ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ପରିଚାଳନା ଗତ ବିଭ୍ରାନ୍ତ ପାଇଁ ରାଜ୍ୟ ସରକାର ଦାୟୀ : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କର ଭୁଲ ଲକଡାଉନ ନୀତି ଫଳରେ ଦେଶରେ ଶ୍ରମିକ ମାନଙ୍କର ଘର ବାହୁଡା ଜନିତ ଅସୁବିଧା ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲାକୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ମାନଙ୍କର ଆଗମନ ପରିପେକ୍ଷୀରେ ରାଜ୍ୟ ସରକାରଙ୍କର ପରିଚାଳନା ଓ ଥଇଥାନଗତ ନୀତି ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ପ୍ରଥମ ଅବସ୍ଥାରେ ଶ୍ରମିକମାନେ ବିଶେଷ କରି ସୁରଟରୁ ଆସିଥିବା ଶ୍ରମିକଙ୍କ ବିରୁଦ୍ଧରେ ରାଜ୍ୟ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅପପ୍ରଚାର କଲେ, ଏପରିକି ପ୍ରବାସୀ ଶ୍ରମିକଙ୍କୁ ଠିକ ଭାବରେ ସେମାନଙ୍କର ପ୍ରାପ୍ୟ ୨ ହଜାର ଟଙ୍କା ମଧ୍ୟ ଦେଲେ ନାହିଁ । ସେମାନଙ୍କର ରହିବ ଖାଇବାର ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସିଲେ ଓ ଗଲେ ତାର ମଧ୍ୟ କୌଣସି ହିସାବ ସରକାରଙ୍କ ପାଖରେ ରହିଲା ନାହିଁ । ସରକାର ଜଙ୍ଗଲରେ କେତେ ବାଘ ଅଛନ୍ତି ତାହା ଗଣି ପାରୁଛନ୍ତି କିନ୍ତୁ ଗଞ୍ଜାମ ଜିଲ୍ଲାରୁ କେତେ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି ତାହା ଆଜି ସୁଦ୍ଧା ଗଣି ପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ ଭୁଲ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକ ମାନେ ଘର ମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣାମାନ ଘଟି ପ୍ରାଣ ହରେଇଥିବା ନଜର ଅଛି । ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି ଯାହା ଫଳରେ ଶ୍ରମିକ ଭାଇ ମାନେ ପୁଣି କରୋନା ସଂକ୍ରମକୁ ନ ଡରି ବଞ୍ଚିବା ଆଶାରେ ସୁରଟ, କଲକାତା, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗଲୁରୁ ପ୍ରଭୃତି ରାଜ୍ୟକୁ ଯିବାର ଆରମ୍ଭ କରିଛନ୍ତି । ଏହି ପ୍ରରିପେକ୍ଷୀରେ ଗତକାଲି ଛତିଶଗଡ଼ର ରାୟପୁର ନିକଟରେ ଗଞ୍ଜାମରୁ ଯାଉଥିବା ୭ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପାଇଁ ରାଜ୍ୟ ନବୀନ ସରକାର ସମ୍ପୂର୍ଣ୍ଣ ଦାୟୀ ଅଟେ । ଗତ କିଛି ଦିନ ହେଲା ହଜାର ହଜାର ପ୍ରବାସୀ ଶ୍ରମିକ ଅନେକ ବସରେ ଅତି ବିପଦ ସଂକୁଳ ଅବସ୍ଥାରେ ଅନ୍ୟ ରାଜ୍ୟକୁ କାମ ଧନ୍ଦା ଆଶାରେ ଯାଉଛନ୍ତି । ଏକଥା ରାଜ୍ୟ ସରକାର ଜାଣି ଅଜଣା ପରି ଚୁପ ରହୁଛନ୍ତି । ଶ୍ରମିକ ମାନଙ୍କର ଯିବା ଆସିବାର କୌଣସି ପଞ୍ଜିକରଣ କରାଯାଉ ନାହିଁ । ଦୀର୍ଘ ୨୦ ବର୍ଷର ନବୀନ ସରକାର ଗଞ୍ଜାମ ଜିଲ୍ଲାକୁ ଶିଳ୍ପ ବିହନରେ ପରିଣତ କରି ଦେଇଛନ୍ତି । କୃଷି ଓ କୃଷି ଶ୍ରମିକଙ୍କ ଅବସ୍ଥା ନ କହିଲେ ଭଲ । ଚାଷୀର ଜମିକୁ ପାଣି ଯୋଗାଇବାରେ ନବୀନ ସରକାର ବିଫଳ ହୋଇଛି । ଆସିକା ସୁତା କଳରେ ତାଲା ଝୁଲୁଛି । ଚିନି ଶିଳ୍ପ ରୁଗୁଣ ଅବସ୍ଥାରେ । କଂଗ୍ରେସ ସରକାର ଅମଳରେ କରାଯାଇଥିବା ଶିଳ୍ପାୟନ ଯଥା ଗୋପାଳପୁର ବନ୍ଦର ଓ ଟାଟା ଇସ୍ପାତ କାରଖାନା ରାଜ୍ୟ ସରକାରଙ୍କର ଆନ୍ତରିକ ଅଭାବରୁ ଏକ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁନାହିଁ । ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ । ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ବଂସ କରି ଦେଇଛନ୍ତି । ଅତଏବ ରାଜ୍ୟ ସରକାର ତୁରନ୍ତ ଗତକାଲି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତୁ । ପ୍ରବାସୀ ଶ୍ରମିକଙ୍କୁ NREGS ଯୋଜନା ଅନୁଯାୟୀ କାମ ଯୋଗାଇ ଦିଆଯାଉ ଓ ପ୍ରବାସୀ ଶ୍ରମିକଙ୍କ ପଂଜିକରଣକୁ ବାଧ୍ୟତାମୂଳକ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିବା ଗଞ୍ଜାମ ଜିଲ୍ଲା ସଭାପତି ପୀତବାସ ପଣ୍ଡା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା