ନିଷ୍ଟ କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ନିକଟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ବ୍ୟାଙ୍କଶାଖା ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଥିବା ବେଳେ ଫିନୋ ପେମେଣ୍ଟସ ବ୍ୟାଙ୍କ ଏହି ଜିଲ୍ଲାରେ ଆଗେଇ ଆସିଛି । ବ୍ରହ୍ମପୁର ନିକଟସ୍ଥ ନିଷ୍ଟ କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇ ଯାଇଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ଫିନୋ ପେମେଣ୍ଟସ ବ୍ୟାଙ୍କର କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ କଲେଜ ଭ୍ରମଣ କରି  ବିଦ୍ୟାର୍ଥୀମାନଙ୍କୁ ବ୍ୟାଙ୍କର ଆଭିମୁଖ୍ୟ ସମ୍ପର୍କରେ ସଚେତନତା କରାଇବା ସହ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟ୍ୟମରେ ଦକ୍ଷତା ଚୟନ କରୁଛନ୍ତି । ଏହି ପ୍ରକ୍ରିୟା ତଥା ଏହି ନିଯୁକ୍ତି ମେଳା ପ୍ରେସିଡେନ୍ସି କଲେଜରୁ ଗତ ଶନିବାର ଠାରୁ ଆରମ୍ଭ କରାଯାଇଛି । ଏହି ଅଭିନବ ପ୍ରକ୍ରିୟାକୁ ବିଦ୍ୟାର୍ଥୀ ଓ ଅଧ୍ୟାପକ ମାନେ ଭୁୟସୀ ପ୍ରଶଂସା କରିବା ସହ ବ୍ୟାଙ୍କ କର୍ମଚାରୀମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉ ଥିବା ଦେଖିବାକୁ ମିଳୁଛି । ଏହି ବ୍ୟାଙ୍କ ଚଳିତ ବର୍ଷ ୨୨ଟି ବ୍ଲକରେ ୨୨ଟି ବ୍ୟାଙ୍କ ଶାଖା ଖୋଲିବା ପାଇଁ ନିଷ୍ପତି ନେଇ ଥିବା ବେଳେ ୮୧୧ଟି ବିଭିନ୍ନ ପଦବୀ ସୃଷ୍ଟି କରି ନିଯୁକ୍ତି ଦେବାପାଇଁ ସ୍ଥିର କରିଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ଠାରୁ ଜଣା ପଡିଛି । ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନିଯୁକ୍ତି ମେଳା ତଥା ଦକ୍ଷତା ଚୟନ କରାଯାଉଛି । ତେବେ ଏହି ନିଯୁକ୍ତି ମେଳାରେ ଫିନୋ ପେମେଣ୍ଟସ ବ୍ୟାଙ୍କର ଚାରି ଜଣ ମାନବ ସମ୍ବଳ ଅଧିକାରୀ ଶ୍ରୀ ରବି କୁମାର ବିଶ୍ୱକର୍ମା, ଶ୍ରୀ ରିଙ୍କୁ ପାତ୍ର ଡୋକି, ଶ୍ରୀ ଜ୍ଞାନ ରଞ୍ଜନ ସାହୁ ଏବଂ ଶ୍ରୀ ସୁମିତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ୧୫୦ଜଣ ଛାତ୍ର ଛାତ୍ରୀଙ୍କ ସାକ୍ଷାତକାର ନେଇଥିଲେ । ନିଯୁକ୍ତି ପାଇବା ଆଶାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତି ଏହି ଅଭିଯାନ ଜାରି ରହିବା ସହିତ ସମସ୍ତ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ଏହି ଭଳି କ୍ୟାମ୍ପସ ବିଭିନ୍ନ ଅନୁଷ୍ଠାନରେ ଚାଲୁ ରହିବ ବୋଲି ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ମାନେ ମତ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ନିକଟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ । ଏହି ବ୍ୟାଙ୍କ ନିଶ୍ଚିତ ଆଗେଇବ ବୋଲି ଅନୁମାନ କରାଯାଉଛି । ନିଷ୍ଟ କଲେଜର ମୁଖ୍ୟ ପ୍ଲେସମେଣ୍ଟ ଅଫିସର ଡଃ ଭାନୁପ୍ରସାଦ ବେହେରା ଓ ପ୍ଲେସମେଣ୍ଟ ଅଫିସର ଶ୍ରୀ ଜଗନମୋହନ ମହାପାତ୍ର ସହଯୋଗ କରିଥିଲେ ।  

ରିପୋର୍ଟ୍: ଆଶୁତୋଷ ପଟ୍ଟନାୟକ