ଧାର୍ଯ୍ୟ ସମୟରେ ଧାନ କିଣିବା ସହ ଏଫଏକ୍ୟୁ ମାନ କୋହଳ ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ଓ ଖଲ୍ଲିକୋଟ ବ୍ଲକର ସାବୁଳିଆ ପଞ୍ଚାୟତର ଶତାଧିକ ଚାଷୀ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଡ଼ିସେମ୍ବର ୨୯ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବହୁ ଅନିଶ୍ଚିତତା ଭିତରେ ମନ୍ଥର ଗତିରେ ଚାଲିଛି ଧାନ କିଣା । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବହୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା ଏବଂ ଅବଶିଷ୍ଟ ବଳକା ଧାନ ବିକ୍ରି କରି ଋଣ ପରିଶୋଧ ସହ ବର୍ଷ ଯାକର ପରିବାର ପ୍ରତିପୋଷଣ ପାଇଁ ଅଣ୍ଟା ଭିଡିଥିବା ବେଳେ ମିଲରମାନେ ଧାନ ନେଉନାହାଁନ୍ତି । ଧାନ ଖରାପ ବୋଲି କହି ମୁହଁ ଫେରାଉଛନ୍ତି ଏବଂ ଭଲ ଧାନ ବସ୍ତା ପ୍ରତି ୭୫ କିଗ୍ରା ବଦଳରେ ୭୮ କିଗ୍ରା ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଅଖା ପଇସା ମିଲର ମାନେ ଦେଉନାହାନ୍ତି ମଧ୍ୟ । ଏନେଇ ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟରଙ୍କୁ ଜଣାଇଲେ ମଧ୍ୟ କୈାଣସି ସୁଫଳ ମିଳି ପାରୁନାହିଁ । ଏଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ଯଥାଶୀଘ୍ର ଧାନ କ୍ରୟ ପାଇଁ ମିଳିଥିବା ଟୋକେନ ନିର୍ଧାରିତ ସମୟ ସୀମା ମଧ୍ୟରେ ଧାନ କ୍ରୟ କରିବା ସହ ଧାନର ଏଫଏକ୍ୟୁ ମାନ କୋହଳ କରି ଅଖା ପଇସା ଦେବା ପାଇଁ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହାର ଅବିକଳ ନକଲ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବିପୁଳିଙ୍ଗି ସରପଞ୍ଚ ଟି ନରସିଂହ ରେଡ୍ଡୀ, ଚାଷୀ ନେତା ହେମନ୍ତ ନାହାକ, ପୂର୍ବତନ ସରପଞ୍ଚ ସୁବାଷ ଚୌଧୁରୀ, ସୋମନାଥ ନାହାକ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା