ପୂର୍ବତନ ବିଧାୟକଙ୍କୁ ମିଳିଲାନି ଆୟୁଷିୟୁ:ଘଟିଲା ପରଲୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ବଡ ମେଡିକାଲରେ ଆଇସିୟୁର ସୁବିଧା ନମିଳିବାରୁ ପୂର୍ବତନ ବିଧାୟକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁ ସୁବିଧା ମିଳିନଥିଲା । ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ସେବା ଜରୁରୀ ହୋଇଥିଲେ ମଧ୍ୟ ବଡ଼ ମେଡିକାଲରେ ପୂର୍ବତନ ବିଧାୟକଙ୍କୁ ସେହି ସୁବିଧା ମିଳିନଥିଲା । ଫଳରେ ଦୟନୀୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାର କାଜୁଆଲଟିରେ ଚିକିତ୍ସା କରାଯାଇଥିଲା । ଜଣେ ଦୁଇ ଦୁଇ ଥରର ବିଧାୟକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଇସିୟୁ ସୁବିଧା ଯୋଗାଇ ଦିଆନଯିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଡାକ୍ତରଖାନାରେ ଏଭଳି ଜଣେ ରାଜନେତାଙ୍କ ପ୍ରତି ଅବ୍ୟବସ୍ଥା କରାଯାଇଥିବାରୁ ସାଧାରଣ ଜନତାଙ୍କୁ ଏଠାରେ କି ପ୍ରକାର ଚିକିତ୍ସା ସୁବିଧା ମିଳୁଥିବ ତାହା ସହଜରେ ଅନୁମାନ କରାଯାଇପାରୁଛି । ବଡ଼ ମେଡିକାଲ ଭେଷଜ ବିଭାଗରେ ୨୦ଟି ଆଇସିୟୁର ସୁବିଧା ରହିଥିବାବେଳେ ସବୁ ଶଯ୍ୟା ପରିପୂର୍ଣ୍ଣ ହୋଇଯାଇଥିବାରୁ ପୂର୍ବତନ ବିଧାୟକଙ୍କୁ ସେଠାରେ ରଖି ଚିକିତ୍ସା କରିବା ସମ୍ଭବପର ହୋଇପାରିନଥିଲା ବୋଲି ଡାକ୍ତରଖାନାର ଜଣେ ପରିଚାଳକ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରାଯାଇଥିବା ସରକାର କହୁଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ଏଭଳି ଦାରୁଣ ଅବସ୍ଥାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ୱର୍ଗତ ବେହେରା ଦୁଇଥର ସରପଞ୍ଚ, ଗଞ୍ଜାମ ବ୍ଲକର ଦୁଇଥର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ୧୯୭୪ ମସିହାରେ ଉତ୍କଳ କଂଗ୍ରେସରୁ ବିଧାୟକ ଭାବେ ଛତ୍ରପୁରରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସରୁ ବିଧାୟକ ଭାବେ ସେ ଛତ୍ରପୁରରୁ ନିର୍ବାଚିତ ହୋଇଥିଲେ । ତାଙ୍କ ସମୟରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନ କାର୍ଯ୍ୟ ସମ୍ପାଦିତ ହୋଇଥିଲା ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା