ନରାଜଠାରେ ମୃତ ଛାତ୍ରର ଜଳେଶ୍ୱରରେ ଅନ୍ତିମ ସଂସ୍କାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ହୋଲିର ମାହୋଲ ଚାଲିଥିବା ବେଳେ ଭୁବନେଶ୍ୱରର ଓଡିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କେତେକ ଛାତ୍ର ମହାନଦୀର ନରାଜ ଠାରେ ଖୁସି ମନାଇବାକୁ ଯାଇଥିବା ବେଳେ ଭାଗ୍ୟର ବିଡମ୍ବନାରୁ ୨ଜଣଙ୍କ ମୃତ୍ୟୁ ଘଟିଛି । ସେଥିରେ ଜଳେଶ୍ୱରର ବଡବଜାରର ଗୋପାଳ ଚନ୍ଦ୍ର ସାହୁଙ୍କ ୧୯ ବର୍ଷର ପୁଅ ଶାଶ୍ୱତ ସାହୁ ଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ, ଭୁବନେଶ୍ୱର ସ୍ଥିତ ଓଡିଏମ୍ ଅନୁଷ୍ଠାନର କେତେକ ଛାତ୍ର ହୋଲି ଉପଲକ୍ଷେ ନରାଜ ନିକଟକୁ ଯାଇଥିଲେ । ସ୍ନାନବେଳେ ଚୋରା ବାଲିରେ ଗୋଡ ଲାଖିଯିବାରୁ ସେମାନେ ଯାଇପାରି ନ ଥିଲେ । ଫଡଳରେ ୫ଜଣ ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ । ଭାସି ଯାଇଥିବା ଛାତ୍ରମାନେ ଅନ୍ୟତ୍ର କୂଳରେ ଲାଗି ଯାଇଥିବାରୁ ଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ । କିନ୍ତୁ ପାଣିରେ ପହଁରି ପାରୁନଥିବା ୨ଜଣ ବୁଡିଯାଇଥିଲେ । ଗତ ୯ତାରିଖ ମଙ୍ଗଳବାର ଦିନ ୧୧ଟା ସମୟରେ ଏପରି ଏକ ଦୁର୍ଘଟଣା ଘଟିଥିବା ବେଳେ ସେମାନଙ୍କ ସାଥିରେ ଯାଇଥିବା ଅନ୍ୟ ଛାତ୍ରମାନଙ୍କ କାନ୍ଦ ଶୁଣି ନିକଟରେ ବଣଭୋଜି କରୁଥିବା ଅନ୍ୟ ଲୋକେ ଆସି ଘଟଣା ସଂପର୍କରେ ଜାଣିଥିଲେ । କଟକର ଏନ୍‌ଡିଆର୍‌ଏଫ ଟିମ୍ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ । ବୁଡାଳୀମାନେ ଦୀର୍ଘ ସମୟ ଖୋଜାଖୋଜି ପରେ ସଂଧ୍ୟା ୫ଟାରେ ଶାଶ୍ୱତର ମୃତ ଶରୀର ଉଦ୍ଧାର କରିଥିଲେ । ପରେ କଟକ ବଡ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା । ଆଜି ସକାଳେ ମୃତ ଶରୀର ଜଳେଶ୍ୱରରେ ପହଞ୍ଚିବା ପରେ ଓ ସେ ଗୋପାଳ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ହୋଇଥିବାରୁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବରିଷ୍ଠ ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, ଇଂ ରାମଚନ୍ଦ୍ର ସାହୁ, ଯୁବନେତା ପ୍ରତୀପ କୁମାର ପ୍ରଧାନ, ଡ. ଅଜିତ୍ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ପ୍ରବୀର କୁମାର ପ୍ରଧାନ, ତରଣୀ କୁମାର ଭୂୟାଁ, ମଧୁଛନ୍ଦା ମହାନ୍ତି, ଅର୍ଚ୍ଚନା ଗିରି, ମଧୁସୂଦନ ସେନାପତି, ଦୁଲାଲ ଦାସ, ଭୂପତି ଭୋଇ, ପାର୍ଥସାରଥି କର, ନନ୍ଦନ ଦତ୍ତ, ନିଶିକାନ୍ତ କର, ଅରକ୍ଷିତ ସାହୁ, ମଧୁସୂଦନ ଦତ୍ତ ଶେଷ ଦର୍ଶନ କରିଥିଲେ । ଶେଷରେ ଗୋପାଳଙ୍କ ଭାଇ ଗୋବିନ୍ଦଙ୍କ ଏକମାତ୍ର ପୁତ୍ର ଶାତ୍ୱତ ସୁବର୍ଣ୍ଣରେଖା ନଦୀକୂଳ ଶେଖସରାଇଠାରେ ମୁଖାଗି୍ନ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା