ଧାନର ସହାୟକ ମୂଲ୍ୟ ୫୩ଟଙ୍କା ବୃଦ୍ଧି ଦୁର୍ଭାଗ୍ୟଜନକ : ସୁର ରାଉତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ଏବଂ ଏଗ୍ରେଡ଼ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫୩ଟଙ୍କା ବୃଦ୍ଧି କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଧାନସଭାରେ କଂଗ୍ରେସ, ବିଜେପି, ବିଜେଡ଼ି ସର୍ବସମ୍ମତ ଭାବେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯ଶହ ଟଙ୍କା ୩୦ପଇସା କେନ୍ଦ୍ର ନିକଟରେ ଦାବି କରାଯାଇଥିଲା । ମାତ୍ର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ । ଚାଷୀଙ୍କୁ ଉତ୍ପାଦିତ ଶସ୍ୟର ଯେଉଁ ମୂଲ୍ୟ ଦେବା ପାଇଁ ଘୋଷଣା କରିଥିଲେ ବିଜେପି ସରକାର କ୍ଷମତାକୁ ଆସିଲା ତାହା ବାସ୍ତବରେ ଏପର୍ଯ୍ୟନ୍ତ ପୂରଣ କଲା ନାହିଁ ତେଣୁ ମୋଦୀ ସରକାର ଏକ ଚାଷୀବିରୋଧୀ ସରାକର ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କର ଏହିନିଷ୍ପତିକୁ ରାଜ୍ୟ ସରକାର ମଥାପାତି ସହିଯାଇ କୌଣସି ପ୍ରତିକ୍ରିୟା ନ ଦେବା ଚାଷୀମାନଙ୍କ ପ୍ରତି ବିଜେଡ଼ି ସରକାରର ଅସଲ ମନୋଭାବକୁ ପ୍ରକାଶ କରୁଛି । ଏବେ ଚାଷୀକୂଳ ହତାସ । କରୋନା ବିପତ ଯୋଗୁଁ ଅମଳ କରିଥିବା ଶସ୍ୟକୁ ବିକିପାରି ନାହାନ୍ତି ଏବଂ ନୂତନଭାବେ ଚାଷ ଆରମ୍ଭ କରିବାକୁ ମଧ୍ୟ ଅକ୍ଷମ । କରୋନା ବିପତିରେ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗିପଡ଼ିଛି । ଏଣୁ କେନ୍ଦ୍ର ସରକାର ଚାଷୀମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଧାନସଭାରେ ଦାବି ହୋଇଥିବା ଧାନର ଏମ୍‌ଏସ୍‌ପି ମୂଲ୍ୟ ଘୋଷଣା କରନ୍ତୁ । ତୁରନ୍ତ ଚାଷୀଙ୍କୁ ବିହନ, ଆର୍ଥିକ ସହାୟତା ଏବଂ ଚାଷପାଇଁ ଆବଶ୍ୟକିୟ ଜିନିଷ ଯୋଗାଇ ଦେବାକୁ ଦାବି କରାଯାଉଛି ।

ରିପୋର୍ଟ : ଆକାଶ ମିଶ୍ର