ପାଟିରେ ସୁନାଚାମଚ ଧରିଥିବା ଝିଅ-ଜୈନ ସନ୍ୟାସିନୀ

୨୦୨୩ ଜାନୁଆରୀ ୧୮,ବୁଧବାର ସୁରଟରେ ଏକ ବିରାଟ ଶୋଭାଯାତ୍ରାରେ ହାତୀ, ଓଟ,ଘୋଡ଼ା ପ୍ରଭୃତି ଅତି ସୁନ୍ଦର ଭାବେ ସଜ୍ଜିତ ହୋଇ ଚାଲୁଥିଲେ,ପ୍ରାୟ ୩୫ହଜାର ଲୋକ ଅଂଶଗ୍ରହଣ କରିଥିବା ଏଇ ଶୋଭାଯାତ୍ରା ସୁରଟ, ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ ଧନେଶ ସିଂଘଭିଙ୍କର ୮ଵର୍ଷର କନ୍ୟା ଦେବାଂଶୀ ଜୈନ ଧର୍ମର ବାଲ ଦୀକ୍ଷା ନେଉଥିବା ଉପଲକ୍ଷେ ଅନୁଷ୍ଠିତ ହେଉଥିଲା । ସୁରଟର ଭେଶୁ ଅଞ୍ଚଳର ଏକ ଜୈନ ମନ୍ଦିରରେ ଏହି ମହୋତ୍ସବର ପରି ସମାପ୍ତି ହୋଇ ଥିଲା, ଯୋଉଠି ଦେବାଂଶୀ ଜୈନାଚାର୍ଯ୍ୟ, ଶ୍ରୀବିଜୟ କିର୍ତ୍ତୀୟାସୁରୀ ମହାରାଜାଙ୍କଠାରୁ ଦୀକ୍ଷା ଗ୍ରହଣ କରି “ସ୍ଵାଧ୍ଵୀ ଦିଗନ୍ତ ପ୍ରଜ୍ଞାଶ୍ରୀଜୀ” ନାମରେ ପରିଚିତା ହେଲେ। ଉଲ୍ଲେଖ ଯୋଗ୍ୟ ଶ୍ରୀ ଧନେଶ ମୋହନ ସିଂଘଭି ୧୯୮୧ରେ ପ୍ରତିଷ୍ଠିତ ସିଂଘଭି ଏଣ୍ଡ ସନ୍ସ, ବିଖ୍ୟାତ ହୀରା ପ୍ରତିଷ୍ଠାନର ମାଲିକ ଯାହାର ସାରା ପୃଥିବୀରେ ଶାଖା ଥିବା ସହିତ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫ବିଲିଅନ ଡଲାର (୫୦୦କୋଟି ଡଲାର) ଏତେ ଧନବାନ ସତ୍ତ୍ୱେ ଧନେଶଙ୍କ ପରିବାରର ଚଳଣୀ ଅତି ସାଧାରଣ ଓ ସରଳ, ସେମାନେ ମଧ୍ୟ ଜୈନ ଧର୍ମାବଲମ୍ବୀ ।ଧନେଶଙ୍କ ପତ୍ନୀ ଓ ସାନଝିଅ କାବ୍ୟା(୫)ଙ୍କ ସହ କ୍ଷୁଦ୍ର ପରିବାର, ବଡ଼ ଝିଅ ଜୈନ ସନ୍ୟାସିନୀ ହେବାରୁ ଧନେଶ ଗର୍ବିତ, ଝିଅ ଏକ ଉଚ୍ଚତର ଆଧ୍ୟାତ୍ମିକ ସୋପାନକୁ ଯାଇଥିବାରୁ, ସେ ପରିବାର ପ୍ରଶଂସନୀୟ ତଥା ଧନ୍ୟବାର୍ଦାହ । ଆଜିକାର ଦୁନିଆରେ ଯେତେ ବେଳେ ସାଧାରଣ ଯୁବକ, ଯୁବତୀ ଶୂନ୍ୟରେ ପଇସା ରୋଜଗାର କରିବାକୁ ଵିଭିନ୍ନ ଅସାଧୁ/ ଅପରାଧିକ ପନ୍ଥା ଅବଲମ୍ବନ କରୁଛନ୍ତି, ସେବେଳରେ ୮ ବର୍ଷିୟା ଦେବାଂଶୀ ବିଶାଳ ସମ୍ପତ୍ତିକୁ ପରିତ୍ୟାଗ କରି କଠିନ ସନ୍ୟାସିନୀର ଜୀବନ ଆଦରି ନେବା କେତେ ବଡ଼ ତ୍ୟାଗ ବା ମହତ୍ କାମ କଳ୍ପନା କରିବା କଷ୍ଟକର ନିଶ୍ଚିତ ! ସେଇ ବୁଧବାରଥିଲା ଦେବାଂଶୀଙ୍କ ପାଇଁ ସକଳ ପ୍ରକାର ଐଶ୍ଵର୍ଯ୍ୟପୂର୍ଣ୍ଣ ଜୀବନର ଶେଷଦିନ, ଚାରି ଦିନ ଧରି ଚାଲିଥିବା ଉତ୍ସବର ଅନ୍ତିମଦିନ ।ସେଦିନ ଦେବାଂଶୀ ଗହଣା, ରଙ୍ଗୀନ ପୋଷାକ ପରିତ୍ୟାଗ କରି ଏକ ସାଧାରଣ ଧଳା ଶାଢ଼ୀ ପରିଧାନ କରିଥିଲେ, ଲଣ୍ଡିତ ମୁଣ୍ଡ ହୋଇଥିଲେ । ପ୍ରକାଶ ଯୋଗ୍ୟ ଜୈନମାନେ ଚପଲ ବ୍ୟବହାର କରନ୍ତି ନାହିଁ, ଦିନରେ ଗୋଟିଏ ଥର ସମ୍ପୂର୍ଣ୍ଣ ନିରାମିଷ ଆହାର କରନ୍ତି, ତା’ପୁଣି ସୂର୍ଯ୍ୟାସ୍ତ ପୂର୍ବରୁ, କାଳେ ଭୁଲରେ ପୋକଯୋକ କିଛି ପାଟିରେ ପଶିଯିବ ସେଇ ଆଶଙ୍କାରେ ସର୍ବଦା ମୁହଁରେ ମାସ୍କ ପିନ୍ଧି ଥାନ୍ତି । ଦୀକ୍ଷା ନେବା ବେଳକୁ ଦେବାଂଶୀ ଜୈନ ସନ୍ୟାସୀ ସନ୍ୟାସିନୀମାନଙ୍କ ସହିତ ୭୦୦ କିମି ପାଦରେ ଚାଲି ସାରି ଥିଲେ, ୩୬୭ ଥର ଜୈନଧର୍ମର ପ୍ରାରମ୍ଭିକ ପ୍ରଚଳନ ଅଭ୍ୟାସ କରି ସାରି ଥିଲେ,ପ୍ରତିଦିନ ୩ ଥର ପ୍ରାର୍ଥନା କରୁଥିଲେ, ତା’ପରେ ଯାଇ ଜୈନଗୁରୁମାନେ ଦେବାଂଶୀଙ୍କୁ ଦୀକ୍ଷା ଗ୍ରହଣ ନିମନ୍ତେ ଅନୁମତି ଦେଇ ଥିଲେ । ତାଙ୍କ ପରିବାରର ଜଣେଘନିଷ୍ଠ ନୀରବ ଶାହଙ୍କ କହିବା କଥା ପିଲାଦିନୁ ଦେବାଂଶୀ ଦୟାଳୁ, ଧର୍ମପରାୟଣା, ସେ କେବେ ଟିଭି/ ସିନେମା ଦେଖନ୍ତି ନାହିଁ, ମଲ୍ କିମ୍ବା ରେଷ୍ଟୁରାଣ୍ଟକୁ ଯାଇ ନାହାଁନ୍ତି, ଅର୍ଥାତ୍ ପିଲାଦିନୁ ତୁଳସୀ ଦୁଇପତ୍ରରୁ ବାସୁ- ଥିଲା ! ଅତିମାତ୍ରାରେ ସ୍ବଛଳ/ ପୁଷ୍କଳ ଐଶ୍ଵର୍ଯ୍ୟପୂର୍ଣ୍ଣ ଜୀବନ, ପରିବାରର ଏତେ ବଡ଼ ବ୍ୟବସାୟର ଉତ୍ତରାଧୀକାରୀତ୍ୱକୁ ପାଦରେ ଆଡେଇଦେଇ କୁଛ୍ର/ ବନ୍ଧୁର ସନ୍ୟାସିନୀର ଜୀବନକୁ ଆପଣେଇ ନେବା ପୂର୍ବଜନ୍ମର ପୂଣ୍ୟଫଳ ନିଶ୍ଚୟ ! ଏପରି ପ୍ରେକ୍ଷୀରେ ଏକ ଫଟୋ ବହୁତ ଭାଇରାଲ ହୋଇଛି, ଯୋଉଥିରେ ଦେବାଂଶୀ ଶେଷଥର ପାଇଁ ରଙ୍ଗୀନ ବହୁମୂଲ୍ୟ ପାରମ୍ପରିକ ପୋଷାକ ପିନ୍ଧି ପିତା ମାତାଙ୍କ ଉପରେ ଶସ୍ୟଦାନା ପକାଉ ଥିବେ, କୃତଜ୍ଞତା ସ୍ବରୂପ, ତାଙ୍କୁ ଜନ୍ମଦେଇ ପିଲାଦିନୁ ଧର୍ମଆଧାରରେ ପାଳନ କରିଥିବାରୁ ଏବଂ ସନ୍ୟାସିନୀ ଦୀକ୍ଷା ଗ୍ରହଣ ସକାଶେ ଅନୁମତି ଦେଇଥିବାରୁ । ପ୍ରଣିଧାନର ବିଷୟ ଭାରତରେ ୨୫୦୦ ବର୍ଷ ତଳେ, ଖ୍ରୀଷ୍ଟଧର୍ମ ପୂର୍ବରୁ ଜନ୍ମନେଇ ଥିବା ଜୈନଧର୍ମର ଭାରତରେ ମାତ୍ର ୫ ମିଲିୟନ ଧର୍ମାବଲମ୍ବୀ ଅଛନ୍ତି, ଯାହା ଭାରତୀୟ ଜନସଂଖ୍ୟାର ୦.୦୪% । କିନ୍ତୁ ଭାରତୀୟ ଜୈନମାନେ ଧର୍ମ ଦୃଷ୍ଟିରୁ ସଂଖ୍ୟାଲଘୁ ହେଲେ ମଧ୍ୟ ସାଧାରଣତଃ ଅତ୍ୟନ୍ତ ଧନଶାଳୀ । ଜୈନ ଧର୍ମରେ କେତେକ ଅତି କଠିନ ପରମ୍ପରା ଓ ଚଳଣୀ ଅଦ୍ୟାବଧି ବଳ ବତ୍ତର ରହିଛି, ଯେମିତି ଏହି ଧର୍ମାବଲମ୍ବୀମାନେ ଧଳାଲୁଗା ପିନ୍ଧନ୍ତି ଓ ସେଇ ଲୁଗାରେ ନିଜର ଲଣ୍ଡିତ ମସ୍ତକକୁ ଘୋଡାଇ ରଖିଥାନ୍ତି । କେବେ ଚପଲ ବ୍ୟବହାର କରନ୍ତି ନାହିଁ ଓ ଗାଧୁଆ ପାଧୁଆ କରନ୍ତି ନାହିଁ । ପ୍ରତ୍ୟହ ମନ୍ଦିର ଯାଆନ୍ତି ଓ ଖାଦ୍ୟ ଖାଇବା ପାଇଁ ସର୍ବଦା ଏକ କାଠର ପାତ୍ର ରଖି ଥାଆନ୍ତି, ସାରା ଜୀବନ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଖାଇ ଥାନ୍ତି, ତା’ମଧ୍ୟ ଦିନରେ ଥରେ, କୌଣସିପ୍ରକାର କସମେଟିକ୍ସ ବ୍ୟବହାର ନିଷେଧ, ଏମିତିକି ଦାନ୍ତଘସା ବ୍ରସ୍ ଓ ସାବୁନ ମଧ୍ୟ,ଏହାର ଅର୍ଥ ମୋହ ମାୟାରୁ ମୁକ୍ତି । ନିରାମିଷ ଖାଦ୍ୟରେ ସୁଦ୍ଧା କୌଣସି ମୂଳଜାତୀୟ ପନିପରିବା ଯେମିତି ମୂଳା, ଗାଜର, ଫୁଲକୋବି ପିଆଜ, ରସୁଣ ଓ ଅଦା ଆଦି ନିଷେଧ, କାରଣ ମୂଳ ଖାଇବା ଅର୍ଥ ଜୀବ ସତ୍ତାକୁ ନଷ୍ଟ କରିଦେବା ଭଳି କଥା । ନିର୍ଦ୍ଦିଷ୍ଟ ମାସରେ ସେମାନେ କେବଳ ସବୁଜ ପରିବା ହିଁ ଖାଇଥାନ୍ତି । ଅଧିକନ୍ତୁ ଜୈନମାନେ ନିଜର ସ୍ଥାୟୀ ବାସଗୃହ ନିର୍ମାଣ କରିବା ମନା ଓ ମୋବାଇଲ, ଇଣ୍ଟରନେଟ ଆଦି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପକରଣ ବ୍ୟବହାର କରିବା ନିଷେଧ,ଏପରିକି ବିଦ୍ୟୁତାଲୋକ ମଧ୍ୟ । ଏପ୍ରକାର କଠିନ ଜୀବନଚର୍ଯ୍ୟାର ଆଜିକାଲି ଘୋର ଵିରୋଧ କରାଯାଉଛି, କାରଣ ଇତିମଧ୍ୟରେ ହାଇଦ୍ରାବାଦ ଓ ଅନ୍ୟାନ୍ୟ ସ୍ଥାନରେ ଏଦିଗରେ ପ୍ରାଣହାନୀ ଭଳି କେତେକ ନକରାତ୍ମକ ଘଟଣା ଘଟି ସାରିଲାଣି ।ତଥାପି ଗୁଜୁରାଟ,ରାଜସ୍ଥାନ ଆଦି ରାଜ୍ୟ ଓ ଅନ୍ୟତ୍ର ଅତି ଧନୀ ପରିବାରରେ ଏଭଳି କେତୋଟି ଜୈନଧର୍ମ ଗ୍ରହଣର ଘଟଣା ଘଟି ସାରିଲାଣି । କିନ୍ତୁ ଦେବାଂଶୀଙ୍କର କମ୍ ଵୟସ-‘୮’ କୁ ନେଇ କିଛିଟା ବିବାଦର ସୁତ୍ରପାତ ହୋଇଥିଲା, ମାତ୍ର ଦେବାଂଶୀ ଯେତେବେଳେ ଦୀକ୍ଷାଗ୍ରହଣ ପରେ ହସ ହସ ମୁହଁରେ ଫଟୋ ପାଇଁ ପୋଜ୍ ଦେଲେ ସବୁ ଆଶଙ୍କା ଓ ବିବାଦ ତୁଟିଗଲା । ଏ ପରିପ୍ରେକ୍ଷୀରେ ଦେବାଂଶୀ ଦୀକ୍ଷା ଗ୍ରହଣ କରିଥିବା ଜୈନ ଧର୍ମର ଶ୍ଵେତାମ୍ବର ମୂର୍ତ୍ତୀପୂଜକ ଗୋଷ୍ଠୀର ବିଶିଷ୍ଟ ଜୈନ ଗୁରୁ ରଶ୍ମୀ ରତ୍ନାସୁରୀ କହିଛନ୍ତି,ଗତ ଦୁଇବର୍ଷ ମଧ୍ୟରେ ସେ ଏପରି ୧୦୦ଜଣ ୨୫ଵର୍ଷରୁ କମଙ୍କୁ ଦୀକ୍ଷା ଦେଇସାରିଛନ୍ତି ଯୋଉଥିରୁ ୭୦ ଜଣ ୧୮ଵର୍ଷରୁ କମ୍ ବର୍ଗର । ଏତେ ଧନୀକ ପରିବାରରୁ ବିଶେଷ କରି, ସୁରଟଭଳି ହୀରା ସହରର ହୀରା ବ୍ୟବସାୟୀ ପରିବାରରୁ ସମସ୍ତ ପ୍ରକାର ଚାକଚକ୍ୟ ଓ ଏକାନ୍ତ ସୁରକ୍ଷିତ ପରିବେଶରୁ ସାଧାରଣ ଭିକ୍ଷା ଉପରେ ନିର୍ଭର କରିବାଭଳି ପରିବେଶକୁ ହସି ହସି ଆଦରିନେବା କେବଳ ଦେବାଂଶୀ ଓ ତାଙ୍କର ପରିବାର ଭଳି ଏକାନ୍ତ ଦୃଢମନା ଓ ବିପରୀତ ପରିସ୍ଥିତିରେ ମଧ୍ୟ ସହାସ୍ୟ,ସଙ୍କଳ୍ପ- ବଦ୍ଧ ପରିବାର ପକ୍ଷରେ ହିଁ କେବଳ ସମ୍ଭବ ।ଅତୀତରେ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ,ରୁବିକ୍ କ୍ୟୁବ୍ନା ମକ ଏକ ଆନ୍ତର୍ଜାତିୟଟୁର୍ଣ୍ଣାମେଣ୍ଟ ସକାଶେ ପ୍ରସ୍ତୁତହେଉଥିବା, ଶ୍ରେଣୀ ଶିକ୍ଷକଙ୍କର ସବୁଠୁ ପ୍ରିୟ ଛାତ୍ରୀ ଦେବାଂଶୀ ମାତ୍ର ୩ୟ କକ୍ଷର ଛାତ୍ରୀ ଥିବାବେଳେ ଏପ୍ରକାର କଠିନ ନିଷ୍ପତ୍ତିର ଅନ୍ତିମ ଲକ୍ଷ ହେଲା ସଂସାର ଚକ୍ରରୁ ମୋକ୍ଷ ବା ମୁକ୍ତି । ୫ଟି ଭାଷାଜ୍ଞାନ ଥିବା ଏକ “ପ୍ରଚଣ୍ଡ ପ୍ରତିଭା”(ଦେବାଂଶୀ)ଙ୍କର ଅକାଳ ମୃତ୍ୟୁ ହୋଇଗଲା ଧର୍ମ ବାହାନାରେ !ନିଜେ ଜୈନ ଧର୍ମାବଲମ୍ବୀ ପିତାମାତା ସିନା ଝିଅର ଆଧ୍ୟାତ୍ମିକ ଉତ୍ତରଣ ହେଲା କହି ଖୁସି ବ୍ୟକ୍ତ କରୁଛନ୍ତି, ମାତ୍ର ଅନ୍ତରର କୋହ,ହୃଦୟତଳର ଦୁଃଖ କାହାକୁ ଦେଖାଇପାରିବେ !ଏଭଳି ନିଷ୍ପତ୍ତି ର ପୁନର୍ବିଚାର କରିବାକୁ ମା’ଙ୍କର ବାରମ୍ବାର ଅନୁରୋଧରୁ ଏକଥାର ଅନୁମାନ କରିହୁଏ, ନିରୋଳାରେ ଯେତେବେଳେ ଘରେ କେହି ନଥିବେ,ଏତେ ବଡ଼ ବିଶାଳ ସମ୍ପତ୍ତି ଛାଡି ବଡ଼ ଝିଅ କୁଆଡେ ଗଲା ବୋଲି ମା’ ମନ ନିଶ୍ଚୟ ଝୁରିଵ,ଗୁମୁରିଗୁମୁରି କାନ୍ଦିଵ ! ଏ ବିଷୟଟି ଆମ ଓଡିଆ ସାହିତ୍ୟର ଟୀକା ଗୋବିନ୍ଦ ଚନ୍ଦ୍ରର କାହାଣୀ ମନେ ପକାଇଦିଏ ।
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯