ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ : ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର

ଭୁବନେଶ୍ଵର (ସମୃଦ୍ଧଓଡିଶା) ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଚତୁର୍ଥ ସନ୍ଧ୍ୟା ମଙ୍ଗଳବାର ସଂଗୀତର ମୂର୍ଚ୍ଛନା ସନ୍ଧ୍ୟାରେ ଭାଷା ହିଁ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ରହିଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ହସ୍ତଶିଳ୍ପ ବୟନ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟିକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ଅବଦାନ ରଖିଥିବା ବିଶିଷ୍ଠ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଦେବାଶିଷ ମହାପାତ୍ର, ଗୀତା ଦାଶ ଘନଶ୍ୟାମ ମହାପାତ୍ର, ସବ୍ୟସାଚୀ ମହାପାତ୍ର, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ମିଶ୍ର, ବିଭୁ ଦାସ, ଗଦାଧର ପୁଟ୍ଟି, ତାନସେନ୍‌ ସିଂ, ହରିପ୍ରସାଦ ଚୌରାସିଆ, ଗୀତା ପଟ୍ଟନାୟକ, ଅଲେଖ ବିଶ୍ୱାଳ, ଶୀର୍ଷାନନ୍ଦ କାନୁନଗୋ, ଦେବଦାସ ଛୋଟରାୟ, ସୁବାସ ଦାଶ, ଦିଲ୍ଲୀପ ରାୟ, ସୁରେନ୍ଦ୍ର ସାହୁ, ସୌଦାମିନୀ ମିଶ୍ର, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବସନ୍ତ ସାହୁଙ୍କୁ ସମ୍ମାନିତ କରିଥିଲେ ଅଧ୍ୟକ୍ଷ ପାଣ୍ଡିଆନ୍। ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ତାଙ୍କ ସାଥୀ କଳାକାରଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ଓଡ଼ିଶୀର ଉଚ୍ଚକୋଟୀର ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା। ଶିଳ୍ପୀଙ୍କ ପ୍ରଦର୍ଶନର ଓଡ଼ିଶାର ଇତିହାସ ଠୁ ନେଇ ରୂପାନ୍ତରଣର ଓଡ଼ିଶା ଦେଖିବାକୁ ମିଳିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଜଗନ୍ନାଥଙ୍କ ଭଜନରୁ ତାଙ୍କ ପରିବେଷଣ ଆରମ୍ଭ କରିଥିଲେ। ଏହା ପରେ ଓ ସାଥିୟା…, ମୌଲା ମେରେ ଭଳି ଗୀତ ଗାଇଥିଲେ। ସେହିପରି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ ମଜାଳିଆ ଢଙ୍ଗରେ ଭାଷାକୁ ନେଇ ବେଶ୍ ରୋଚକ କଥା କହିଥିଲେ। ଓଡ଼ିଶାର ବିଭିନ୍ନ ଭାଷାକୁ ସେ ଦର୍ଶକଙ୍କ ପାଖେ କହିଥିଲେ । ଭାଷା ହିଁ ଭବିଷ୍ୟତ ବୋଲି ତାଙ୍କ କଥାରେ ସେ ପ୍ରତିପାଦିତ କରିଥିଲେ। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ବୁଢ଼ାବୁଢ଼ୀ ନାଟକ। ନାଟକ ମାଧ୍ୟମରେ ମାତୃଭାଷାକୁ ନେଇ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା। ସମୟ କେତେବେଳେ ବର୍ଣ୍ଣ ପରିବର୍ତନ କରିଦିଏ କେହି ଜାଣି ପାରନ୍ତନି। ମଣିଷ କେତେ ପଢ଼ିଛି ତାର ପ୍ରମାଣ ପତ୍ରରୁ ଜଣା ପଡ଼ିଥାଏ। କିନ୍ତୁ ସେ କେତେ ଶିଖିପାରିଛି ତାର ସଂସ୍କାରରୁ ଜଣାପଡ଼େ। ବୁଢ଼ା ବୁଢ଼ୀ ଯେତେ ଝଗଡ଼ା ହେଲେ ବି ଦୁହେଁ ଦୁହିଁକୁ ଭଲ ପାଆନ୍ତି। ଜୀବନର ପରିଣତ ବୟସରେ ସେମାନେ ଓଡ଼ିଶାର ସବୁ ଜିଲ୍ଲା ବୁଲିବାକୁ ଯାଆନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଓଡ଼ିଶାର ସବୁ ଜିଲ୍ଲା ଅଭିମୁଖେ ବାହାରନ୍ତି। ସବୁ ଜିଲ୍ଲାର ମହିମା, ଚାଲି ଚଳଣି, ଖାଦ୍ୟ- ପିଠା ପଣା ଓ ସବୁ ଜିଲ୍ଲାର ଭାଷା ମଧ୍ୟ ଜାଣନ୍ତି। ଓଡ଼ିଶାରେ କେତେ ସୁନ୍ଦର ଭାଷା ଓ ତାର କହିବା ଶୈଳୀକୁ ଶୁଣନ୍ତି ଓ ଶିଖନ୍ତି ମଧ୍ୟ। ସତରେ ଆମ ଓଡ଼ିଶାର ଓଡ଼ିଆ ଭାଷା କେତେ ମଧୁର। ନାଟକ ବାର୍ତ୍ତା ଦିଏ ଯେ “ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ”। “ଭାଷା ହିଁ ଭବିଷ୍ୟତ”। ଉଚ୍ଚ ହେବା ପାଇଁ କର ଯେତେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା”। ଏହି ନାଟକର ଅଭିନୟରେ ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର, ଅନ୍ତର୍ଯ୍ୟାମୀ ପଣ୍ଡା, ବ୍ରଜ ସିଂହ, ଦେବୁ ବ୍ରହ୍ମା, ହାଡୁ, ଟୁକୁନା, ସ୍ମୃତି, ଚିରଞ୍ଜିବ, ଐଶ୍ୱର୍ଯ୍ୟା ପ୍ରମୁଖ ଅଭିନୟ କରିଛନ୍ତି। ସଂଧ୍ୟାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର