ପୁଞ୍ଜି ପାଇଁ ଦିଲ୍ଲୀରେ ନବୀନ :ରୋଡ୍‌ ସୋ’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶା ପ୍ରତି ପୁଞ୍ଜିପତିଙ୍କ ଆକର୍ଷଣ ବଢାଇବା ଲାଗି ବୁଧବାର ସେ ସେଠାରେ ଶିଳ୍ପପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୋଡ୍‌ ସୋରେ ମଧ୍ୟ ନବୀନ ଯୋଗଦେବେ। ଏପଟେ ଚଳିତବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଅନୁଷ୍ଠିତ ହେବ। ପୂର୍ବ ସଂସ୍କରଣ ଭଳି ଏହାକୁ ସଫଳ କରିବା ପାଇଁ ସରକାରୀ ପ୍ରୟାସ ଜୋରଦାର କରାଯାଇଛି। ମଙ୍ଗଳବାର ଏଥିପାଇଁ ନୂଆଦିଲ୍ଲୀଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁରୋପୀୟ ଦେଶ ଗୁଡ଼ିକର ବାଣିଜ୍ୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି।ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇଥିଲେ। ବୈଠକରେ ଶ୍ରୀ ଚୋପ୍ରା ପ୍ରତିନିଧିମାନଙ୍କୁ କହିଛନ୍ତି, ରାଜ୍ୟରେ ଏକ ପ୍ରଗତିଶୀଳ ଶାସନ ବ୍ୟବସ୍ଥା ଚାଲିଥିବାରୁ ପୂର୍ବ ଭାରତରେ ଓଡ଼ିଶା ଏବେ ଏକ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ହାର ଠାରୁ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଅଧିକ ରହିଛି। ରାଜ୍ୟରେ ବ୍ୟବସାୟ ଅନୁକୂଳ ନୀତି ସହିତ ବିଶ୍ୱଶ୍ରେଣୀର ଭିତ୍ତିଭୂମି ଉପଲବ୍ଧ ହେଉଥିବାରୁ ବିଶ୍ୱର ବିଭିନ୍ନ ଭାଗର ନିବେଶକମାନେ ଓଡ଼ିଶା ସମ୍ପର୍କରେ ଅନୁକୂଳ ମତାମତ ଦେଉଛନ୍ତି। ସେ କହିଥିଲେ, ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେବାଲାଗି ରାଜ୍ୟରେ ସିଙ୍ଗଲ ଓ୍ଵିଣ୍ଡୋ ପୋର୍ଟାଲ କରାଯାଇଛି। ଏଥିସହିତ ତ୍ତତ୍ସର୍ଗୀକୃତ ଏବଂ କ୍ଷେତ୍ରଭିତ୍ତିକ କ୍ଲଷ୍ଟର ସ୍ଥାପନ କରାଯାଇଛି। ୧ ଲକ୍ଷ ଏକରର ଜମି ବ୍ୟାଙ୍କ ଗଠନ କରାଯାଇଛି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଗଢ଼ି ଉଠିବା ପାଇଁ ସରକାର ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଶ୍ରୀ ଚୋପ୍ରା ପ୍ରତିନିଧିମାନଙ୍କୁ ଏହି ଅବସରରେ ବିସ୍ତତ ସୂଚନା ଦେଇଥିଲେ।