ପୌର ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଫର୍ମ ନେଲେ ଖଗେଶ୍ଵରୀ ବେହେରା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ୨ ତାରିଖ ଠାରୁ ଆରମ୍ଭ ହୋଇ ଯାଇଥିବା ବେଳେ ଏଥିପାଇଁ ସମଗ୍ର ପାରଳା ସହରର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇପଡିଛି I ଚଳିତ ପୌର ନିର୍ବାଚନରେ ପାରଳା ସହରରେ ମୋଟ ୧୬ଟି ୱାର୍ଡ ରହିଛି I ଏହି ଅବସରରେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ୧୬ଟି ୱାର୍ଡ କାଉନସିଲର ଏବଂ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଖୋଜା ଚାଲିଥିବା ବେଳେ କେତେକ ୱାର୍ଡ କାଉନସିଲର ପଦବୀ ପାଇଁ ଆଶାୟୀ ପ୍ରାଥୀମାନେ ପୌର କାର୍ଯ୍ୟାଳୟରୁ ସେମାନଙ୍କ ପ୍ରାର୍ଥୀ ଫର୍ମ କିଣି ନେଇଛନ୍ତି I ଅନ୍ୟାପକ୍ଷରେ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଥିବା ପାରଳା ପୌର ଅଧ୍ୟକ୍ଷା ପଦବୀରେ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରିବା ପାଇଁ ୩ ନମ୍ବର ୱାର୍ଡର ପୂର୍ବତନ ଜଣାଶୁଣା କାଉନସିଲର ଶ୍ରୀମତୀ ଖଗେଶ୍ଵରୀ ବେହେରା ମଧ୍ୟ ଆଜି ପୂର୍ବାହ୍ନରେ ତାଙ୍କର ପ୍ରାର୍ଥୀ ଫର୍ମ ନେଇଛନ୍ତି l ପୂର୍ବତନ କାଉନସିଲର ଖଗେଶ୍ଵରୀ ବେହେରା ଜଣେ ମେଳାପୀ, ପରୋପକାରୀ ଓ କାର୍ଯ୍ୟଦକ୍ଷତା ସମ୍ପନ୍ନ ମହିଳା l ସେ ତାଙ୍କ କାର୍ଯ୍ୟକାଳ ସମୟରେ ୱାର୍ଡର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ଯୋଗୁଁ ସେ ସମସ୍ତଙ୍କ ଠାରେ ଅତ୍ୟନ୍ତ ପ୍ରିୟଭାଜନ ଓ ଜଣାଶୁଣା ରହିଛନ୍ତି l ତେଣୁ ଆଜି ସେ ପୌର ଅଧ୍ୟକ୍ଷା ପଦବୀରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀ ଫର୍ମ ନେବାବେଳେ ତାଙ୍କର ବହୁ ସମର୍ଥକ ଓ ପାରଳା ପୌର କାର୍ଯ୍ୟାଳୟର ବହୁ କର୍ମଚାରି ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ l

ରିପୋର୍ଟ : କୃଷ୍ଣ କୁମାର ବେହେରା