ଧର୍ମେନ୍ଦ୍ର ଅସନ୍ତୋଷ ନେଇ ବିଜେପିର ଗର୍ଜନ

ଏନ୍‌ଟିପିସି ପ୍ରକଳ୍ପ ଅନୁମୋଦନ ମିଳିଲା ନାହିଁ

ଭୁବନେଶ୍ୱର: ଏନ୍‌ଟିପିସି ସମେତ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତ ଟାଳଟୁଳ ନୀତି ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପଟରେ ବିଧାନସଭାରେ ବିଜେପି ବିଧାୟକମାନେ ମଧ୍ୟ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ପ୍ରସ୍ତାବିତ ଟିଟିପିଏସ୍‌ ପ୍ରକଳ୍ପ ପ୍ରସଙ୍ଗ ପକାଇ ଅନୁମୋଦନ କରିବାକୁ ନିବେଦନ କରାଯାଇଛି। ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ ତାଳଚେର ଯିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଟିଟିପିଏସ୍‌ରେ ଆଉ ୧୩୨୦ ମେଗାଓ୍ଵାଟ୍‌ ବିଜୁଳି ଉତ୍ପାଦନ ପାଇଁ ଏନ୍‌ଟିପିସି ବୋର୍ଡରେ ୯୭୮୫ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଭଳି ଏକ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ବିଜେପିର ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ଏନଟିପିସି ନିକଟ ଅତୀତରେ ୧୩୨୦ ମେଗାଓ୍ଵାଟ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଏ ପର୍ଯନ୍ତ ଅନୁମତି ପ୍ରଦାନ କରା ଯାଇ ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଏନଟିପିସି ବୋର୍ଡ ୯୭୮୫ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ପୁଂଜିନିବେଶର ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ଭୂମି, ଜଳ, ପରିବେଶ ଓ ଅନ୍ୟାନ୍ୟ ବୈଧାନିକ ଅନୁମତି ମିଳି ସାରିଛି । ଏହା ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ହାଇ ଲେଭେଲ କମିଟିର (ଏଚଏଲସି) ଅନୁମୋଦନ ବିନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ଏପ୍ରିଲ ୧୯ ତାରିଖରୁ ଏନଟିପିସି ତରଫରୁ ଆବେଦନ କରା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁମୋଦନ ମିଳି ପାରି ନାହିଁ ।