ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା

ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା

ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ୧୯ ତାରିଖ ଦିନ ଅମଲାମାନେ ‘ନବୀନ ନିବାସ ଚାଲ’ ଡାକରା ଦେଇଛନ୍ତି। ୧୯ ତାରିଖରେ ୪ ହଜାରରୁ ଊର୍ଦ୍ଧ୍ୱ ଅମଲା ଏକ ବିଶାଳ ପଟୁଆରରେ ନବୀନ ନିବାସ ଯାଇ ସେମାନଙ୍କ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଅମଲା ସଂଘ ସାଧାରଣ ସଂପାଦକ ସୁଧାଂଶୁ ପାତ୍ର ଏବଂ ସେକ୍ସନ ଅଫିସର ସଂଘ ସଂଗଠନ ସଂପାଦକ ଶିଶିର କୁମାର ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦୀର୍ଘ ୩୦ଦିନ ଧରି ନ’ତାଲା ଅମଲାମାନଙ୍କ କଲମଛାଡ଼ ଆନ୍ଦୋଳନ ଫଳରେ ସଂପୂର୍ଣ୍ଣ ନ’ତାଲା ଠପ୍‌ ହୋଇଯାଇଛି। ଏହାକୁ ନେଇ ରାଜନୀତି ଆରମ୍ଭ ହେବା ଓ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବା ପରେ ମୁଖ୍ୟ ଶାସନ ସଚିବ ଗତ ୪ ତାରିଖରେ ଆଲୋଚନା ପାଇଁ ଅମଲା ସଂଘକୁ ଡାକିଥିଲେ। ମାତ୍ର ଏହି ଆଲୋଚନା ସଫଳ ହୋଇନଥିଲା। ସୂଚନାଯୋଗ୍ୟ, କ୍ୟାଡର୍‌ ପୁନର୍ବିନ୍ୟାସ ନଥିଟିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ ମଧ୍ୟ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର କିଛି ବରିଷ୍ଠ ଅଧିକାରୀ ସେମାନଙ୍କ ଦାବି ପୂରଣ ଦିଗରେ ପ୍ରତିବନ୍ଧକ ସାଜୁଛନ୍ତି। ଅମଲାମାନଙ୍କ ଆନ୍ଦୋଳନ ସମଗ୍ର ରାଜ୍ୟକୁ ବ୍ୟାପୁଥିବାରୁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟକ୍ରମ ଏକପ୍ରକାର ବନ୍ଦ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ କ୍ୟାଡର୍‌ ପୁନର୍ଗଠନ ନିଷ୍ପତ୍ତିକୁ ଦିଗଭ୍ରଷ୍ଟ କରିବା ପାଇଁ କିଛି ଉଚ୍ଚ ଅଧିକାରୀମାନେ ନାନା ମିଥ୍ୟାର ସହାୟତା ନେଉଛନ୍ତି ବୋଲି ଅମଲାମାନେ ଅଭିଯୋଗ କରି ଆସୁଛନ୍ତି। ଅପରପକ୍ଷେ, କମ୍‌ ଦରମା, ଠିକା ନିଯୁକ୍ତି ଏବଂ ବିଳମ୍ବରେ ପଦୋନ୍ନତି ମିଳୁଥିବାରୁ ବର୍ତ୍ତମାନ ବିଭାଗୀୟ ମୁଖ୍ୟ ଦପ୍ତରରେ ୮୦୦ ସିନିୟର ଆସିଷ୍ଟାଣ୍ଟ ପଦବି ଫାଙ୍କା ପଡ଼ିଛି। ୨୦୦୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା) ଓ ରାଜ୍ୟ ସଚିବାଳୟରେ କାମ କରୁଥିବା କର୍ମଚାରୀଙ୍କ ଦରମା ସମାନ ଥିଲା। କିନ୍ତୁ ରାଜ୍ୟ ସରକାର ୨୦୦୮ ମସିହାରେ ଓଡ଼ିଶା ସେକ୍ରେଟାରିଏଟ, ଗଭର୍ଣ୍ଣର ସେକ୍ରେଟାରିଏଟ, ଆଡଭୋକେଟ୍‌ ଜେନେରାଲ ଅଫିସ, ଓଡ଼ିଶା ହାଇକୋର୍ଟ ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟକୁ ମିଶାଇ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବି ସୃଷ୍ଟି କଲେ। ମାତ୍ର ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା) ପାଇଁ ଏଏସ୍‌ଓ ପଦବି ସୃଷ୍ଟି କରାଗଲା ନାହିଁ। ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା)ରେ କାର୍ଯ୍ୟ କରୁଥିବା ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟମାନଙ୍କ ପ୍ରତି ପକ୍ଷପାତିତା କରାଗଲା। ଏହା ଫଳରେ ସେମାନଙ୍କୁ ଏଏସ୍‌ଓର ମାନ୍ୟତା ଦେବା ପାଇଁ ନ’ତାଲାର ଏହି ଅମଲାମାନେ ୨୦୦୮ ମସିହାରୁ ଆଜି ଯାଏ ଆନ୍ଦୋଳନ କରିଆସୁଛନ୍ତି।