ପୂଜ୍ୟ ପୂଜା ସମିତି ପକ୍ଷରୁ “ସାମାଜିକ ପରିବର୍ତ୍ତନ ଓ ଦେଶ ଗଠନରେ ଆମ୍ବେଦକର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୭୨ତମ ମହାପରିନିର୍ବାଣ ଦିବସରେ ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ସାମାଜିକ ପରିବର୍ତ୍ତନ ଓ ଦେଶ ଗଠନରେ ଆମ୍ବେଦକର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବିଜିପୁର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମିତିର ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ବହୁ ଆଲୋଚକ ଅଂଶ ଗ୍ରହଣ କରିଥିଲେ l ଭାରତରେ ବର୍ଷ ବର୍ଷ ଧରି ରହିଥିବା କଳଙ୍କିତ ଜାତିପ୍ରଥାରେ ବହୁ ଦଳିତ ବର୍ଗର ଲୋକ ନିଷ୍ପେସିତ ହେଉଥିଲେ l ପିଇବା ପାଣିଠୁ ଆରମ୍ଭ କରି ସର୍ବସାଧାରଣ ରାସ୍ତାରେ ଯାତାୟତ କରିବା ଭଳି ସମସ୍ତ କ୍ଷେତ୍ରରେ ସାମାଜିକ ଜୀବନରେ ବହୁ ଅମାନୁଷିକ ଅତ୍ୟାଚାରର ଶିକାର ହେଉଥିଲେ l ପିଲାଟି ବେଳରୁ ଆମ୍ବେଦକର ଏ ପ୍ରକାର ଅତ୍ୟାଚାରର ବିରୋଧ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଲୋକଙ୍କ ମଧ୍ୟରେ ମେଳି ବାନ୍ଧି ଶୋଭାଯାତ୍ରା ମାଧ୍ୟମରେ ସର୍ବସାଧାରଣ ପୋଖରୀ, କୂଅରୁ ପିଇବା ପାଣି ନେବା ଆଦି ବୈପ୍ଲବିକ ପଦକ୍ଷେପ ଗ୍ରହଣ କରି ଯୁଗାନ୍ତକାରୀ ପରିବର୍ତ୍ତନ କରିଥିଲେ l ଏହାସହ ସେ ଉଚ୍ଚ ଶିକ୍ଷା ଲାଭ କରି ବିଶ୍ୱର ବିଭିନ୍ନ ଦେଶର ସମ୍ବିଧାନକୁ ଅଧ୍ୟୟନ କରି ଭାରତବର୍ଷର ବହୁ ଜାତି, ଧର୍ମ, ସମ୍ପ୍ରଦାୟର ଲୋକଙ୍କ ପାଇଁ ଓ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭlରତବାସୀଙ୍କ ପାଇଁ ସମ୍ବିଧାନ ରଚନା କରିଛନ୍ତି l ଦେଶର ସମସ୍ତ ଶୋଷିତ, ଅତ୍ୟାଚାରିତ ଲୋକଙ୍କ ସ୍ୱାଧୀନତା ପାଇଁ ସମ୍ବିଧାନ ହିଁ ଏକ ମାତ୍ର ଅସ୍ତ୍ର ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି l କିନ୍ତୁ ସମ୍ବିଧାନର ମୂଳ ଆଧାର ଗଣତନ୍ତ୍ର, ଧର୍ମନିରପେକ୍ଷତା ଆଜି ଲୁଣ୍ଠିତ l ଏଣୁ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ଜନଗଣ ଏକାଠି ହେବାର ପ୍ରୟୋଜନ ରହିଛି l ଆଜି ଆଲୋଚକ ମଧ୍ୟରେ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୋପାଳ ପାଣିଗ୍ରାହୀ, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ ଡା. ଗୋପବନ୍ଧୁ ବେହେରା, ଏସ. କେଶବ ଲିଙ୍ଗମ, ଏସ, ସlମ୍ବଶିବା ରାଓ, ଗୌରୀ ଶଙ୍କର ମହାନ୍ତି, ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସମାଜସେବୀ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଦେଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା