ପଲିଥିନ୍ ବର୍ଜନ ଲାଗି ମୁକାବିଲା, ଅଦରକାରୀ କପଡାରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ବ୍ୟାଗ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଭୁବନେଶ୍ୱର ସମେତ କେତେକ ସହରରେ ପଲିଥିନ୍ ନିଷିଦ୍ଧ ହୋଇଯିବ । ପ୍ରତ୍ୟେକ କିଣାକିଣି ଓ ଅନ୍ୟାନ୍ୟ ଆବଶ୍ୟକତା ଦୃଷ୍ଟିରୁ ଯେଉଁ ଖାଉଟି ଓ ବ୍ୟବସାୟୀମାନେ ପଲିଥିନ୍ ଉପରେ ନିର୍ଭରଶୀଳ ହୋଇଯାଇଥିଲେ, ସେମାନେ ଏବେ ଚିନ୍ତାରେ ।ପଲିଥିନ୍ ମୁଣାର ବିକଳ୍ପକୁ ନେଇ ଚିନ୍ତାରେ ଥିବାବେଳେ ସହରର କେତେକ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀ ଏହାର ଉଚିତ୍ ବିକଳ୍ପ ସୃଷ୍ଟି କରି ପାରିଛନ୍ତି । ସମାଜସେବୀ ସୁଶାନ୍ତ ସାହୁଙ୍କ ଉଦ୍ୟମରେ ଏବଂ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ରଥଦ୍ୱାର ପାଖରେ ଚାନ୍ଦୁଆ ଓ ପତାକା କାରିଗର ଭାବେ ପ୍ରସିଦ୍ଧ ରଘୁନାଥ ମହାରଣାଙ୍କ ହାତରେ ବିଭିନ୍ନ ଡ଼ିଜାଇନର କପଡ଼ା ବ୍ୟାଗ ପ୍ରସ୍ତୁତ ୟୁନିଟ୍ ଆରମ୍ଭ ହୋଇଛି । ବିଭିନ୍ନ ପ୍ରକାର ବ୍ୟବହୃତ ପ୍ୟାଣ୍ଟ, ସାର୍ଟ ଓ ଅନ୍ୟାନ୍ୟ କପଡ଼ାକୁ ଉପଯୋଗ କରି ଏହି ବ୍ୟାଗ ତିଆରି ହେଉଛି । ଯୁବବର୍ଗ, ବୟସ୍କ ଓ ମହିଳାଙ୍କ ବ୍ୟବହାର ଓ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ନୂଆ ନୂଆ ଡ଼ିଜାଇନର ମୁଣା, ହ୍ୟାଣ୍ଡବ୍ୟାଗ ଆଦି ସୁଲଭ ମୂଲ୍ୟରେ ବିକ୍ରି ପାଇଁ ଉପଲବ୍ଧ କରାଯାଉଛି । ଏହି ବ୍ୟାଗ ଗୁଡ଼ିକୁ କେବଳ ସିଲାଇ ମଜୁରୀ ଦେଇ ଜଣେ କିଣି ପାରିବେ ବୋଲି କହିଛନ୍ତି ସାମାଜିକ କର୍ମୀ ସୁଶାନ୍ତ ସାହୁ ।ବଜାରକୁ ଆସବା ପୂର୍ବରୁ ଏହି କପଡ଼ା ବ୍ୟାଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀର ଚିତ୍ର ଅନୁଷ୍ଠାନ ‘ଚିତ୍ରଶାଳା’ର କୁନି ଛାତ୍ରଛାତ୍ରୀମାନଙ୍କୁ ଏହି କପଡ଼ା ବ୍ୟାଗ ପ୍ରଦାନ ପୂର୍ବକ ସଚେତନତା କରାଯାଇଥିଲା । ଗଣେଶ ପୂଜାରୁ ପଲିଥିନ୍ ବ୍ୟବହାର ନ କରିବା ନେଇ ସଂକଳ୍ପ କରିଥିବା ପିଲାମାନେ କପଡ଼ା ବ୍ୟାଗ ପାଇ ଖୁସି ପ୍ରକଟ କରିବା ସହ କହିଥିଲେ ନୋ ପଲିଥିନ୍, ଉଇ ୱିଲ୍ ୟୁଜ୍ ଓନ୍ଲି କଟନ୍ ବ୍ୟାଗ୍ସ ।

ରିପୋର୍ଟ : ଆକାଶ ମିଶ୍ର