ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ନା ମାଓଲିଂକ୍ !

– ପ୍ରସାଦ ରାଓ –
୨୦୧୯ ସାଧାରଣ ନିର୍ବାଚନକୁ ନେଇ ଦେଶରେ ଅବଗଣନା ଆରମ୍ଭ ହୋଇଯାଇ ଥିବା ବେଳେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା ଅଧିକ ତୀବ୍ର ହୋଇଥିବା ଲକ୍ଷ୍ୟ କରାଯାଉଛି । ଶାସକ ଦଳର କାର୍ଯ୍ୟକଳାପରେ ସାଧୁତା ଥିଲେ ମଧ୍ୟ ସ୍ୱଚ୍ଛତାର ଅଭାବରୁ ବିରୋଧୀ ଦଳମାନେ ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସରକାରଙ୍କ ପ୍ରତ୍ୟେକ ଚାଲ୍ କୁ ବିରୋଧୀ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଏକ କଥିତ ଷଡଯନ୍ତ୍ର ଅଭିଯୋଗରେ ମଙ୍ଗଳବାର ଦିନ ହୋଇଥିବା ପାଂଚ ଜଣ ସାମାଜିକ କର୍ମୀଙ୍କ ଗିରଫଦାରୀ ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ପ୍ରତିକ୍ରିୟା । ପୁନେ (ମହାରାଷ୍ଟ୍ର) ପୁଲିସ ମଙ୍ଗଳବାର ଦେଶବ୍ୟାପୀ ଚଢାଉ କରି ସୁପରିଚିତ ମାନବାଧିକାର କର୍ମୀ ତଥା ବିପ୍ଳବୀ ଲେଖକ ପି. ବରବରା ରାଓଙ୍କ ସମେତ ଅନ୍ୟ ୪ ଜଣ ଜଣାଶୁଣା ମାନବାଧିକାର ଓକିଲ ଓ କର୍ମୀଙ୍କୁ ଗିରଫ କରିଛି । ମାଓବାଦୀଙ୍କ ସହ ସୁସଂପର୍କ ଥିବା ଅଭିଯୋଗରେ ସେମାନଙ୍କୁ ପୁଲିସ ଗିରଫ କରିଥିବା କହୁଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ହତ୍ୟା ଷଡଯନ୍ତ୍ର’ ଯୋଡି ଦିଆଯାଇ ଥିବାରୁ ବିରୋଧୀ ତାହାକୁ ଗ୍ରହଣ କରି ପାରୁ ନାହାନ୍ତି । ନିର୍ବାଚନ ପୂର୍ବରୁ ଦେଶବାସୀଙ୍କ ଅନୁକଂପା ଗୋଟାଇବାକୁ ସରକାର ଏଭଳି ଷଡଯନ୍ତ୍ର କରିଥିବା ବିରୋଧୀ ଦଳମାନେ ସନ୍ଦେହ କରୁଛନ୍ତି।

ପୁନେ ପୁଲିସର କହିବା ଅନୁଯାୟୀ, ୨୦୧୭ ଡ଼ିସେମ୍ବର ୩୧ ତାରିଖରେ କୋରେଗାଓଁ ଭୀମାରେ ସଂଗଠିତ ହିଂସାକାଂଡରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ କଥିତ ମାଓ ସର୍ମଥକଙ୍କୁ ଗତ ଜୁନ ମାସରେ ଗିରଫ କରାଯାଇ ଥିଲା । ସେମାନଙ୍କୁ ଜେରା କରାଯିବାରୁ କିଛି ଆପତ୍ତିଜନକ ତଥ୍ୟ ଓ କାଗଜପତ୍ର ମିଳିଛି । ଏହି କାଗଜପତ୍ରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଢାଂଚାରେ ବର୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା ଷଡଯନ୍ତ୍ର ହୋଇଥିବା ସୂଚନା ମିଳୁଛି । ଶ୍ରୀଲଙ୍କାର ତାମିଲ ଉଗ୍ରପନ୍ଥୀମାନେ ରାଜୀବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ଠିକ୍ ସେହି ଢାଂଚାରେ ମୋଦୀଙ୍କ ହତ୍ୟା ଷଡଯନ୍ତ୍ର ହୋଇଛି । ଦଳିତଙ୍କୁ ସମର୍ଥନ ଦେଉଥିବା ମାଓବାଦୀ ଉଗ୍ରପନ୍ଥୀ (ନକ୍ସଲପନ୍ଥୀ) ମାନେ ଏହି ଷଡଯନ୍ତ୍ର ରଚନା କରିଛନ୍ତି । ଷଡଯନ୍ତ୍ର ସହ ସଂପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର (ଅଗଷ୍ଟ ୨୮ ତାରିଖ)ର ଏହି ଗିରଫଦାରୀ ହୋଇଛି । ଗିରଫ ହୋଇ ଥିବା ସାମାଜିକ କର୍ମୀମାନେ ‘ମାଓ’ ସଂଗଠନ ସହ ସଂପୃକ୍ତ । ତେବେ, ମହାରାଷ୍ଟ୍ର ସରକାରଙ୍କ ଏହି ପଇଁତରାକୁ କେବଳ ବିରୋଧୀ କଂଗ୍ରେସ ବା ବାମପନ୍ଥୀ ସଂଗଠନମାନେ ନୁହନ୍ତି, ଦେଶର ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ ଯୁକ୍ତି ହେଲା, ଦଳିତଙ୍କୁ ସୁହାଇଲା ଭଳି କେନ୍ଦ୍ର ସରକାର ଆଇନ ପ୍ରବର୍ତନ କରୁଥିବା ଏବଂ ଦେଶର ସର୍ବୋଚ୍ଚ ନ୍ୟୟାଳୟର ରାୟକୁ ମଧ୍ୟ ଅଣଦେଖା କରୁଥିବା ବେଳେ ଦଳିତମାନେ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଯୋଜନା କାହିଁକି ବା କରିବେ? ନକ୍ସଲ ବିରୋଧୀ ଅଭିଯାନ ଚଳାଇ ଥିବା ରାଜ୍ୟ ସରକାରମାନେ ନକ୍ସଲଙ୍କ ଟାର୍ଗେଟ୍ ହେବା କଥା । ତାହା ନ ହୋଇ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନକ୍ସଲଙ୍କ ଟାର୍ଗେଟ୍ କୁହାଯାଇ ହତ୍ୟା ଷଡଯନ୍ତ୍ରର ଖୁଲାସା କରାଯିବା ଏକ ରାଜନୈତିକ ଚାଲ୍ ।

ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀ ଜନମତର କଂଠରୋଧ ପାଇଁ କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାର ଏଭଳି ଖେଳ ଖେଳି ଥିବା ବିରୋଧୀ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସରକାର ଦେଶରେ ‘ଛାୟା ଜରୁରୀ ପରିସ୍ଥିତି’ ଜାରି କରି ଥିବା ମନେ ହେଉଛି ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଦେଶର ପ୍ରତିଷ୍ଠିତ ଲେଖିକା ଅରୁନ୍ଧତି ରାୟ, ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ଭଳି ବହୁ ଲେଖକ, ଲେଖିକା ଓ ବୁଦ୍ଧିଜୀବୀ ବରାବରା ରାଓ ଓ ଅନ୍ୟ ସାମାଜିକ କର୍ମୀଙ୍କ ଗିରଫଦାରୀକୁ ନେଇ ଖୋଲାଖୋଲି ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଏହା କେନ୍ଦ୍ର ସରକାରଙ୍କ ଅସହିଷ୍ଣୁତାର ପରିଚୟ ବୋଲି ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି । ସିପିଏମ ପଲିଟିବ୍ୟୁରୋ ସାମାଜିକ କର୍ମୀଙ୍କ ଗିରଫଦାରୀକୁ ଦୃଢ ନିନ୍ଦା କରିବା ସହ ଏହା ‘ମାନବ ଅଧିକାର ଉପରେ ଆକ୍ରମଣ’ ବୋଲି ଦର୍ଶାଇ ଥିବା ବେଳେ ରାଜୀବ-ପୁତ୍ର ତଥା ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରାହୁଲ ଗାନ୍ଧୀ ବିଜେପିକୁ କଡା ସମାଲୋଚନା କରି ‘ନବ ଭାରତ’ରେ ଆରଏସଏସ ହିଁ ହେଉଛି ‘ଏକମାତ୍ର ଏନଜିଓ’ ବୋଲି କଟାକ୍ଷ୍ୟ କରିବାକୁ ପଛାଇ ନାହାନ୍ତି ।

ମଙ୍ଗଳବାର ଦିନ ପୁଲିସ ଦେଶର ବିଭିନ୍ନ ସହରରୁ ଗିରଫ କରିଥିବା ସାମାଜିକ କର୍ମୀମାନେ ହେଉଛନ୍ତି – ମାନବାଧିକାର କର୍ମୀ ତଥା ବିପ୍ଳବୀ ଲେଖକ ପି. ବରବରା ରାଓ (ହାଇଦ୍ରାବାଦ), ଓକିଲ ଭେରନନ୍ ଗନସାଲଭେସ୍ (ମୁମ୍ବାଇ), ମାନବିକ ଅଧିକାର କର୍ମୀଙ୍କ ଓକିଲ ଅରୁଣ ପେରିଏରା (ଥାନେ), ଓକିଲ ସୁଧା ଭରଦ୍ୱଜ (ଫରିଦାବାଦ) ଓ ମାନବାଧିକାର କର୍ମୀ ଗୌତମ ନବଲାଖ (ଦିଲ୍ଲୀ) । ବୟୋଜ୍ୟେଷ୍ଠ ମାନବାଧିକାର କର୍ମୀ ତଥା ରାଂଚିର ପାଦ୍ରି ଷ୍ଟାନ୍ ସ୍ୱାମୀଙ୍କ ଘରେ ପୁଲିସ ଚଢାଉ କରିବା ସହ ତାଙ୍କୁ ଜେରା କରିଥିବା ବେଳେ ଗୋଆର ଶିକ୍ଷାବିତ ତଥା ଲେଖକ ଆନନ୍ଦ ତେଟୁମ୍ବଦେଙ୍କୁ ଜେରା କରିବା ସକାଶେ ଏକ ପୁଲିସ ଦଳ ୨୮ ତାରିଖ ଦିନ ଗୋଆ ଯାଇଥିଲେ । ତେବେ, ତେଟୁମ୍ବଦେଙ୍କୁ ସେମାନେ ଭେଟି ପାରି ନାହାନ୍ତି । ପୁଲିସର ଏହି ଚଢାଉ ଓ ଗିରଫଦାରୀ ଏବଂ ବିରୋଧୀଙ୍କ ଅଭିଯୋଗରେ କେତେ ରାଜନୀତି ବା ଯୌକ୍ତିକତା ରହିଛି, ତାହା ଭିନ୍ନ କଥା । କିନ୍ତୁ, ହାଇଦ୍ରାବାଦରୁ ଗିରଫ ହୋଇଥିବା ପି. ବରବରା ରାଓଙ୍କ ନକ୍ସଲ ସଂଗଠନ ସହ ସଂପୃକ୍ତି ଜଣାଶୁଣା କଥା । ଓଡ଼ିଶାରେ ବିଭିନ୍ନ ସମୟରେ ହୋଇଥିବା ନକ୍ସଲ ଅପହରଣ ଘଟଣାରେ ରାଜ୍ୟ ସରକାର ଅପହୃତଙ୍କୁ ମୁକୁଳାଇବା ପାଇଁ ବରବରା ରାଓ ଓ ଦଣ୍ଡପାଣି ମହାନ୍ତିଙ୍କ ଭଳି ମଧ୍ୟସ୍ଥିମାନଙ୍କ ସହାୟତା ନେଇ ଆସିଛନ୍ତି । ବରବରା ରାଓ ସିଧାସଲଖ ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ସହ ସଂପୃକ୍ତ ନ ଥିଲେ ବି ଜଣେ ବିପ୍ଳବୀ ଲେଖକ ଭାବେ ଭୂମିଗତ ନକ୍ସଲ ନେତାଙ୍କ ସହ ତାଙ୍କ ସୁସଂପର୍କକୁ ଅସ୍ୱୀକାର କରି ହେବ ନାହିଁ । କିନ୍ତୁ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡଯନ୍ତ୍ରରେ ତାଙ୍କ ସଂପୃକ୍ତକୁ ନେଇ ପୁନେ ପୁଲିସର ଅଭିଯୋଗ ସହଜରେ ଗ୍ରହଣ କରି ହେଉ ନାହିଁ । ଅଭିଯୋଗର ସତ୍ୟତାକୁ ନେଇ ଦେଶର ବୁଦ୍ଧିଜୀବୀ ଓ ବିରୋଧୀ ରାଜନୈତିକ ମହଲ ସରକାରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।

ପୁନେ ପୁଲିସର ଯୁଗ୍ମ କମିସନର ଶିବାଜୀ ବୋଡଖେଙ୍କ ମଧ୍ୟ ଯାହା କହୁଛନ୍ତି ତାହା ସ୍ପଷ୍ଟ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା ଷଡଯନ୍ତ୍ର ସଂପର୍କରେ ସେ ନିର୍ଦ୍ଧିଷ୍ଟ ଭାବେ କିଛି କହିବାକୁ ଚାହାନ୍ତି ନାହିଁ । ଏହା ତଦନ୍ତ ସ୍ତରରେ ଥିବା ଦର୍ଶାଇ ସେ ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି । ତେବେ, ଗତ ଜୁନ ୬ ତାରିଖରେ ପୁଲିସ ଦ୍ୱାରା ଗିରଫ ହୋଇଥିବା ୫ ଜଣ କଥିତ ମାଓ ସମର୍ଥକଙ୍କୁ ଜେରା କରିବା ସମୟରେ ମିଳିଥିବା ତଥ୍ୟ ଓ ଆପତ୍ତିଜନକ କାଗଜପତ୍ର ଆଧାରରେ ମଙ୍ଗଳବାରର ଗିରଫଦାରୀ ହୋଇଥିବା ସେ କହିଛନ୍ତି । ପୁଲିସ ଦ୍ୱାରା ଗିରଫ ହୋଇଥିବା ୫ କଥିତ ମାଓ ସମର୍ଥକଙ୍କୁ ରିମାଂଡରେ ଆଣିବା ସକାଶେ ପୁଲିସ ପୁନେର ଏକ ଅଦାଲତରେ ଆବେଦନ କରିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଢାଂଚାରେ ବର୍ତର୍ମାନର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ସକାଶେ ହୋଇଥିବା ଏକ ଷଡଯନ୍ତ୍ରର ସୂଚନା ଦେଇଥିଲେ । ସଂପୃକ୍ତ ୫ ଜଣଙ୍କୁ ରିମାଂଡରେ ଅଣି ପଚରାଉଚୁରା କରିବା ପରେ ପୁଲିସ ହୋଇଥିବା ଜେରା ଓ ଚଢାଉରୁ ମିଳିଥିବା ତଥ୍ୟକୁ ଆଧାର କରି ମଙ୍ଗଳବାର ଏହି ସାମାଜିକ କର୍ମୀଙ୍କୁ ଗିରଫ କରିଥିବା ବୋଡଖେ ସୂଚାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୧୮୧୮ ମସିହା ଜାନୁୟାରୀ ୧ ତାରିଖରେ ବ୍ରିଟିଶ ସେନା ସହ ପେଶୱା ସେନାର ଯୁଦ୍ଧରେ କୋରେଗାଓଁ ଭୀମାର ଦଳିତଙ୍କ ଅବଦାନ ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ । ଦଳିତମାନଙ୍କ ଏହି ଅବଦାନର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ‘ଏଲଗା ପରିଷଦ’ ପକ୍ଷରୁ ଗଲା ବର୍ଷ ଡ଼ିସେମ୍ବର ୩୧ ତାରିଖରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାରୁ ଉଚ୍ଚ ଜାତିର ଲୋକମାନେ ବା ଦକ୍ଷିଣପନ୍ଥୀ । ଫଳରେ, ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଥିଲା । ଏହି ସଂଘର୍ଷରେ ସଂପୃକ୍ତ ଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ଗତ ଜୁନ ୬ ତାରିଖରେ ସୁଧୀର ଧାୱଲେ, ସୁରେନ୍ଦ୍ର ଗାଡଲିଂ, ମହେଶ ରାୱତ, ରୋନା ୱିଲସନ୍ ଓ ସୋମା ସେନଙ୍କୁ ଗିରଫ କରିଥିଲେ । ସେମାନଙ୍କ ବିରୋଧରେ ଅଭିଯୋଗ ଥିଲା ‘ଉତ୍ତେଜନା ସୃଷ୍ଟିକାରୀ’ ଭାଷଣ ଦେଇ ଦଳିତମାନଙ୍କୁ ଉସୁକାଇବା । ଅଭିଯୁକ୍ତମାନଙ୍କୁ ଜେରା କଲା ବେଳେ ମିଳି ଥିବା ତଥ୍ୟ ଓ ଜବତ ହୋଇ ଥିବା ଚିଠିକୁ ଭିତ୍ତି କରି ଅଗଷ୍ଟ ୨୮ରେ ପି. ବରବରା ରାଓଙ୍କ ସମେତ ୫ ଜଣ ସାମାଜିକ କର୍ମୀ ପେରିଆରା, ଗନସାଲଭେସ୍, ଭରଦ୍ୱଜ ଓ ନାଭଲାଖାଙ୍କୁ ଗିରଫ କରାଯାଇଛି । ପୁଲିସୁ ସେମାନଙ୍କ ବିରୋଧରେ ସଂପ୍ରଦାୟ, ଜାତି, ଜନ୍ମସ୍ଥାନ, ଘର, ଭାଷା ଭିତ୍ତିରେ ବିଭାଜନ ସୃଷ୍ଟିକାରୀ ଉତ୍ତେଜକ ଭାଷଣ ଦେବା ଏବଂ ଶତୃଭାବର ପ୍ରସାର କରି ସାମାଜିକ ସୌହାର୍ଦ୍ଧ୍ୟ ନଷ୍ଟ କରୁଥିବା ଅଭିଯୋଗ ଆଣିଛି । ଆଇପିସିର ୧୫୩ ଧାରାରେ ସେମାନଙ୍କୁ ଗିରଫ କରାଯାଇ ଥିବା ପୁଲିସ କହୁଛି । ତେବେ, ସରକାର ଜାତୀୟ ଗଣମାଧ୍ୟମ ଜରିଆରେ ‘ନକ୍ସଲ ସଂପୃକ୍ତି’କୁ ନ୍ୟୁନ କରି ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା ଷଡଯନ୍ତ୍ର’କୁ ଆଗକୁ ଆଣିବା ଏବଂ ତାହା ଉପରେ ବିତର୍କ କରାଇବା ରାଜନୀତି ହିଁ କୁହାଯାଇପାରେ । ସରକାର ସପକ୍ଷରେ ସହାନୁଭୂତି ସୃଷ୍ଟି ପାଇଁ ଏହା ଏକ ଉଦ୍ୟମ ବୋଲି ବିରୋଧୀମାନେ ଯାହା କହୁଛନ୍ତି ତାହା ଏଥିରୁ ଅନେକାଂଶରେ ପ୍ରମାଣିତ ହେଉଛି ।