ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ : ଗାଇଡ୍‌ଲାଇନ୍ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସଂରକ୍ଷଣ ଅଡ଼ୁଆ ତୁଟାଇବା ପାଇଁ ଆଇନ ସଂଶୋଧନ କଲା ପରେ ଏବେ ଜିଲ୍ଲା ସ୍ତରରେ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯିବ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ପାଇଁ ଆବଶ୍ୟକ ଗାଇଡ୍‌ଲାଇନ୍ ଆଜି ଜାରି କରାଯାଇଛି । ଏ ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ୱାର୍ଡ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତିରେ ଆସନ ସଂରକ୍ଷଣ କରାଯିବ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସିଧାସଳଖ ଜିଲ୍ଲା ପରିଷଦ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ପଞ୍ଚାୟତିରାଜ ବିଭାଗ ସଂରକ୍ଷଣ ସଂକ୍ରାନ୍ତରେ ଚୂଡ଼ାନ୍ତ ରିପୋର୍ଟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ କରିବେ । ତାହା ପରେ ନିର୍ବାଚନ କମିସନ୍ ଭୋଟର୍‌ ତାଲିକା ସଂଶୋଧନ କରିବା ପାଇଁ ପଦକ୍ଷେପ ନେବେ । ଭୋଟର୍‌ ତାଲିକା ଚୂଡ଼ାନ୍ତ ହେଲା ପରେ କମିସନ୍ ଯେ କୌଣସି ମୂହୁର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା କରିବେ । ଏଥର ପଞ୍ଚାୟତ ନିର୍ବାଚନରେ ସୀମା ପୁନଃନିର୍ଦ୍ଧାରଣ ହେବ ନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁଯାୟୀ ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଓ ପଛୁଆ ବର୍ଗ ନାଗରିକ (ବିସିସି)ଙ୍କ ପାଇଁ ମୋଟ୍‌ ସଂରକ୍ଷଣ ୫୦% ଭିତରେ ସୀମିତ ରହିବ । ବିସିସି ପାଇଁ ସଂରକ୍ଷଣ ନିର୍ଦ୍ଦିଷ୍ଟ ନ ଥିବାରୁ ଏହା ପଞ୍ଚାୟତ ଓ ବ୍ଲକ୍‌ ୱାରି ଭିନ୍ନ ଭିନ୍ନ ରହିପାରେ । କିନ୍ତୁ କୌଣସି ପରିସ୍ଥିତିରେ ୨୭%ରୁ ଅଧିକ ହେବ ନାହିଁ । ସେହିପରି ସବୁ ବର୍ଗ ପାଇଁ ସଂରକ୍ଷଣ ସରିଲା ପରେ ତାହାର ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ଗ୍ରାମ/ ଗ୍ରାମପଞ୍ଚାୟତ/ବ୍ଲକ୍/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟି ଲୋକସଂଖ୍ୟାକୁ (୨୦୧୧ ଜନଗଣନା ଅନୁଯାୟୀ) ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ । ଯଦି କୌଣସି ଗ୍ରାମ/ଗ୍ରାମପଞ୍ଚାୟତ/ବ୍ଲକ୍/ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସେମାନଙ୍କ ଲୋକସଂଖ୍ୟା ଯଥେଷ୍ଟ ନୁହେଁ, ତେବେ ସେଠାରେ ଅତି କମ୍‌ରେ ଗୋଟିଏ ଆସନ ଏସ୍‌ସି ଓ ଗୋଟିଏ ଆସନ ଏସ୍‌ଟି ପାଇଁ ସଂରକ୍ଷିତ ରଖାଯିବା ବାଧ୍ୟତାମୂଳକ । ସେହିପରି ସଂରକ୍ଷଣ ବେଳେ ଗତ ୪ଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନେଇ ରୋଟେସନ୍‌ କରିବାକୁ ମଧ୍ୟ କୁହାଯାଇଛି । ଏହି ସଂରକ୍ଷଣ ପ୍ରକ୍ରିୟାକୁ ଅକ୍ଟୋବରରେ ସାରିବାକୁ ଧାର୍ଯ୍ୟ କରାଯାଇଛି । ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ପାଇଁ ଚିଠା ସଂରକ୍ଷଣ ତାଲିକା ଅକ୍ଟୋବର ୮ରେ ପ୍ରକାଶିତ ହେବ । ଲୋକମାନେ ତାଙ୍କର ଆପତ୍ତି ଅଭିଯୋଗ ଅକ୍ଟୋବର ୧୬ ସୁଦ୍ଧା ଜଣାଇବେ । ଗ୍ରାମ ପଞ୍ଚାୟତର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅକ୍ଟୋବର ୨୬ରେ ଓ ପଞ୍ଚାୟତ ସମିତିର ଚୂଡ଼ାନ୍ତ ତାଲିକା ଅକ୍ଟୋବର ୩୦ ସୁଦ୍ଧା ରାଜ୍ୟ ନିର୍ବାଚନ କମିସନଙ୍କୁ ଦିଆଯିବ । ଜିଲ୍ଲା ପରିଷଦର ଚିଠା ସଂରକ୍ଷଣ ତାଲିକା ଅକ୍ଟୋବର ୧୬ରେ ପ୍ରକାଶ ପାଇବ ଓ ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା