ଦୁର୍ଘଟଣାରେ ବୃଦ୍ଧ ଗୁରୁତର : ଯୋଗାଯୋଗ ହୋଇ ପାରୁନି ୧୦୮ ଆମ୍ବୁଲାନ୍ସ୍ ସହ…

ବ୍ରହ୍ମପୁର/ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ଆଜି ରାତି ଦଶ ଘଣ୍ଟ ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇ ବେଲଗୁଣ୍ଠା ସ୍ଵାସ୍ଥ୍ୟ୍ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି I ସୂଚନା ଅନୁସାରେ ବାଲିପଦର ପଟୁ ଆସୁଥିବା ଏକ ଚଉଦ ଚକିଆ ଟ୍ରକ୍ ବେଲଗୁଣ୍ଠାରୁ ଜଗନ୍ନାଥ ପ୍ରସାଦ ଯାଇଥିବା ରାସ୍ତାରେ ବୁଲାଣି ବେଳେ ସେଠାରେ ଛିଡା ହୋଇଥିବା ଜିରୋଳି ଗ୍ରାମର ଦେବରାଜ ଗୌଡ(୪୦)ଙ୍କୁ ଧକ୍କା ଦେଇଥିଲା I ଟ୍ରକ୍ ଧକ୍କାରେ ବୃଦ୍ଧ ଜଣଙ୍କ ତଳେ ପଡ଼ିଯିବା ଫଳରେ ଟ୍ରକର ଲୁହା ଅଂଶ ବାଜି ବୃଦ୍ଧଙ୍କର ଗୋଇଠିରେ ଗଭୀର ଆଘାତ ଲାଗିଥିଲା I ଶିବରାମ ଚୌଧୂରୀ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ବୃଦ୍ଧଙ୍କୁ ଦେଖି ସ୍ଥାନୀୟ ଲୋକଙ୍କ ସହୟତାରେ ବୃଦ୍ଧଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେଠାରେ କିନ୍ତୁ ଜନୈକ ଡ଼ାକ୍ତର ବୃଦ୍ଧଙ୍କର ଗୁରୁତର ଅବସ୍ଥା ଦେଖି ତାଙ୍କୁ ଭଞ୍ଜନଗର ମେଡିକାଲକୁ ନେବା ପାଇଁ ପରାମର୍ଶ ଦେବା ସହ ପ୍ରାଥମିକ ଚିକିତ୍ସା କରିବାକୁ ମଧ୍ୟ ମନା କରି ଦେଇଥିଲେ I କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଚୌଧୁରୀଙ୍କ ଅନୁରୋଧ କ୍ରମେ ସେ ବୃଦ୍ଧଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ବୃଦ୍ଧଙ୍କ ଗୋଇଠିରୁ ରକ୍ତ ସ୍ରାବ ବନ୍ଦ ହୋଇ ନଥିଲା I ବୃଦ୍ଧଙ୍କୁ ଭଞ୍ଜନଗର ମେଡିକାଲକୁ ନେବା ପାଇଁ ଶ୍ରୀ ଚୌଧୁରୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ I କିନ୍ତୁ ୧୦୮ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନଥିଲା I ତେଣୁ ବାଧ୍ୟ ହୋଇ ବୃଦ୍ଧ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ସାହଯ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରଯାଇଥିଲା I ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି I

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା