ପ୍ରବାସୀ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି…

ଗଞ୍ଜାମ (ସମୃଦ୍ଧ ଓଡିଶା) ପ୍ରବାସୀ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ବହୁତ କୁଶଳୀ ଓ ଅଣ କୁଶଳୀ ପ୍ରବାସୀ ଶ୍ରମିକ ବାହାର ରାଜ୍ୟରେ କାମ କରୁଥିଲେ । ମହାମାୟୀ କରୋନା ଯୋଗୁଁ ସେହି ଅଞ୍ଚଳର ଶିଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ହୋଇଯିବା ହେତୁ ନିଜ ଭିଟାମାଟିକୁ ଫେରି ଆସିଛନ୍ତି ସମସ୍ତ ଶ୍ରମିକ ଏବଂ ସେମାନେ ନିଜ ପରିବାର ସହିତ ନିଜ ଗ୍ରାମରେ ରହିବା ଆଶାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚି କ୍ଵାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯେଉଁମାନେ କ୍ଵାରେଣ୍ଟାଇନ ସେଣ୍ଟରରେ ବିଭିନ୍ନ ପଞ୍ଚାୟତରେ ସରପଞ୍ଚଙ୍କ ଅଧୀନରେ ରହିଛନ୍ତି ସେମାନଙ୍କୁ ୨୦୦୦ ଟଙ୍କା ହିସାବରେ ମଞ୍ଜୁର କରିଛନ୍ତି । ସୂଚନା ଯେ ସେମାନଙ୍କୁ ୨୦୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା ଦିଆଯାଇଛି ବାକି ଟଙ୍କା ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ, ଏହିପରି କିଛି ଲୋକ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଜଣାଇଥିଲେ ମଧ୍ୟ ପାଇନାହାନ୍ତି । ଶେଷରେ ବ୍ଲକ କାର୍ଯ୍ୟାଳୟ ଆଗରରେ ଧାରଣାରେ ମଧ୍ୟ ବସିଛନ୍ତି । ସହ ସହ ପ୍ରବାସୀ ଗଞ୍ଜାମ ଜିଲ୍ଲାରୁ ଫୋନ ମାଧ୍ୟମରେ ଜଣାଇଛନ୍ତି । ଏହି ବିଷୟକୁ ନେଇ ବାଚସ୍ପତି କେତେକ ବିଡିଓଙ୍କୁ ଫୋନ ଯୋଗେ ଜଣାଇବା ପରେ ସେମାନେ କହିଛନ୍ତି ଯେ ଗ୍ରାମ ସେବକଙ୍କୁ ଏହି ଦାଇତ୍ଵ ଦିଆଯାଇଛି ଏବଂ କାହାକୁ କେତେ ଦିଆଯାଇଛି ବ୍ଲକରେ ତାହାର ହିସାବ ଦାଖଲ କରିନଥିବା ହେତୁ ଏହି କାର୍ଯ୍ୟଟି ଅବହେଳା ହୋଇ ରହିଛି । ଏହି କରୋନା ସମୟରେ ଗରିବ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହି ୨୦୦୦ ଟଙ୍କା ବହୁତ ମୂଲ୍ୟବାନ । ତେଣୁ ବିଡିଓମାନେ ତୁରନ୍ତ ବିଭିନ୍ନ ପଞ୍ଚାୟତର ଗ୍ରାମସେବକ ମାନଙ୍କୁ ଯେଉଁ ଦାଇତ୍ଵ ଦେଇଛନ୍ତି ଦୁଇ ଦିନ ଭିତରେ ଯେଉଁମାନେ ୧୦୦୦ ଟଙ୍କା ପାଇନାହାନ୍ତି ତାହାର ତାଲିକା ତୁରନ୍ତ ବ୍ଲକରେ ଦାଖଲ କରିବେ ଏବଂ ବିଡିଓମାନେ ଡିଆରଡିଏ କାର୍ଯ୍ୟାଳୟରେ ଦଖଲକାରୀ ଡିଆରଡିଏ କାର୍ଯ୍ୟାଳୟରୁ ବଳକା ଟଙ୍କା ଆଣି ତୁରନ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଟଙ୍କା ଦିଅନ୍ତୁ । ଯେଉଁ ଗ୍ରାମ ସେବକମାନେ ଅବହେଳା କରୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ବିଷୟରେ ମାନ୍ୟବର ବାଚସ୍ପତି ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି ଏବଂ ବିଡିଓମାନଙ୍କୁ ଜଣାଇଛନ୍ତି । ପ୍ରବାସୀ ଶ୍ରମିକମାନେ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି ଏବଂ ଜଣଙ୍କ ପିଛା ସଂପୂର୍ଣ୍ଣ ୨୦୦୦ ଟଙ୍କା ପାଇନାହାନ୍ତି ସମ୍ପୃକ୍ତ ଗ୍ରାମ ସେବକ ଟଙ୍କା ପାଇବା କଥା ସ୍ଥାନୀୟ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଜଣାନ୍ତୁ ବୋଲି ମାନ୍ୟବର ବାଚସ୍ପତି, ଡଃ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା