ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ୪ ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା ବି କରିଛନ୍ତି । ନ୍ୟାୟ ଭିକ୍ଷା ଆଶାରେ ମହିଳା ଜଣକ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇ ବିଫଳ ହେବା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି । ସ୍ୱାମୀଙ୍କ ସହ କୋର୍ଟ ମ୍ୟାରେଜ କରିବା ପରେ ପ୍ରତାରିତ ହୋଇଛନ୍ତି ମହିଳା ଜଣକ । ଅଭିଯୋଗ ଅନୁସାରେ, ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ । ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁମିତ । କିନ୍ତୁ ଏହାରି ଭିତରେ ମାମଲା କୋର୍ଟକୁ ଯାଇଥିଲା । ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ । ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଶେଷରେ ଆଜି ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସିନଥିଲେ ବର । ଏହାର ପ୍ରତିବାଦ କରି ବୋହୂ ବେଶରେ ଶ୍ୱଶୁର ଘରେ ପହଁଚି ଯାଇଥିଲେ କନ୍ୟା । ଆଜି ବ୍ରହ୍ମପୁରର ଅନେକ ସଙ୍ଘଠନ, ଆଇନଜୀବି, କିନ୍ନର ସଙ୍ଘଠନ ଓ ସାହି ବାସିନ୍ଦା ତପସ୍ୱିନୀଙ୍କ ସପକ୍ଷରେ ଛିଡା ହେବା ଦେଖିବାକୁ ମିଳିଛି l ଆସନ୍ତାକାଲି ଅଦାଲତର ରାୟ ଆସିବା ପରେ ତପସ୍ୱିନୀଙ୍କ ଆଗାମୀ ଆଭିମୁଖ୍ୟ କଣ ରହିବ ତାହା ଜଣାପଡିବ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା