ପେଟ୍ରୋଲ, ଡ଼ିଜେଲକୁ ନେଇ ବିଜେଡ଼ିର ପିକେଟିଂ, କଂଗ୍ରେସର ‘ଭାରତ ବନ୍ଦ’; ବିଜେପି ଧରିଛି ଶିକ୍ଷକଙ୍କ ଲାଂଜ !

ଭୁବନେଶ୍ୱର,(ପ୍ରସାଦ ରାଓ): ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଲଗାମଛଡା ଦରବୃଦ୍ଧି ପ୍ରତିବାଦରେ ଓଡ଼ିଶାରେ ଶାସକ ବିଜେଡ଼ି ପକ୍ଷରୁ ତିନି ଦିନିଆ ପିକେଟିଂ ଶେଷ ଦିନରେ ପହଂଚିଛି। ଦଳ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପେଟ୍ରୋଲ ପଂପ୍ ସାମନାରେ ଦୁଇ ଘଂଟିଆ ପିକେଟିଂ ଚଳାଇ ଥିଲା । ଏହି ଶାନ୍ତିପୂର୍ଣ୍ଣ ପିକେଟିଂ ଅନିୟନ୍ତ୍ରିତ ତୈଳ ଦରବୃଦ୍ଧି ସଂପର୍କରେ ଜନଚେତନା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡ଼ି କହିଛି । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ସୋମବାର (୧୦ ତାରିଖ) ‘ଭାରତ ବନ୍ଦ’ ଡାକାରା ଦିଆଯାଇଛି । ବିଭିନ୍ନ ସଂଗଠନ ଏଥିରେ ସାମିଲ ହେବାକୁ ଦଳ ନିବେଦନ କରିଛି । ବାମପନ୍ଥୀମାନେ ୧୧ ତାରିଖ ‘ଭାରତ ବନ୍ଦ’ କରିବାକୁ ପୂର୍ବରୁ ଘୋଷଣା କରି ଥିଲେ । ତେବେ, ସେମାନଙ୍କ କାର୍ଯ୍ୟକ୍ରମର ଅଧିକ ସୂଚନା ମିଳି ନାହିିଁ । ଓଡ଼ିଶାରେ କେବଳ ବିଜେପି ତୈଳ ଦର ବୃଦ୍ଧିକୁ ନେଇ ଏକଘରିଆ ହୋଇ ରହିଛି । କେନ୍ଦ୍ରରେ ଦଳର ସରକାର ଥିବାରୁ ତୈଳ ଦରବୃଦ୍ଧିକୁ ଦଳ ଇସ୍ୟୁ କରିପାରୁ ନାହିଁ । ତେବେ, ରାଜ୍ୟ ସରକାରଙ୍କୁ ମୁକାବିଲା କରିବା ପାଇଁ ଦଳର ରାଜ୍ୟ ଶାଖା ୨୩ ଦିନ ହେଲା ଚାଲିଥିବା ଶିକ୍ଷକ ଆନେ୍ଦାଳନକୁ ଅସ୍ତ୍ର କରିଛି । ବିଭିନ୍ନ ଇସ୍ୟୁକୁ ନେଇ ଓଡ଼ିଶାରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ତେବେ, ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଦରବୃଦ୍ଧିକୁ ନେଇ ବିଜେଡ଼ି ଓ କଂଗ୍ରେସ ଆନ୍ଦୋଳନରେ ଥିବାରୁ ଦୁଇ ଦଳ ମଧ୍ୟରେ ଏକ ଭିତିରି ବୁଝାମଣା ଥିବା ଭଳି ମନେ ହେଉଛି । ଶନିବାର ଦିନ ରାଜ୍ୟ ସରକାର ନେଇଥିବା ପଦକ୍ଷେପରୁ ତାହା ଅନୁମାନ କରି ହେଉଛି । କଂଗ୍ରେସ ଦଳ ପକ୍ଷରୁ ସୋମବାର ଦିନ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇ ଥିବାରୁ ରାଜ୍ୟ ସରକାର ସେଦିନ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ କରି ଦେଇଛନ୍ତି । ଶନିବାର ଦିନ ଏସଂପର୍କୀତ ବିଜ୍ଞପ୍ତୀ ପ୍ରକାଶ ପାଇଛି । ସଡକ ଓ ରେଳ ପରିବହନ, ଅତ୍ୟାବଶ୍ୟକ ସେବା, ସରକାରୀ କାର୍ଯ୍ୟାଳୟ, ବାଣିଜି୍ୟକ ସଂସ୍ଥା, ବ୍ୟାଙ୍କ ସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯେମିତି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତିି ଦୃଷ୍ଟି ଦେବାକୁ ଗୃହ ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛି । ବାସ୍ତବିକତା ହେଉଛି, ‘ବନ୍ଦ’ ନାଁ ଶୁଣିଲେ ଆପେ ଆପେ ସଡକ ପରିବହନ ଓ ଦୋକାନ ବଜାର ବନ୍ଦ ହୋଇଯାଏ । ସରକାର ସ୍କୁଲ ଛୁଟି ଘୋଷଣା କରିସାରିଛନ୍ତି । ତେଣୁ, ସୋମବାରର ‘ଭାରତ ବନ୍ଦ’ ସଫଳ ହୋଇ ସାରାଲଣି କହିଲେ ଚଳିବ।ଶନିବାର ରାଜଧାନୀରେ ପେଟ୍ରୋଲ ଲିଟରର ମୂଲ୍ୟ ଥିଲା ୭୯ ଟଙ୍କା ୨୭ ପଇସା । ପୂର୍ବ ଦିନ ଅପେକ୍ଷା ୩ ପଇସା ଅଧିକ । ଶୁକ୍ରବାର ଡ଼ିଜେଲର ଲିଟର ପିଛା ଦର ଥିଲା ଲିଟର ୭୭ ଟଙ୍କା ୮୦ ପଇସା । ଚଳିତ ମାସର ପ୍ରଥମ ଆଠ ଦିନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧ଟଙ୍କା ୭୨ ପଇସା ଓ ଡ଼ିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ୨୫ ପଇସା ବଢିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷ ଦେଇ ଟିକସ କମାଇବା ପ୍ରସ୍ତାବକୁ ଏଡାଇ ଯାଉଥିବା ବେଳେ ଖାଉଟୀ ସକାଳୁ ଉଠିଲେ ଅଧିକ ତଣ୍ଡ ଗଣୁଛନ୍ତି । ଦୁଇ ପେଟ୍ରୋଲିୟମ ଉତ୍ପାଦ ଜିଏସଟି ପରିସରକୁ ଆସିଲେ ଖାଉଟୀ ଅନ୍ୟୁନ ୨୫ ଟଙ୍କା କମ୍ ରେ ତାହା ପାଇ ପାରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ ନିକଟରେ ସୂଚନା ଦେଇଥିଲେ । କିଛି ଦିନ ହେଲା କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସଭା, ସମିତିରେ ତାହାକୁ ଦୋହରାଉଛନ୍ତି । କେନ୍ଦ୍ର ସରକାରଙ୍କ ଜିଏସଟି କାଉନସିଲରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସମେତ ସବୁ ରାଜ୍ୟର ଅର୍ଥ ମନ୍ତ୍ରୀମାନ ରହିଛନ୍ତି । ସେମାନେ ଚାହିଁଲେ ଏସଂପର୍କରେ ନିଷ୍ପତ୍ତି ନେବାରେ କିଛି ଅସୁବିଧା ନାହିଁ । ତେବେ, ତାହା ନ ହେବାର କାରଣ କଣ (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜ ନିଜ ଫାଇଦା ଛାଡିବାକୁ ପ୍ରସ୍ତୁତ ନ ଥିବାରୁ ପେଟ୍ରୋଲ ଓ ଡ଼ିଜେଲ ଜିଏସଟି ପରିସରକୁ ଆସି ପାରୁ ନଥିବା ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି । ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜନୈତିକ ଓ ଅର୍ଥନୈତିକ କାରଣକୁ ଦାୟୀ କରୁଛନ୍ତି । ଆମେରିକୀୟ ଡ଼ଲାର ମୂଲ୍ୟ ତୁଳନାରେ ଭାରତୀୟ ଟଙ୍କାର ଦୃତ ଅବନତି ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳର ଅହେତୁକ ମୂଲ୍ୟ ବୃଦ୍ଧି ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସ୍ ର ମାତ୍ରାଧିକ ଦରବୃଦ୍ଧି ପାଇଁ ଦାୟି କୁହାଯାଉଛି । ତେବେ, ଅର୍ଥନୀତି ବିଶେଷଜ୍ଞମାନେ କେନ୍ଦ୍ରର ଦାବିକୁ ସଂପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରିପାରୁ ନାହାନ୍ତି । ଏହା ସତ୍ୟ ନୁହେଁ, ଅର୍ଦ୍ଧସତ୍ୟ ବୋଲି ସାମାଜିକ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ ନିକଟରେ ଲେଖିଥିବା ଏକ ନିବନ୍ଧରେ ଯୁକ୍ତି ବାଢିଛନ୍ତି ।ଯାଦବଙ୍କ କହିବା ଅନୁଯାୟୀ, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ପ୍ରତିଷ୍ଠା ହେବା ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ଥିଲା ୧୦୧ ଡ଼ଲାର । ସେହି ସମୟରେ ଦିଲ୍ଲୀରେ ପେଟ୍ରୋଲ ଲିଟର ଥିଲା ୭୧ ଟଙ୍କା ଏବଂ ଡ଼ିଜେଲ ଥିଲା ୫୭ ଟଙ୍କା । ବର୍ତମାନ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୬ ଡ଼ଲାର ଥିବା ସମୟରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୯ ଟଙ୍କା ଓ ଡ଼ିଜେଲ ଲିଟର ୭୧ ଟଙ୍କା ରହିଛି । ଏହାର ଅର୍ଥ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏକ ଚତୁର୍ଥାଂଶ କମ୍ ଥିବା ବେଳେ ଦେଶରେ ପେଟ୍ରୋଲ ଦର ୧୦ ପ୍ରତିଶତ ଓ ଡ଼ିଜେଲ ଦର ୨୦ ପ୍ରତିଶତ ଅଧିକ ରହିଛି । ମୋଦୀ ସରକାର କ୍ଷମତାକୁ ଆସିବା ପରେ ସଂଯୋଗବଶତଃ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦରରେ ବଡ ଧରଣର ହ୍ରାସ ଘଟି ବ୍ୟାରେଲ ପିଛା ୩୩ ଡ଼ଲାରରେ ପହଂଚି ଥିଲା । କିନ୍ତୁ, ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦର ସେହି ଅନୁସାରେ କମି ନ ଥିଲା । କେନ୍ଦ୍ର ସରକାର ସେତେ ବେଳେ ପେଟ୍ରୋଲ ଓ ଡ଼ିଜେଲ ଦର କମାଇ ଥିଲେ ତାହା ଯଥାକ୍ରମେ ୨୪ଟଙ୍କା (ପେଟ୍ରୋଲ ଲିଟର ପିଛା ଦର) ଓ ୧୯ ଟଙ୍କା (ଡ଼ିଜେଲ ଲିଟର ପିଛା ଦର) ସ୍ତରକୁ ଆସିଥାନ୍ତା । କିନ୍ତୁ, କେନ୍ଦ୍ର ସରକାର ତାହା କରାଇ ନ ଦେଇ ଦୁଇ ଉତ୍ପାଦର ଦରରେ ସାମାନ୍ୟ ହ୍ରାସ କରିବା ସହ ତାହା ଉପରେ ଟିକସ ହାର ବଢାଇ ଦେଇଥିଲେ । ରାଜ୍ୟ ସରକାରମାନେ ମଧ୍ୟ କେନ୍ଦ୍ରକୁ ଦେଖି ନିଜର ଭାଟ୍ ଆଦାୟ ପରିମାଣ ବଢାଇ ଥିଲେ । ତୈଳ ବିଶୋଧନାଗାର ଓ ଡ଼ିଲରମାନଙ୍କ କମିସନ ମଧ୍ୟ ବଢାଇ ଦିଆଗଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ହାରରେ ଟିକସ ଆଦାୟ କରି ବେଶ୍ ଫାଇଦାରେ ରହିଲେ । ଖାଉଟୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିଲା ନାହିଁ । ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ଘଟିବାରୁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଟିକସ କମାଇବା ପରିବର୍ତେ ସେମାନଙ୍କ କ୍ଷତିର ବୋଝ ଉପଭୋକ୍ତା ବା ଖାଉଟୀଙ୍କ ଉପରେ ଲଦିଛନ୍ତି । ପେଟ୍ରୋଲ ଅପେକ୍ଷା ଡ଼ିଜେଲର ଦର ଅଧିକ ଦୃତ ଗତିରେ ବଢି ଥିବାରୁ ବିଭିନ୍ନ ପରିବହନ ଖର୍ଚ୍ଚ ବଢି ଖାଉଟୀ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ବଢୁଛି । ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକମାନେ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଯାଦବ ଯୁକ୍ତି ଦର୍ଶାଇଛନ୍ତି ।ଯାଦବଙ୍କ ଏହି ଯୁକ୍ତିରେ ବାସ୍ତବତା ରହିଛି । ଯେତେବେଳେ, ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ଯଥେଷ୍ଟ ହ୍ରାସ ପାଇ ଥିଲା ସେହି ଅନୁସାରେ ଦେଶରେ ପେଟ୍ରୋଲ, ଡ଼ିଜେଲର ଦର କମି ନ ଥିଲା । ବିରୋଧୀଙ୍କ ସମାଲୋଚନାର ଉତ୍ତର ଦେଇ ତକ୍ରାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ, କେନ୍ଦ୍ର ସରକାର ‘ବିକାଶ’ର ସଂକଳ୍ପ ନେଇ କ୍ଷମତାକୁ ଆସିଛନ୍ତି ଏବଂ ଏହାକୁ ବାସ୍ତବ ରୂପ ଦେବା ସକାଶେ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେସବୁ କାର୍ଯ୍ୟକାରୀ କରିବା ସକାଶେ ଯଥେଷ୍ଟ ପାଂଠି ଆବଶ୍ୟକ । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ବେଳେ ଦେଶରେ ପେଟ୍ରୋଲ, ଡ଼ିଜେଲ ଦର ନ କମାଇ ସରକାର ଯେତିକି ପାଂଠି ଗଚ୍ଛିତ କରିଛନ୍ତି ତାହା ଦେଶର ବିକାଶରେ ଲାଗିବ । କେନ୍ଦ୍ର ସରକାରଙ୍କ ଏହି ଯୁକ୍ତିକୁ ‘ବିକାଶ’ର ସ୍ୱପ୍ନ ଦେଖୁଥିବା ଦେଶବାସୀ ସେତେବେଳେ ବିଶ୍ୱାସ କରିଯାଇଥିଲେ । ଦେଶରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ଯାହା ବି କମିଲା ସେଥିରେ ସମସ୍ତେ ଖୁସି ଥିଲେ । କିନ୍ତୁ, ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳର ଦରବୃଦ୍ଧି ଓ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଦର ଆକାଶଛୁଆଁ ବୃଦ୍ଧି ପାଇବା ଖାଉଟୀ ବା ଉପଭୋକ୍ତାଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରୁ ନାହିଁ । କେନ୍ଦ୍ର ସରକାର ଏବେ ‘ବିକାଶ’ ଛାଡି ଅନ୍ୟ ସ୍ଲୋଗାନକୁ ଚାଲି ଗଲେଣି । ଦରବୃଦ୍ଧିରେ ଅତିଷ୍ଟ ହେଉଥିବା ଖାଉଟୀଙ୍କ ବାସ୍ତବ ସ୍ୱର କେନ୍ଦ୍ର ବା ରାଜ୍ୟ ସରକାରଙ୍କ କାନରେ ପଡୁ ନାହିଁ । ଉଭୟ ଶାସକ ଓ ବିରୋଧୀମାନେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରୁ ରଖି ଗୋଟି ଚାଳନା କରୁଛନ୍ତି ।ଓଡ଼ିଶାରେ କଂଗ୍ରେସ ଓ ବିଜେପି ବିରୋଧୀ ଭୂମିକାରେ ଥିବା ବେଳେ କେନ୍ଦ୍ରରେ ବିଜେପିର ସରକାର ଥିବାରୁ ତୈଳ ଦର ବୃଦ୍ଧିକୁ ଦଳ ଇସ୍ୟୁ କରିବା ପରିବର୍ତେର୍ ପ୍ରତିରକ୍ଷାତ୍ମକ ସ୍ଥିତିରେ ରହିଛି । କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ପ୍ରଧାନ ବାରମ୍ବାର ପଇଁତରା ବଦଳାଇବାକୁ ବାଧ୍ୟ ହେଉଛନ୍ତି । ପ୍ରଥମେ ପ୍ରଥମେ ସେ ଡ଼ଲାର ତୁଳନାରେ ଟଙ୍କା ଭୂତଳଗାମୀ ହେବା ଓ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧିକୁ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଦର ବୃଦ୍ଧି ପାଇଁ ଦାୟି କରୁଥିଲେ । ବିରୋଧୀ ଦଳମାନେ ଏଯଥା ରାଜନୈତିକ ବିବାଦ ସୃଷ୍ଟି କରି ସେଥିରୁ ଫାଇଦା ଉଠାଇଛନ୍ତି ବୋଲି ତାଙ୍କ ଯୁକ୍ତି ଥିଲା । ଏବେ, ସେ ପଇଁତରା ବଦଳାଇ ପେଟ୍ରୋଲ, ଡ଼ିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ସକାଶେ ରାଜ୍ୟ ସରକାରଙ୍କ ଉଦ୍ୟମ ଅଭାବକୁ ଦାୟି କରୁଛନ୍ତି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରକୁ ଚିଠି ଲେଖି ଏହି ଦୁଇ ତୈଳ ଉତ୍ପାଦ ଜିଏସଟି ଅନ୍ତର୍ଭୁକ୍ତ କରିବା ସକାଶେ ଅନୁରୋଧ କରିବାକୁ ସେ ପରାମର୍ଶ ଦେଉଛନ୍ତି । ସେ ନିଜେ ବିଭାଗୀୟ ମନ୍ତ୍ରୀ ଥାଇ ରାଜ୍ୟ ସରକାରଙ୍କୁ ଏଭଳି ପରାମର୍ଶ ବା ପ୍ରସ୍ତାବ ଦେବା ହାସ୍ୟାସ୍ପଦ ମନେ ହେଉଛି । ପ୍ରଧାନଙ୍କ ଆଉ ଏକ ଯୁକ୍ତି ମଧ୍ୟ ତାଙ୍କ ଅପରିପକ୍ୱତାର ପରିଚୟ ଦେଉଛି । ଓଡ଼ିଶା ସରକାର ତୈଳ ଉପରେ ଟିକସ ବଢାଇବା ମାଧ୍ୟମରେ ପ୍ରାୟ ୭ହଜାର କୋଟି ଟଙ୍କା ଅଧିକ ଆୟ କରି ଥିବାରୁ ଏବେ ଟିକସ କମାଇ ଖାଉଟୀଙ୍କୁ କିଛିଟା ଆଶ୍ୱସ୍ତ କରନ୍ତୁ ବୋଲି ପ୍ରଧାନ କହୁଛନ୍ତି । ତେବେ, ଉତ୍ପାଦ ଶୁଳ୍କ ବାରମ୍ବାର ବଢାଇ କେନ୍ଦ୍ର ସରକାର ମଧ୍ୟ ଟିକସ ବାବଦରେ ହଜାର ହଜାର କୋଟି ଟଙ୍କା ଆୟ କରିଛନ୍ତି । ତେଣୁ, କେନ୍ଦ୍ର ମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଦେଉଥିବା ପରାମର୍ଶ ବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ।ତେବେ, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶ ଓ ପଶ୍ଚିମ ବଂଗ ଦଖଲ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ବିଜେପି ନିର୍ବାଚନ ପୂର୍ବରୁ ଟିକସ ହ୍ରାସ ମାଧ୍ୟମରେ ତୈଲ ଦର ହ୍ରାସ କରି ବିରୋଧୀଙ୍କୁ ଝଟକା ଦେଇପାରେ ବୋଲି ବିରୋଧୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ତେଣୁ, ବିରୋଧୀମାନେ ତାହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଜେଡ଼ିର ତିନି ଦିନିଆ ପିକେଟିଂ ପରେ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ଓ ‘ରାଫେଲ ଯୁଦ୍ଧ ବିମାନ’ କିଣାରେ ‘କଥିତ’ ଦୁର୍ନୀତିକୁ ନେଇ ସୋମବାର (୧୦ ତାରିଖ) ‘ଭାରତ ବନ୍ଦ’ ଡ଼ାକରା ଦେଇଛି । ଅପରପକ୍ଷରେ, ଏକୁଟିଆ ପଡିଥିବା ବିଜେପି ରାଜଧାନୀରେ ୨୩ ଦିନ ହେଲା ଚାଲି ଥିବା ଶିକ୍ଷକ ଆନ୍ଦୋଳନରୁ ନିଜର ରାଜନୈତିକ ଫାଇଦା ଖୋଜିବା ଆରମ୍ଭ କରି ଦେଇଛି । ଶୁକ୍ରବାର ରାଜ୍ୟ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଜେପିର ଏହି ରଣନୀତି ପଦାକୁ ଆସି ଥିଲା । ବିଜେଡ଼ି ବିଧାୟକମାନେ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଅଣାୟତ୍ତ ଦରବୃଦ୍ଧି ପ୍ରତିବାଦରେ ଗୃହରେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଗୃହକୁ ଅଚଳ କରି ଥିବା ବେଳେ ବିଜେପି ବିଧାୟକ ଗୃହରେ ଶିକ୍ଷକ ଆନ୍ଦୋଳନ ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ଶିକ୍ଷକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା କଂଗ୍ରେସ ମଧ୍ୟ ବିଜେପିକୁ ସମର୍ଥନ ଦେଇ ବିଜେଡ଼ି ସରକାରଙ୍କୁ କଡା ସମାଲୋଚନା କରିଥିଲା । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଗାନ୍ଧୀ ମାର୍ଗ ଯାି ସେଠାରେ ୨୩ ଦିନ ଧରି ଧାରଣାରେ ବସି ଥିବା ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏବଂ ଦୁଇ ଦିନ ହେଲା ଧାରଣା ଆରମ୍ଭ କରିଥିବା ପ୍ରାଥମକ ଶିକ୍ଷକଙ୍କ ପ୍ରତି ବିଜେପିର ସମର୍ଥନ ଜଣାଇ ଥିଲେ । ରାଜ୍ୟ ସରକାର ୨୦୧୪ରେ ତୈଳରୁ ୩ ହଜାର କୋଟି ଟଙ୍କା ଟିକସ ପାଇଥିବା ବେଳେ ୨୦୧୮ରେ ୭ ହଜାର କୋଟି ଟଙ୍କା ପାଇଛନ୍ତି । ସେଥିରୁ ଶିକ୍ଷକଙ୍କ ଦରମା ବାବଦରେ ୭୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର କୁଂଠିତ କାହିଁକି ବୋଲି ପ୍ରଧାନ ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କ ୧୨୦୦ କୋଟି ଟଙ୍କାର ‘ଆମ ଗାଁ-ଆମ ବିକାଶ’ ଓ ୪୫୦ କୋଟି ଟଙ୍କାର ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମକୁ ଟାର୍ଗେଟ୍ କରିଥିଲେ । ନିର୍ବାଚନ ପାଖ ହେଉ ଥିବାରୁ ଓଡ଼ିଶାରେ ଅନ୍ତତଃ ଶାସକ ଓ ବିରୋଧୀଙ୍କ ଏଭଳି ଅନେକ ପଇଁତରା ଦେଖିବାକୁ ମିଳିବ । କିନ୍ତୁ, ଭୋଟ କାହା ସପକ୍ଷରେ ଯିବ, ତାହା ସମୟ ହିଁ କହିବ ।