ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ : ବାତ୍ୟା ଅଞ୍ଚଳ ପରିଦର୍ଶନ, ୫ଶହ କୋଟି ଟଙ୍କା ରିଲିଫ ଘୋଷଣା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଆକଳନ କରିବା ପାଇଁ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିଥିବା ଜଣାପଡିଛି । ସୂଚନା ଅନୁଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହାପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯାଇଥିଲେ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ପରେ ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟାର ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତିର ବିସ୍ତୃତ ଆକଳନ କରିବା ପରେ ଆବଶ୍ୟକ ପଡ଼ିଲେ ଭାରତ ସରକାର ଅଧିକ ସହାୟତା ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ପୁଲିସ ଡିଜି ଅଭୟ, ଏସଆରସି ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଆକାଶ ମିଶ୍ର