ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ ଓଡ଼ିଶାର କାର୍ଯ୍ୟକ୍ରମ

ଆସିକା (ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟ ତଥା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସୂଚ଼ାରୁରୂପେ ଆରମ୍ଭ ହୋଇଯାଇଛି। ଯୁକ୍ତ ତିନି ୫ମ ସେମିଷ୍ଟାର ପରୀକ୍ଷା ଶେଷ ହେବା ପରେ ଏହି କାର୍ଯ୍ୟକ୍ରମକୁ ପୁନର୍ବାର ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମନ୍ବୟ ଯୁବ ବିକାଶ ନୋଡ଼ାଲ ଅଫିସର ଡ. ବସନ୍ତ କୁମାର ଆଚାରୀ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନିତ ଅତିଥିରୂପେ ପରିଚାଳନା କମିଟିର ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା, ବାବନପୁର ଗ୍ରାମପଞ୍ଚାୟତର ସରପଞ୍ଚ ସଂଜୟ କୁମାର ନାୟକ, ହରିଡା ପଦର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତି ବେହେରା ଓ ସମିତି ସଭ୍ୟ ତ୍ରିନାଥ ବେହେରା ଉପସ୍ଥିତ ଥିଲେ। ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ପ୍ରଧାନ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ ତଥା ଅନ୍ବେଷଣ କରିବା ହିଁ ନୂଆ ‘ଓ’, ଯୁବ ଓଡ଼ିଶା ଏବଂ ନବୀନ ଓଡ଼ିଶାର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟ ଅତିଥିମାନେ ମଧ୍ୟ ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ଲୋକ ଲୋଚନକୁ ଆଣିବା ହିଁ ନବୀନ ଓଡ଼ିଶାର ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ୨ୟ ପର୍ଯାୟ କାର୍ଯ୍ୟକ୍ରମ ପୂର୍ବବର୍ତ୍ତି ଭଳି ଅନୁରୂପ ଦଶ ଦିନ ଧରି ବଳବତ୍ତର ରହିବ। ପ୍ରଥମ ଦିନରେ କବାଡି କ୍ରୀଡା ଯୁକ୍ତ ଦୁଇ ଓ ତିନିର ଛାତ୍ରଛାତ୍ରୀମାନଙ୍କ ପାଇଁ ରଖାଯାଇଥିଲା। ତିନୋଟି ପର୍ଯ୍ୟାୟରେ ମଧ୍ୟରେ ଏହି କାର୍ଯ୍ୟକ୍ରମ ସଂପାଦିତ ହେବ ବୋଲି ସୂଚ଼ନା ମିଳିଛି। କ୍ରୀଡା କୌଶଳ, ସାହିତ୍ୟ ଏବଂ ସାସ୍କୃତିକ ପରିପାଟି ଏବଂ ସାମାଜିକ ସଚ଼େତନତା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରାଯିବ ବୋଲି ନୋଡାଲ ଅଫିସର ଡ. ବସନ୍ତ କୁମାର ଆଚାରୀ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଡିସେମ୍ବର ୨୩ ତାରିଖରେ ସମାପନ ହେବ। କ୍ରୀଡା ପ୍ରାଙ୍ଗଣରେ ସମସ୍ତ ଅତିଥି ଖେଳାଳୀ ମାନଙ୍କ ମନରେ ଖେଳୁଆଡ ମନୋବୃତ୍ତିକୁ ଉଦ୍ଜିବୀତ ଏବଂ ପ୍ରୋତ୍ସାହନ କରିବା ପାଇଁ କରମର୍ଦ୍ଦନ କରିଥିଲେ। ପିଇଟି ସନ୍ତୋଷ କୁମାର ପ୍ରଧାନଙ୍କ ସୂଚ଼ନାରେ କବାଡି, ଖୋକୋ, କ୍ରିକେଟ୍, ଚେଷ୍, ବ୍ୟାଡମିଣ୍ଟନ ଖେଳର ସମସ୍ତ କୃତି ଖେଳାଳିମାନଙ୍କୁ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିବ ବୋଲି ଘୋଷଣା କରାଯାଇଥିଲା।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ