ପୁଣି ଥରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଠାରୁ ପୁଣି ଥରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଠାରେ ନିଜ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ତହସିଲଦାର, ବିଡିଓ, ସିଡିଏମଓ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ଉପରେ ନିୟନ୍ତ୍ରଣ ପାଇବା ପାଇଁ ହେଲେ ଆମକୁ ଆହୁରି ସଜାଗ ଓ ଯତ୍ନବାନ ହେବାକୁ ହେବ ବୋଲି କହିଛନ୍ତି । ଜିଲ୍ଲାକୁ ୨ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରି ସାରିଥିବାରୁ ଏହି ମାସଟି ଆମ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏଣୁ ସମସ୍ତେ ପ୍ରତିଟି ନିୟମକୁ ଯେପରି ସମସ୍ତେ ପାଳନ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କହିଥିଲେ । ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହସପିଟାଲରେ ମୃତ୍ୟୁ ଘଟିଛି । ପୂର୍ବରୁ ସେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗରେ ପିଡ଼ିତ ଥିବା ଜଣାପଡ଼ିଛି । ଅନ୍ୟପଟେ ଖଲିକୋଟ ଅଞ୍ଚଳର ଦୁଇଟି ପଞ୍ଚାୟତର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେମାନଙ୍କ ସଂପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଘରୋଇ ସଙ୍ଗରୋଧରେ ରଖାଯିବା ସହ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅନ୍ୟପଟେ ସୁରତ ଫେରନ୍ତାଙ୍କ ସଂଖ୍ୟା ଧୀରେ ଧୀରେ କମୁଥିଲେ ବି ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଆସନ୍ତାକାଲି ଠାରୁ ପୁଣି ଥରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା