଡାଉନ ଓ ସାମାଜିକ ଦୂରତ୍ବ କଡାକଡି ନ ହେଲେ କରୋନା ଭାଇରସ ସଂକ୍ରମଣ ପ୍ରତିହତ କରିବା କଷ୍ଟ ସାଧ୍ୟ ହୋଇପଡିବ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା