ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ ଓ ଜୋରିମାନା ଆଦାୟ…

ବାଲିଗୁଡା (ସମୃଦ୍ଧ ଓଡିଶା) ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ । ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜକଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଜନଜାତିଙ୍କ ପାରମ୍ପରିକ (କଲା) ହେଉଛି ପୁଅ ବାହାଘରର କିଛି ଦିନ ବା ବର୍ଷ ବିତିବା ପରେ ଝିଅ ଘର ପକ୍ଷରୁ ଭାର ନେଇ ଝିଅ ଶ୍ୱଶୁର ଘରକୁ ଆସିବା ନିୟମ ରହିଛି । ଏହି ସମୟରେ ଗାଁରେ ଭୋଜିଭାତର ଆସର ଜମିବା ସହ ଅଞ୍ଚଳବାସୀ ଏଥିରେ ଯୋଗ ଦେଇଥାନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ଭାର ଝିଅ ଘରର ଲୋକ ଦେଇ ନ ଥା’ନ୍ତି, ସେ ପର୍ଯ୍ୟନ୍ତ ଝିଅଘର ଲୋକ ଝିଅର ଶାଶୁ ଘରକୁ ଯାତାୟାତ କରିପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କିଲାବାଡ଼ି ଗ୍ରାମର ମହେଶ୍ୱର ପ୍ରଧାନ ଭୋଜିର ଆୟୋଜନ କରିଥିଲେ । ମହେଶ୍ୱର ଭୋଜିର ଆୟୋଜନ କରି କରୋନା କଟକଣା ଉଲ୍ଲଂଘନ କରିଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଚଢ଼ାଉ କରାଯାଇ ଥିବା କୁହାଯାଇଛି ।