ଦୈନନ୍ଦିନ ଜୀବନରେ ପରିବେଶ ସୁରକ୍ଷା ଓ ଆହ୍ବାନ…

ପରିବେଶ କହିଲେ ଆମେ ଚତୁଃପାର୍ଶ୍ଵସ୍ଥ ଅବସ୍ଥା ବା ଉପାଦାନ ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ ତାହାକୁ ବୁଝାଏ।ପ୍ରକୃତିଗତ ଉପାଦାନ ଯଥା- ମାଟି,ଜଳ,ଆଲୋକ ଶକ୍ତି,ତାପ,କୁହୁଡି ଆଦି ପରିବେଶର ଏହି ଉପାଦାନଗୁଡିକ ସହିତ ବ୍ୟକ୍ତିର ଜୀବନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଲିଷ୍ଟ।ପରିବେଶ ମଣିଷକୁ ସୃଷ୍ଟିକରେ,ଲାଳନପାଳନ କରି ଓ ନିରାପତା ଦିଏ।ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖସମୃଦ୍ଧି ପାଇଁ ତାର ପରିବେଶକୁ ଦାୟୀ କରିଥାନ୍ତି।ସାଧାରଣ କଥାରେ ପରିବେଶ କହିଲେ ଆମ ଚାରିପାଖର ସବୁ ଜିନିଷ ଓ ଅବସ୍ଥାକୁ ବୁଝାଏ।ବିବର୍ତନବାଦର ବହୁ ସୋପାନ ଅତିକ୍ରମ କରି ମନୁଷ୍ୟ ଆଜି ସଭ୍ୟ ଓ ଶିକ୍ଷିତ ହୋଇପାରିଛି।ଏହି ସଭ୍ୟ ଓ ଶିକ୍ଷିତ ହେବାମୂଳରେ ବିଜ୍ଞାନର ଅବଦାନକୁ ସ୍ଵୀକାର କରିବାକୁ ହେବ।ସାଂପ୍ରତିକ କାଳରେ ମନୁଷ୍ୟ ଯେତିକି ସୁଖସ୍ଵାଚ୍ଛନ୍ଦ୍ୟରେ ରହୁଛି ତାଠାରୁ ଅଧିକ ସଙ୍କଟ ଅବସ୍ଥାରେ ବଞ୍ଚୁଛି।ଏହି ସଙ୍କଟ ଗୁଡିକ ମଧ୍ୟରେ ଶିଳ୍ପର ପ୍ରସାର,ଜନସଂଖ୍ୟା ବିସ୍ଫୋରଣ,କୀଟନାଶକ ଔଷଧ,ଅରଣ୍ୟ ସଂପଦ କ୍ଷୟ ଓ ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ।ଆମ ବାୟୁମଣ୍ଡଳ ଧିରେ ଧିରେ ଏହି ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଙ୍କଟମୟ କରୁଛି।ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନସଚେତନତା ଲୋଡା।

ଜନମତ ସୃଷ୍ଟି କରିବା ପାଇଁ ସରକାର ତଥା ବେସରକାରୀ ଉଦ୍ୟମ ଅବ୍ୟାହତ ରହିବା ଉଚିତ୍।ପରିବେଶର ଉପଯୁକ୍ତ ସୁରକ୍ଷା ଓ ଉନ୍ନତି କଳ୍ପେ ବିଭିନ୍ନ କାର୍ମଶାଳା,ପଦଯାତ୍ରା ଓ ଆଲୋଚନା ଚକ୍ର ପ୍ରଭୃତି ଅନୁଷ୍ଠିତ ହେବା ଦରକାର।ପରିବେଶ ସଂରକ୍ଷଣ ଓ ବୃକ୍ଷରାଜୀ ମଧ୍ୟରେ ସମ୍ପର୍କ ରହିଛି।କଥାରେ ଅଛି “ଜଳ ହିଁ ଜୀବନ”କିନ୍ତୁ ବର୍ତ୍ତମାନ “ବୃକ୍ଷ ହିଁ ଜୀବନ” ଆହ୍ବାନ ସମାଜ ପାଇଁ ଗୁରୁତ୍ବ ବହନ କରୁଛି।ତେଣୁ ଗୋଟିଏ ବୃକ୍ଷ,ଗୋଟିଏ ଜୀବନର ଦ୍ଵାହି ଦେଇ ଆମ୍ଭେ ବୃକ୍ଷରୋପଣ କରିବା ଉଚିତ।ବୃକ୍ଷ ନ ରହିଲେ ପ୍ରାଣୀ ମୁହୂର୍ତ୍ତେ ବଞ୍ଚିପାରିବେ ନାହିଁ।ବାୟୁରେ ମିଶିଥିବା ଅମ୍ଳଜାନକୁ ଆମେ ଶ୍ଵାସକ୍ରିୟା ଦ୍ଵାରା ଦେହ ଭିତରକୁ ନେଇ ବଞ୍ଚିରହୁ।ଏହି ଅମ୍ଳଜାନକୁ ବୃକ୍ଷ ହିଁ ତିଆରି କରେ।ସାମାଜିକ ବନୀକରଣ ଅବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଉଚିତ।ବନ୍ୟ ସମ୍ପଦ ଯେପରି କ୍ଷୟ ନହୁଏ ସେଥିପାଇଁ ବ୍ୟବସ୍ଥା ହେବା ଦରକାର।ଅନ୍ଧ ଭାବରେ ବୃକ୍ଷ ଛେଦନ ଏକ ଧର୍ତବ୍ୟ ଅପରାଧ ହେବା ଉଚିତ୍।ପାଠ୍ୟପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକାରେ ପରିବେଶ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ସମ୍ପର୍କରେ ପ୍ରବନ୍ଧମାନ ସ୍ଥାନ ପାଇବା ଉଚିତ୍।ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ସରକାରୀ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବା ଦରକାର।ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ମଶାଳା,ବକ୍ତୃତା ଓ ଚିତ୍ରାଙ୍କନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ଉଚିତ୍।ଆମ ପରିବେଶରେ ଥିବା ଔଷଧୀୟ ବୃକ୍ଷ ଗୁଡିକର ସୁରକ୍ଷା ଏକାନ୍ତ ପ୍ରୟୋଜନ।ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଙ୍ଗଲ ମାନବ ସମାଜର ଉପକାର କରିଥାଏ।ନିୟମିତ ବୃଷ୍ଟି ତଥା ମୃତ୍ତିକା ସଂରକ୍ଷଣରେ ଜଙ୍ଗଲ ବିଶେଷ ସହାୟକ ହୋଇଥାଏ।ସୁତରାଂ ବନ୍ୟ ସମ୍ପଦର ସୁରକ୍ଷା ଦେବା ଏକାନ୍ତ ବିଧେୟ।ଜନସଂଖ୍ୟା ବୃଦ୍ଧିକୁ ରୋକିପାରିଲେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ।ତେଣୁ ପ୍ରତ୍ୟେକ ଦମ୍ପତି ଗୋଟିଏ କିମ୍ବା ଦୁଇଟି ସନ୍ତାନ ପାଇଁ ଶପଥ ନେବା ଉଚିତ୍।ପୋଖରୀ ହୁଡା କିମ୍ବା ନଦୀବନ୍ଧରେ ଝାଡା ନଫେରି ନିଜ ବାଡିରେ ପାଇଖାନା ସ୍ଥାପନ କରି ବ୍ୟବହାର କରିବା ଉଚିତ୍।ଫଳରେ ପୋଖରୀ ଓ ନଦୀଜଳ ଦୂଷିତରୁ ମୁକ୍ତି ପାଇ ପାରିବା।ପରିବେଶର ସୁରକ୍ଷା ହେଉଛି ମଣିଷ ଜାତିର ସୁରକ୍ଷା।ତେଣୁ ଲୋକ ସଚେତନତା ଦରକାର।ବିଭିନ୍ନ ଯାନିଯାତ୍ରା,ବିବାହ,ବ୍ରତ ଓ ଦେବାଦେବୀଙ୍କ ଭଷାଣୀ ଶୋଭାଯାତ୍ରାରେ ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ରର ଶବ୍ଦକୁ ନିୟନ୍ତ୍ରଣ କରିବା।ଆତସବାଜି ଫୁଟାଯିବାରେ ନିୟନ୍ତ୍ରଣ ରକ୍ଷା କରିବା।ଯଥା ସମ୍ଭବ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନିୟନ୍ତ୍ରଣ କରିବା।ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନକୁ ବାହାରେ ଏଣେ ତେଣେ ନ ଫୋପାଡି ତାହାକୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ପୋଡିବା ବା ପୋତିବା ଉଚିତ୍।ମନୁଷ୍ୟ ଓ ଗୃହପାଳିତ ପଶୁ ପକ୍ଷୀ ଏବଂ ବୁଲା ଷଣ୍ଢ, କୁକୁର ଇତ୍ୟାଦି ମୃତଦେହକୁ ନ ଫୋଫାଡି ପୋତିବା ବା ପୋଡିବା ଉଚିତ୍।

       ମଣିଷ ପ୍ରକୃତି ବିନା ସମାଜରେ ତିଷ୍ଠିବା ଅସମ୍ଭବ।ତେଣୁ ନିଜକୁ ଏକ ସୁରକ୍ଷିତ ଓ ଉତ୍ତମ ସ୍ବାସ୍ଥ୍ଯ ଜୀବନ ବଞ୍ଚିବାକୁ ହେଲେ ପରିବେଶ ସୁରକ୍ଷା ପ୍ରତି ନିଜକୁ ଯତ୍ନବାନ ହେବା ନିହାତି ଆବଶ୍ଯକ ରହିଛି।ଆବାଳବୃଦ୍ଧ ବନିତା ସୁସ୍ଥ ପରିବେଶ ପାଇଁ ଜନମତ କରିବା ଉଚିତ।ମାନବ ସମାଜକୁ ଆସନ୍ନ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ସର୍ବାଦୌ କରଣୀୟ।ଏଥିପାଇଁ ନାନାବିଧି ପଦକ୍ଷେପ ଗ୍ରହଣ କରିବା ଉଚିତ୍।ପରିବେଶ ସୁରକ୍ଷା ପ୍ରତି ଆବଶ୍ଯକ କାର୍ଯ୍ୟକୁ ବାସ୍ତବତାରେ ପରିଣତ କରି ସଫଳ କରିବା ପ୍ରତି ସର୍ବସାଧାରଣ ଚେଷ୍ଟିତ ହେବା ଦରକାର।ବିଭିନ୍ନ କାର୍ଯ୍ୟକ୍ରମ ଆଧାରିତ ଦିନରେ ସବୁଜ ବିପ୍ଳବର ନାରା ଦେଇ କିଛି ବୃକ୍ଷରୋପଣ କରି ନିଜ ଦାୟିତ୍ୱକୁ ସେହିଠାରେ ଶେଷ କରିଦେଲେ ପରିବେଶ ସୁରକ୍ଷା ହୋଇଯିବ ନାହିଁ ବରଂ ପରିବେଶ ସୁରକ୍ଷା ସକାଶେ ଦୈନନ୍ଦିନ ଜୀବନରେ ମଣିଷ ତା’ର ସାମର୍ଥ୍ଯ ଅନୁସାରେ କିଛି ପଦକ୍ଷେପ ଜୀବନରେ ଗ୍ରହଣ କରିବା ହିଁ ପରିବେଶ ସୁରକ୍ଷା ଦିଗରେ ସଠିକ୍ ଫଳପ୍ରଦ ହୋଇପାରିବ।ଯାହା ଉଭୟ ପ୍ରକୃତି ଓ ମାନବ ସମାଜ ପ୍ରତି ସକରାତ୍ମକ ପ୍ରଭାବ ପକାଇବା ସହ ଏକ ସନ୍ତୁଳନ ବଳୟ ତିଆରି ହୋଇପାରିବ।ଏବଂ ସାମାଜିକ ବିଧିବ୍ୟବସ୍ଥା ସଠିକ୍ ଭାବେ ପ୍ରତିଫଳନ ହୋଇପାରିବ।

କୃଷ୍ଣଚନ୍ଦ୍ର ସୁଆଁସିଆ,ସରପଞ୍ଚ

ଗୋଠଗାଁ ଗ୍ରାମପଞ୍ଚାୟତ,ଗଞ୍ଜାମ

ରିପୋର୍ଟ: ଆଶୁତୋଷ ପଟ୍ଟନାୟକ