ପାରଳାଖେମୁଣ୍ଡିରୁ ଭୁବନେଶ୍ୱର : କିଭଳି ଥିଲା ତିରୁପତି ପାଣିଗ୍ରାହୀଙ୍କ ଜୀବନ ଯାତ୍ରା ?

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜୀବନ ଥିଲା ଖୁବ୍ ସଂଘର୍ଷମୟ । ନିଜ ପିତାଙ୍କର ଅର୍ଥାଭାବରୁ ମାତ୍ର ସେ ସପ୍ତମ ଶ୍ରେଣୀ ଯାଏ ପାଠ ପଢିପାରିଲେ । ମାତ୍ର ନିଜର ଅଦମ୍ୟ ଇଛାଶକ୍ତି, କଠିନ ପରିଶ୍ରମ ଦ୍ବାରା ସେ ଆଜି ସେ ତାଙ୍କ ନାମକୁ ସାର୍ଥକ କରିପାରିଛନ୍ତି । ତେବେ ସେ ବ୍ୟକ୍ତିତ୍ୱ ହେଉଛନ୍ତି ଡ଼.ତିରୁପତି ପାଣିଗ୍ରାହୀ । ପ୍ରାରମ୍ଭିକ ଜୀବନ ତାଙ୍କର ବେଶ୍ ସଂଘର୍ଷମୟ ଥିଲା । ଘରର ବଡ଼ ପୁଅ ଥିଲେ ତିରୁପତି । ପିତାଙ୍କ ବ୍ୟବସାୟରେ ବିଭିନ୍ନ ସମସ୍ୟା ହେବାରୁ ଆଉ ଶିକ୍ଷା ଗ୍ରହଣ କରିପାରିଲେ ନାହିଁ । ଯାହାଦ୍ୱାରା ପରିବାର ଆର୍ଥିକ ପୋଷଣ ପାଇଁ ନିଜ ଭାଇ ଭଉଣୀଙ୍କ ସହ ମିଶି ମାତ୍ର ୧୪ ବର୍ଷ ବୟସରେ ପାରଳାଖେମୁଣ୍ଡିରେ ଏକ ଛୋଟ ହୋଟେଲ ତିଆରି କଲେ ଓ ସେଠାରେ ସବୁ ପ୍ରକାର କାର୍ଯ୍ୟ କରିବାକୁ ଲାଗିଲେ । ହୋଟେଲକୁ ଖାଇବାକୁ ଆସୁଥିବା ଛାତ୍ର ଓ କର୍ମଜୀବୀ ନିଜ କାର୍ମିକ ଜୀବନ ବିଷୟରେ ହେଉଥିବା କଥାକୁ ଶୁଣି କିଛି ନୂଆ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି ତିରୁପତି । ଯେଉଁ ଅଦମ୍ୟ ଇଛାଶକ୍ତିର ପ୍ରଥମ ମୂଳଦୁଆ ପଡେ ୧୯୮୫ରେ ତିରୁପତି ପାଣିଗ୍ରାହୀଙ୍କ ସହଯୋଗରେ ଗଜପତିର କାଶୀନାଗର ଠାରେ ନିର୍ମିତ ଶ୍ରୀରାମ ଡିଗ୍ରୀ କଲେଜ । ଏହା ପରେ ତିରୁପତି ନିଜ ମାତାଙ୍କ ନାମରେ ପଦ୍ମପୁରଠାରେ ବିନୋଦିନୀ ବିଜ୍ଞାନ କଲେଜ ନିର୍ମାଣ କଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଗଢିବାକୁ ଲାଗିଲେ କ୍ରୀଡା ପ୍ରଶିକ୍ଷଣ ତାଲିମ କେନ୍ଦ୍ର,ଯୁବ ସଂଗଠନ ଓ ରିୟଲ ଇଷ୍ଟେଟ୍ । ଏହି ସବୁର ମୁଖ୍ୟ ଉଦେଶ୍ୟ ଥିଲା ସ୍ଥାନୀୟ ନିଯୁକ୍ତି ଓ ଗରିବ ଲୋକମାନଙ୍କୁ ଆର୍ଥିକ ରୂପେ ସଶକ୍ତିକରଣ କରିବା । ତିରୁପତି ସର୍ବଦା ଶିକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି । ଯାହାର ଫଳସ୍ୱରୂପ ୨୦୦୧ରେ କିସ୍ଟ୍ ଓ ୧୯୯୮ରେ ହାଇଟେକ୍ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠା । ଗଜପତିର ମାତ୍ର ଏକ ଛୋଟ ଶିକ୍ଷା ଟ୍ରଷ୍ଟରୁ ଆରମ୍ଭ କରିଥିବା ତିରୁପତିଙ୍କ ପ୍ରଚେଷ୍ଟା ଆଜି ରାଜଧାନୀର ହାଇଟେକ୍ ମେଡିକାଲ, ଡେଣ୍ଟାଲ ମେଡିକାଲ୍ ଭଳି ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସାଳୟ ରୂପେ ରୂପ ନେଇଛି । ଏହି ସବୁ ଚିକିତ୍ସାଳୟର ମୁଖ୍ୟ ଲକ୍ଷ୍ୟ ଗରିବ ରୋଗୀମାନଙ୍କୁ କମ୍ ମୂଲ୍ୟରେ ଉତ୍ତମ ଓ ଉନ୍ନତମାନର ଚିକିତ୍ସା ପ୍ରଦାନ କରିବା । ଆଗକୁ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ନିଜର ନାମକୁ ସାର୍ଥକ କରିବାକୁ ଯାଉଛନ୍ତି । ସେଠାରେ ଏକ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ କରିବାକୁ ଯାଉଛନ୍ତି ତିରୁପତି ପାଣିଗ୍ରାହୀ । ତାଙ୍କ ଜୀବନରେ ଅନେକ ଝଡ଼ ମଧ୍ୟ ଆସିଛି । କେତେବେଳେ ସମାଲୋଚନା ତ ଆଉ କେତେବେଳେ ଜମି ମାମଲାରେ ଜେଲ ମଧ୍ୟ ଯାଇଛନ୍ତି । ମାତ୍ର ତାହାକୁ ଖାତିର ନ କରି ସର୍ବଦା ଆଗକୁ ବଢ଼ିଛନ୍ତି । ନିଜର ଜିଲ୍ଲାକୁ ଖୁବ୍ ଭଲ ପାଆନ୍ତି ଡ଼.ତିରୁପତି । ସ୍ଥାନୀୟ ଜନ ସାଧାରଣଙ୍କ ପାଈଁ ୧୫ ଏକର ଜମିରେ ଆମ୍ୟୁଜମେଣ୍ଟ୍ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । ନିଜ ପାଇଁ ଟିକେ ସମୟ ମିଳିଲେ ଜିମ୍ କିମ୍ବା ନିଜର ୧୨୦ ଏକର ଅର୍ଗାନିକ୍ ଫାର୍ମିଙ୍ଗରେ ଚାଷ କରି ସମୟ ବିତାଇଥାନ୍ତି । ଏହା ସହିତ ପ୍ରତ୍ୟେକଦିନ ନିଜ ଭାଇମାନଙ୍କ ସହ ଏକାଠି ବସି ରାତ୍ରି ଭୋଜନ କରିବାକୁ ପସନ୍ଦ କରନ୍ତି ଶ୍ରୀଯୁକ୍ତ ତିରୁପତି । ଏଥିମଧ୍ୟରେ ଡ଼ ତିରୁପତି ପାଣିଗ୍ରାହୀ ନିଜର ୩ପୁଅଙ୍କୁ ନିଜର ପ୍ରତିଷ୍ଠାନର ଦାୟିତ୍ଵ ହସ୍ତାନ୍ତର କରିବାକୁ ଯାଉଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା