ପ୍ରତିଦିନ ଜଳେଶ୍ୱରରୁ ବାହାରକୁ ବ୍ରାଉନ୍‌ସୁଗର ଚାଲାଣ ପୁରୀ ଗଲା ବେଳେ ୧୦୦ ଗ୍ରାମ ଧଳା ଜହର ଜବତ୍ : କାର୍ ସହିତ ୩ ଗିରଫ, ୧ ଫେରାର୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଂଗ ଉପାନ୍ତରେ ଜଳେଶ୍ୱର ଅବସ୍ଥିତ ଥିବାରୁ ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗର ଜଳେଶ୍ୱରରେ ମହଜୁଦ ହେବାପରେ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି । ଏପରି ଏକ ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍ ଏଠାରୁ ପୁରୀ ଯାଉଥିବା ଏକ କାର୍ ଜବତ୍ କରିବା ସହିତ ୩ ଅଭିଯୁକ୍ତ, ନଗଦ ଟଙ୍କା ଓ ବ୍ରାଉନ୍ ସୁଗର ଜବତ୍ କରିବାରେ ସକ୍ଷମ ହୋଇଛି । ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଅଂଚଳରୁ ବାରମ୍ବାର ବ୍ରାଉନ୍‌ସୁଗର ବିଭିନ୍ନ ଅଂଚଳକୁ ଯାଉଥିବା ଓ ଏଥିରେ ଜଳେଶ୍ୱରର ୩୨ଜଣ ସଂଦିଧ ଲୋକଙ୍କ ସହିତ ସେମାନଙ୍କୁ ଆର୍ଥୀକ ସହାୟତ କରି ଆସୁଥିବା ଅନ୍ୟ କେତେକ ବିଶେଷ ବ୍ୟକ୍ତିଙ୍କ ସଂପର୍କରେ ପୋଲିସ୍ ଠୋସ୍ ପ୍ରମାଣ ପାଇଛି । ଗତ କିଛିଦିନ ଧରି ଜଳେଶ୍ୱରରୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନ୍‌ସୁଗର ଚାଲାଣ ହୋଇ ଆସୁଥିବା ପୋଲିସ୍ କେତେକ ଘଟଣାରୁ ସନ୍ଦେହ କରିଛି । ଆଜି ଏ ସଂପର୍କରେ ସୂଚନା ପାଇ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ବିଭିନ୍ନ ସ୍ଥାନରେ ତକ୍ଷ୍ମ ଦୃଷ୍ଟି ରଖିଥିଲେ । ଜଳେଶ୍ୱରରୁ ଓଆର୍‌୦୨ବିଟି୯୧୬୧ ଇଣ୍ଡିଗୋ କାର୍ ବାହାରି ପୁରୀ ଅଭିମୁଖେ ଗଲାବେଳେ ସେକ୍‌ସରାଇ ରେଳ ଓଭରବ୍ରିଜ୍‌ଠାରେ ପୁଲିସ୍ ଟିମ୍ ଚଢାଉ କରିଥିଲେ । ଏହି ଚଢାଉରେ ପୁରୀ ଜିଲା ଅନ୍ତର୍ଗତ କୁମ୍ଭାରପଡା ଥାନା ନରେନ୍ଦ୍ରକାନା ଗାଁର ୩ଜଣଙ୍କୁ ପୋଲିସ୍ ଗିରଫ୍ କରିବାରେ ସକ୍ଷମ ହୋଇଛି । ମାଗା ନାୟକଙ୍କ ପୁଅ ଶ୍ରୀଧର ନାୟକ (୩୦), ବିଜୟ ଦୋରାଙ୍କ ପୁଅ ଲିଟୁ ଦୋରା (୨୯) ଓ ରଂଜନ ମହାନ୍ତିଙ୍କ ପୁଅ ଦେବାଶିଷ ଓରଫ ଅଜୁ ମହାନ୍ତି (୩୦)ଙ୍କୁ ପୋଲିସ୍ ଗିରଫ କରି ଥାନାକୁ ନେଇଛି । କିନ୍ତୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗାଁ ସେକ୍ ହେମୁରୁଦ୍ଦିନଙ୍କ ପୁଅ ସେକ୍ ସଫିରୁଦ୍ଦିନ (୩୬) ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛି । ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩ଲକ୍ଷ ୧୪ହଜାର ଟଙ୍କା ଓ ୧୦୦ ଗ୍ରାମ ବ୍ରାଉନ୍‌ସୁଗରକୁ ପୋଲିସ୍ ଜବତ୍ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ଏହି ଚଢାଉରେ ଏସ୍‌ଆଇ ଦିଲ୍ଲିପ ସାମଲଙ୍କ ସହିତ ଜଳେଶ୍ୱର ଥାନାର ବହୁ କର୍ମଚାରୀ ସାମିଲ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା