ନୈତିକ, ମୂଲ୍ୟବୋଧ/ଜ୍ଞାନ…

ସାମାଜିକ ସୁପରିଚାଳନା ତଥା ସବୁ ବର୍ଗର ମଣିଷଙ୍କୁ ସମାନ୍ତରାଳ କରି ବଂଚିବା ଶିକ୍ଷା ଦିଆଯିବା ସହିତ ସେମାନଙ୍କ ଜୀବନକୁ ଆନନ୍ଦମୟ କରିବା ଲକ୍ଷ ରଖି କେତେକ ସାର୍ବଜନୀନ ନୀତି ପ୍ରଚଳନ କରାଯିବା ଲକ୍ଷ ରହିଥାଏ ସଭ୍ୟ ମଣିଷ ସମାଜରେ । ସେହି ନୀତି ଗୁଡିକୁ ସମସ୍ତେ ସମାନ ମାନ୍ୟତା ଦେବା ସହିତ ନିଜ ପରିବେଷ୍ଟନୀରେ ସଂଯୋଜିତ କରି ବଂଚିବା ଶିକ୍ଷା କରିଥା’ନ୍ତି । ସେହି ନୀତି ଗୁଡିକୁ ଅନୁକରଣ, ଅନୁସରଣ କରିବା ଏବଂ ତାହାର ମୂଲ୍ୟବୋଧ କରି ନିଜର ନୈତିକ ଜ୍ଞାନ ଜାଗ୍ରତ କରିବା ଜଣେ ସଭ୍ୟ ସମାଜର ସଦସ୍ୟଙ୍କ ସର୍ବାଦୌ କର୍ତ୍ତବ୍ୟ ଅଟେ । ସମାଜରେ ପ୍ରଚଳିତ ନୈତିକତାର ମୂଲ୍ୟବୋଧ କରି ନିଜସ୍ୱ ଜ୍ଞାନ ଆହରଣ ମଣିଷର ବ୍ୟକ୍ତିତ୍ୱ ବୃଦ୍ଧି କରିବା ସହିତ ସାମାଜିକ ସମ୍ମାନ ପ୍ରଦାନ କରିଥାଏ । ନୈତିକ ଜ୍ଞାନ ରହିତ ମଣିଷ ଅନେକ କୁକର୍ମ କରିଥା’ନ୍ତି ଯାହା ସେମାନଙ୍କୁ ପ୍ରତ୍ୟକ୍ଷରେ, ପରୋକ୍ଷରେ ନିମ୍ନଗାମୀ କରିଥାଏ । ଚିରାଚରିତ ନୈତିକ ଜ୍ଞାନ ତଥା ସମାଜର ନୀତି ଗୁଡିକୁ ପ୍ରତ୍ୟାଖ୍ୟାନ କରି ସମୟ ସାପେକ୍ଷ ସ୍ୱାର୍ଥ, ନୀତି ଅବଲମ୍ବନ କରୁଥିବା ମଣିଷ କ୍ଷଣ, କ୍ଷୀଣ ସୁଖ ଲାଭ କରିବାରେ ସମର୍ଥ ହେଉଥିଲେ ମଧ୍ୟ ବାସ୍ତବ ତଥା ପ୍ରାକୃତିକ ଜ୍ଞାନରୁ ବଂଚିତ ହୋଇଥା’ନ୍ତି । ସମୟ ସାପେକ୍ଷ ସ୍ୱାର୍ଥ ନୀତି ଗୁଡିକୁ ପ୍ରତ୍ୟାଖ୍ୟାନ କଲେ ସମାଜରେ ତାଳଦେଇ ବଂଚିବା ଅସମ୍ଭବ ବୋଲି ଏକ ଭ୍ରାନ୍ତିକର ଧାରଣା ମଣିଷର ସାଧାରଣ ଚେତନା ଜ୍ଞାନକୁ ସଂକୁଚିତ କରିଥାଏ । ନିଜସ୍ୱ ସାଧାରଣ ଜ୍ଞାନକୁ ଉପଯୋଗ କରି ନୈତିକ ମୂଲ୍ୟବୋଧ, ଜ୍ଞାନ ଆହରଣ କଲେ ପ୍ରଚଳିତ ସମୟର କେତେକ ବାଧା ବିଘ୍ନକୁ ସାମ୍ନା କରିବାକୁ ପଡିଲେ ମଧ୍ୟ ବାସ୍ତବ, ପ୍ରାକୃତିକ ଆନନ୍ଦ ମିଳିବା ନିଶ୍ଚିତ ଯାହା କେହି କରୁନଥିବା ଦେଖିବାକୁ ମିଳୁଛି ସମସ୍ତଙ୍କ ପାଖରେ । ନୈତିକ ଜ୍ଞାନ ମଣିଷର ଜୀବନ ଯାତ୍ରା ତଥା ଦୈନନ୍ଦିନ ମାନସିକ ସନ୍ତୁଳନକୁ ସ୍ଥିର ରଖିବା ସହିତ ଅନେକ ଅଜ୍ଞାତ କ୍ଳେଷରୁ ମୁକ୍ତି ଦେଇଥାଏ ଯାହା ପ୍ରାୟତଃ କାହାର ଧାରଣାରେ ନଥିବା ଲକ୍ଷ କରାଯାଉ ଅଛି । ନୈତିକତା ମଣିଷକୁ ମଣିଷ ଭଳି ଗଢି ତୋଳିବା ସହିତ ପରିପାଶ୍ୱର୍ିକ ସମ୍ମାନ ତଥା ମାନସିକ ଶାନ୍ତି ପ୍ରଦାନ କରିଥାଏ । ଅନୈତିକ କାର୍ଯ୍ୟ ଦ୍ୱାରା କ୍ଷଣ, କ୍ଷୀଣ ସୁଖ ପ୍ରାପ୍ତି ହୁଏ ଯାହା ନିଶ୍ଚିତ ଭାବେ ପରୋକ୍ଷରେ ଅନେକ ଯନ୍ତ୍ରଣାଦାୟୀ ହୋଇଥାଏ । ସେହି ଯନ୍ତ୍ରଣା ଗୁଡିକୁ ଉପଶମ କରିବା ପାଇଁ ବିଭିନ୍ନ ଉପଚାର ଜ୍ଞାତରେ, ଅଜ୍ଞାତରେ କରିଥାଏ ମଣିଷ ଯାହା ବର୍ଜନୀୟ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ନୈତିକତା କହିଲେ ଭ୍ରଷ୍ଟାଚାର, ମିଥ୍ୟା ଏବଂ କ୍ରୁରତାକୁ ହିଁ ଉପଲବ୍ଧ କରୁଛନ୍ତି ଯାହା କେତେକ ଅଜ୍ଞାନ ସ୍ୱାର୍ଥବାଦୀଙ୍କ ଷଡ଼ଯନ୍ତ୍ରର ପ୍ରତିଫଳନ ଦେଖିବାକୁ ମିଳୁଛି ଆଜିର ଏହି ଅଶାନ୍ତ ପରିବେଶରେ । ପରିବେଶକୁ ଅଶାନ୍ତ କରିବା ସହିତ ସାଧାରଣ ମଣିଷ ମାନଙ୍କୁ ଅସ୍ଥିର, ଅଶାନ୍ତ ମଧ୍ୟରେ ରଖି ସ୍ୱାର୍ଥବାଦୀ, ଭ୍ରଷ୍ଟାଚାରୀ ଯଥେଷ୍ଟ ସ୍ୱାର୍ଥ ହାସଲ କରୁଥିବା ବେଳେ ସାଧାରଣ ମଣିଷ ଗୁଡିକ ସେସବୁକୁ ବୁଝିନପାରି ନିଜକୁ ସମାନ୍ତରାଳ କରି ବଂଚୁଥିବା ଦେଖିବାକୁ ମିଳୁଛି ବିଶ୍ୱବ୍ୟାପୀ । ନୈତିକ ମୂଲ୍ୟବୋଧ ଏକ ବ୍ୟାପ୍ତ ପରିସର ଯାହାକୁ ସଂକ୍ଷିପ୍ତରେ ବୁଝିବା ସହଜ ନୁହେଁ ! ଏବଂ ସେହି ନୈତିକ ମୂଲ୍ୟବୋଧ ଜନିତ ପ୍ରକୃଷ୍ଟ ଜ୍ଞାନ ଅର୍ଜନ କରାଗଲେ ତାକୁ ବ୍ୟବହାର କରି ନିଜ ଜୀବନ ଶୈଳୀକୁ ସରଳ ସୁନ୍ଦର ଶାନ୍ତମୟ କରିବା ଅତ୍ୟନ୍ତ ସହଜ ସାପେକ୍ଷ ହୋଇଥିଲେ ମଧ୍ୟ ପରିବେଷ୍ଟନୀର କ୍ରୁରତା ମଣିଷକୁ ଅହରହ ଅଶାନ୍ତ କରି ରଖିବାରେ ଯଥେଷ୍ଟ ବ୍ୟବହାର କରାଯାଉ ଅଛି । ତେଣୁ ସାଧାରଣ ମଣିଷ ପ୍ରଚଳିତ ସମୟର ଭାବଧାରା ଠାରୁ ନିଜକୁ ଦୁରେଇ ରଖି ନୈତିକ ଜ୍ଞାନ ଆହରଣ କରି ନିଜ ଜୀବନକୁ ସାର୍ଥକ କରିବା ଲକ୍ଷ ରଖିବା ବିଧେୟ । ଉପସ୍ଥିତ ସମୟର ଅସ୍ଥିରତା ତଥା ସାମାଜିକ ନୀତି ଗୁଡିକ ବ୍ୟାପକ ଭାବେ କୃତ୍ରିମ / ଛନ୍ଦ ଭରା ହୋଇଥିବା ବେଳେ ମାନବିକ / ନୈତିକ ଜ୍ଞାନଠାରୁ ଯଥେଷ୍ଟ ଦୂରରେ ରହିଥିବା ଆଜିର ମଣିଷ ସମୂହ ନିଜକୁ ସ୍ଥିର କରି ରଖିବା ଶିକ୍ଷା ଦିଗରେ ବ୍ରତୀ ହୋଇ ପାରିଲେ କ୍ରୁର ସ୍ୱାର୍ଥନ୍ୱେଷେୀଙ୍କ ଷଡ଼ଯନ୍ତ୍ର ପଣ୍ଡ ହୋଇ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ । ସାଧାରଣ ମଣିଷ ଗୁଡିକ ପ୍ରଚଳିତ ସମୟ ସ୍ରୋତରୁ ନିଜକୁ ଦୁରେଇ ରଖି ନିଜସ୍ୱ ଅନ୍ତର୍ଜ୍ଞାନ ସୃଷ୍ଟି କରିବା ତଥା ଅନ୍ୟର ପ୍ରରୋଚନାରେ ନିଜକୁ ସମାନ୍ତରାଳ ନକରି କେବଳ ସତ୍ୟର ଅନୁସନ୍ଧାନ କରିବା ନିହାତି ଆବଶ୍ୟକ । ସାମାଜିକ ନୈତିକତାର ମୂଲ୍ୟବୋଧ କାହାର ଅନୁଗ୍ରହୀ ହେଉନଥିବା ବେଳେ ନୈତିକ ଜ୍ଞାନ ବିଷୟରେ ଅବଗତ ମଣିଷଙ୍କ ସଂଖ୍ୟା ୧ରୁ କମ ଦେଖିବାକୁ ମିଳିବେ ଅନୁଧ୍ୟାନ କଲେ । ତେଣୁ ଆଜିର ଏହି ସମାଜରେ ଅନୀତି ଗୁଡି଼କୁହିଁ ନୀତି ବୋଲି ବିଚାରୁଥିବା ମଣିଷଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ! ସାମାଜିକ ଭ୍ରଷ୍ଟାଚାର, ଅନୈତିକ କାର୍ଯ୍ୟ ନକଲେ ବଂଚିବା କଷ୍ଟ ବୋଲି ସୃଷ୍ଟି ହେଉଥିବା ମାନସିକ ବିଚାର ଏକ ଦର୍ପଣର ପ୍ରତିବିମ୍ବ ସ୍ୱରୂପ ଦେଖୁଛନ୍ତି ସମସ୍ତେ ! ବାସ୍ତବ ନୈତିକତା ମଣିଷକୁ ଯେତିକି ଆନନ୍ଦରେ ବଂଚିବା ଶିକ୍ଷା ଦେଇପାରିବ, ଆଜିର ଏହି କୃତ୍ରିମ ଅନୀତି ଗୁଡିକ ସେହି ବାସ୍ତବ ସୁଖ ଦେଇ ପାରିବ ନାହିଁ । ମଣିଷ ନିଜର ଜୀବନ ଚର୍ଯ୍ୟା ବିଷୟରେ ଅବଗତ ହୋଇ ମାନବିକ ନୀତି ଗୁଡିକୁ ଆପଣେଇ ନିଜ ପରିବାର ତଥା ରାଷ୍ଟ୍ରର ଉନ୍ନତି କରି ପାରିବ । ଅନୈତିକ ବିଚାର, ବ୍ୟକ୍ତିଗତ ପ୍ରତାରଣା ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅବନତି ପର୍ଯ୍ୟନ୍ତ ପ୍ରକୋପ ବିସ୍ତାର କରିଥାଏ । ତେଣୁ ସାମାଜିକ ସାର୍ବଜନୀନ କ୍ଷେତ୍ର ଗୁଡିକରେ ନୈତିକତା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ଭାରତୀୟ ସଂସ୍କାର, ସଂସ୍କୃତି ରହିତ ବ୍ରିଟିଶ ସମ୍ବିଧାନରେ ପ୍ରକୃତ ନୈତିକତା ପ୍ରଚଳନ କରିବା ଯଥେଷ୍ଟ କଷ୍ଟକର ବ୍ୟାପାର । ଆମ ଦେଶରେ ଅଦ୍ୟାବଧି ପ୍ରଚଳିତ ବ୍ରିଟିଶ ସାମ୍ବିଧାନିକ ନୀତି ଗୁଡିକରେ କୌଣସି ଭାରତୀୟ ବିଚାରଧାରା ନଥାଇ କେବଳ ମିଥ୍ୟା, ଭ୍ରଷ୍ଟାଚାର ଗୁଡିଏ ଯଥେଷ୍ଟ ମାତ୍ରାରେ ଦେଖିବାକୁ ମିଳିବ । ଏକ ସ୍ୱାର୍ଥନ୍ୱେଷୀ ସମାଜ ପ୍ରସ୍ତୁତ ପୂର୍ବକ ଶାସକ-ଶାସିତ ସମାଜ ଗଠନ ଦିଗରେ ବ୍ରତୀ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥା ହେତୁ ଭାରତୀୟ ନୈତିକତା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଲାଣି । ଆସନ୍ତା ସମୟରେ ଆମର ପର ପିଢ଼ି ନୈତିକତା କହିଲେ କେବଳ ସାମାଜିକ ଭ୍ରଷ୍ଟାଚାର, ଅନ୍ୟାୟ, କ୍ରୁରତାକୁ ହିଁ ବୁଝିବା ଛଡା ଶାନ୍ତ ସରଳ ମନୋଭାବ ପୋଷଣ କରିବା ଅସମ୍ଭବ ହେବ । ନିଜ ସହିତ ଅନ୍ୟ କାହାକୁ କୌଣସି ପ୍ରକାର କଷ୍ଟ ନଦେବା ହେଉଛି ଭାରତୀୟ ନୈତିକତା । ମିଷ୍ଟଭାଷୀ ବ୍ୟବହାର ସହିତ ଭ୍ରାତୃଭାବ ସୃଷ୍ଟି କରିବା ତଥା ରାଷ୍ଟ୍ରର ଅଗ୍ରଗତି ଦିଗରେ ନିଜକୁ ପ୍ରେରିତ କରିବା ମଧ୍ୟରେ ପର୍ଯ୍ୟବେସିତ ଭାରତୀୟ ନୈତିକତାର ସୀମା ନାହିଁ । ଭାରତୀୟ ନୈତିକ ବିଚାର ଗୁଡିକ ଅସୀମ ଯେଉଁଥିରେ ମଣିଷକୁ ମଣିଷ ଭଳି ଗଢି ତୋଳିବାର ଲକ୍ଷ ଧାର୍ଯ୍ୟ କରାଯାଇ ଥିଲା । ବୈଦେଶିକ ବିଚାର ଏବଂ ସେମାନଙ୍କ ଅସ୍ଥିର ଭାବ ଆମ ଦେଶର ନୈତିକତାକୁ ନଷ୍ଟ କରି ଏକ ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ କେବଳ ସାମ୍ବିଧାନିକ ଅନାଇ ଗୁଡିକ ଯଥେଷ୍ଟ ଦାୟୀ ହୋଇପାରେ । ସମ୍ବିଧାନ ଆଇନ ବହିର୍ଭୁତ ଭାରତୀୟ ନୈତିକ ସମ୍ମତ କୌଣସି କାର୍ଯ୍ୟଧାରା ତଥା ମାନବୀୟ ବିଚାରଧାରା ଉପରେ କାହାର କୌଣସି ଜ୍ଞାନ, ଆଗ୍ରହ ନଥିବା ଦେଖିବାକୁ ମିଳିବ ଅନୁଧ୍ୟାନ କଲେ । ତେଣୁ ଆମ ଦେଶରେ ଉପସ୍ଥିତ ସମୟରେ ଅନୈତିକତାରେ ଭରପୁର ମଣିଷ ଚରିତ୍ର ଗୁଡିକ ଯଥେଷ୍ଟ ମାତ୍ରାରେ ଦେଖିବାକୁ ମିଳୁଛନ୍ତି । ଆଉ ସେହି ଅନୈତିକ ବିଚାର ଜନିତ ସାମାଜିକ ଭ୍ରଷ୍ଟାଚାର ଗୁଡିକୁ ସମସ୍ତେ ନୀତି ବୋଲି ବିଚାର କରୁଥିବା ଦେଖିବାକୁ ମିଳୁଛି । ଅଧିକନ୍ତୁ ସାଧାରଣ ଭାରତୀୟ ସେହି ଅନୈତିକ ମନୋଭାବ ଗୁଡିକୁ ବର୍ଜନୀୟ ବୋଲି ବିଚାର ରଖି ମଧ୍ୟ ସବୁବେଳେ ଅନୀତି କରୁଥିବା ପଛର ରହସ୍ୟ କିଛି ଭିନ୍ନ । ସେମାନେ ଭାବୁଛନ୍ତି ଯେ ଅନୀତି ନକଲେ ଆଜି ସମୟରେ ସମାଜରେ ବଂଚିବା କଷ୍ଟକର ହୋଇପଡିବ ଯାହା ଏକ ଭ୍ରାନ୍ତିକର ଭାବନା ମାତ୍ର ! କାରଣ କୌଣସି ଅନୀତି ନକରିବା ଦ୍ୱାରା ମଣିଷ ବାସ୍ତବିକ ସୁଖ ପ୍ରାପ୍ତ ହୋଇପାରିବ ଯାହା ତାକୁ କୌଣସି ସାମାଜିକ ବାଧା ବିଘ୍ନରୁ ଯଥେଷ୍ଟ ଦୂରରେ ରଖି ପାରିବ । କିନ୍ତୁ ସେହି ବିଶ୍ୱାସ ଜାଗ୍ରତ ହୋଇ ପାରୁନାହିଁ ସାଧାରଣ ଲୋକଙ୍କ ମନରେ । କାରଣ ଅନୈତିକ ଭାବପ୍ରବଣ କ୍ରୁର ଦମନକାରୀ ଅସଭ୍ୟ ମଣିଷ ଗୁଡିକ ସାମାଜିକ ପରିସ୍ଥିତିକୁ ସେହିଭଳି ପରିଚାଳିତ କରିବାରେ ସବୁବେଳେ ନିମଗ୍ନ ବିଭୋର ! କିନ୍ତୁ ସାଧାରଣ ମଣିଷ ସେମାନଙ୍କ ପ୍ରଚଳିତ କୁହେଳିକାରୁ ନିଜକୁ ଦୁରେଇ ରଖି ପାରିଲେ ନିଶ୍ଚିତ ଯେ ନିଜ ଜୀବନ ସରଳ ସୁନ୍ଦର ହୋଇ ପାରିବ ସେଇଥିରେ ତିଳେ ହେଲେ ସନ୍ଦେହ ନଥିବା ଆମ ବିଚାରରେ ଆପଣଙ୍କ ଅନୁଭୂତି କ’ଣ…..? 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ.