ପଶ୍ଚିମବଙ୍ଗରୁ ଧାନ ବିହନ କିଣି ଚାଷୀ ହରଡଘଣାରେ : ୧୫୦ ଦିନ ପରେ ବି ବାହାରୁନି କେଣ୍ଡା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଂଚଳରେ ରବିଋତୁ ଅଧିକ ଅମଳକ୍ଷମ ଧାନଚାଷ ପାଇଁ ଚାଷୀମାନେ ଡହଳ ବିକଳ ହୋଇ ଓଡିଶାରୁ ବିହନ ନ ପାଇ ପଶ୍ଚିମବଂଗରୁ କିଣିବାକୁ ବାଧ୍ୟ ହୋଇଥିଲେ । ଅଧିକ ଅମଳ ଆଶାରେ ୪/୫ ଗୁଣା ଅଧିକ ମୂଲ୍ୟରେ ବିହନ କିଣି ଚାଷ କରିଥିବା ବେଳେ ଏବେ ଧାନ କେଣ୍ଡା ବାହାରୁ ନଥିବାରୁ ହିଡ ମୁଣ୍ଡରେ ବସି ବାହୁନି କାନ୍ଦୁଛନ୍ତି । ଅନ୍ୟପକ୍ଷରେ କୃଷି ଅଧିକାରୀମାନେ ତନାଘନା ଚଳାଇଛନ୍ତି । ଗତ ଖରିଫ ଋତୁରେ ଅତ୍ୟଧିକ ବର୍ଷା, ପଶ୍ଚିମବଂଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖାର ଘନ ଘନ ବନ୍ୟା ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲା । ତେଣୁ ଚାଷୀମାନେ ବହୁ କଷ୍ଟରେ ଧାର କରଜ, ଗାଉଁଲି ସୁଧରେ ଅର୍ଥ ଆଣି ରବିଧାନ ଚାଷ ମନ ବଳାଇଥିଲେ । ପ୍ରକାଶଯୋଗ୍ୟ ଗତ ରବିଋତୁରେ ଜଳେଶ୍ୱର ବ୍ଲକରେ ରାଜ୍ୟ ବିହନ ନିଗମ ପକ୍ଷରୁ ଆଦୌ ବିହନ ଯୋଗାଇ ଦିଆଯାଇନଥିଲା । ଫଳରେ ଚାଷୀମାନେ ପଶ୍ଚିମବଂଗ, ଆନ୍ଧ୍ର, ଛତିଶଗଡ ଇତ୍ୟାଦି ରାଜ୍ୟ ଧାନବିହନ ବ୍ୟବସାୟୀଙ୍କ ଏଜେଣ୍ଟ ଠାରୁ ଧାନ ବିହନ କିଣିବାକୁ ବାଧ୍ୟ ହୋଇଥିଲେ । ଓଡିଶା ବିହନ ନିଗମ ଯୋଗାଉଥିବା ବିହନର ମୂଲ୍ୟଠାରୁ ଅନ୍ୟ ରାଜ୍ୟରୁ ଆସୁଥିବା ବିହନର ମୂଲ୍ୟ ୪/୫ ଗୁଣା । ଏପରିକି ଚାଷୀମାନେ ୩ କି.ଗ୍ରା ବିହନରେ ୧ ଏକର ରୋଇବା ଜାଣି କିଲୋଗ୍ରାମ ବିହନକୁ ୧୦୦ ଟଙ୍କାରେ କିଣି ଚାଷ କରିଥିଲେ । ବିଭିନ୍ନ ସ୍ଥାନରେ ଏପରି ବିହନର ସଫଳତା ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବିହନରୁ ତଳି ରୋଆପୋତା ହେବାପରେ ଏବେ କେଣ୍ଡାରୁ ଧାନ ବାହାରୁନଥିବା ଅଭିଯୋଗ ହୋଇଛି । ପଶ୍ଚିମବଂଗରୁ ଏହି ସବୁ ବିହନ ଉତ୍କଟ ମୂଲ୍ୟରେ ଚାଷୀମାନେ କିଣିଥିଲେ । ଏବେ ଗୋବରଘଟା, ଶାଳିକୋଠା ଗାଁର ଏପରି ଘଟଣା ଘଟିଥିବା ଜଣାଯାଇଛି । ‘ଏମ୍‌ପିୟୁ୧୦୧୦’ ବିହନରୁ ଏପରି କେଣ୍ଡା ବାହାରୁନଥିବା ସୂଚନା ମିଳିଛି । ଶାଳିକୋଠାର ଯତିନ୍ଦ୍ର ଭୂୟାଁ, ଗୋବରଘଟାର ପୂର୍ଣ୍ଣଚନ୍ଦ୍ର ବେହେରା ଭଳି କେତେକ ଚାଷୀମାନେ ଏପରି ଅସୁବିଧାର ଶିକାର ହେଉଥିବାରୁ ବାରମ୍ବାର କୃଷି ଅଧିକାରୀଙ୍କ ନିକଟକୁ ଦୌଡୁଛନ୍ତି । ଏ ସମ୍ପର୍କରେ ଗୋଷ୍ଠୀ କୃଷି ଅଧିକାରୀ ସଂଜୟ କୁମାର ରାଉତଙ୍‌ତକ ମତାମତ ଲୋଡିବାରୁ ସେ କହିଲେ ଚାଷୀମାନେ ଅନ୍ୟ ରାଜ୍ୟର ବିହନ ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ମତାମତ ଲୋଡୁ ନାହାନ୍ତି । ଅନ୍ୟ ରାଜ୍ୟରୁ ଆସୁଥିବା ବିହନର ପରୀକ୍ଷଣ ଇତ୍ୟାଦି ସଂପର୍କରେ ବ୍ୟବସ୍ଥା ନ ଥିବାରୁ ପରବର୍ତ୍ତୀ ସମୟରେ ଚାଷୀମାନେ ଦୁଃଖ ଭୋଗୁଛନ୍ତି । ଜଳେଶ୍ୱର ବ୍ଳକର କେତେକ ଚାଷୀମାନେ ଏପରି ଘଟଣାରେ ଶୀକାର ହୋଇଥିବା ତାଙ୍କ ନଜରକୁ ଆସିଛି ଓ ସେ ଉପରିସ୍ଥ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଘଟଣାସ୍ଥଳକୁ କୃଷି ଅଧିକାରୀ ବିରେନ୍ଦ୍ର ମଲ୍ଲିକ ଓ ବଟକୃଷ୍ଣ ବାରିକ ଯାଇ ଘଟଣା ସଂପର୍କରେ ଦୃଷ୍ଟି ରଖିଛନ୍ତି ।

ରିପୋର୍ଟ : ଭୂପତି ପରିଡା