ଦୁଇ ସାମଲଙ୍କ ମଧ୍ୟରେ ବାଦ ବିବାଦ ବେଳେ ଅପରାଜିତା ଏବେ ଚର୍ଚ୍ଚାରେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଦୁଇ ସାମଲଙ୍କ ମଧ୍ୟରେ ବାଦବିବାଦ ବେଳେ ଅପରାଜିତାଙ୍କ ସଠିକ ପ୍ରଶ୍ନକୁ ନେଇ ବୁଦ୍ଧିଜୀବୀ ମହଲରେ ଏବେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି I ସେମାନେ କହୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଠିକ କହୁଛନ୍ତି I କଥା ଟା ହେଲା – ଜନୈକ ବୟୋଜ୍ୟେଷ୍ଟ ଶିକ୍ଷିତ ନାଗରିକ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପାଟିରୁ କିଛି ସତ କଥା ବାହାରି ପଡିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି I ହେଲେ ତାଙ୍କ ସତକଥା ବର୍ତ୍ତମାନ ସମସ୍ତଙ୍କୁ ଅଡୁଆ ସୃଷ୍ଟି କରିଛି। ନିଜ ଦଳ ତାଙ୍କୁ ଭର୍ତ୍ସନା କରିବା ସହିତ ପ୍ରଫୁଲ୍ଲଙ୍କ ବୟସ ଅଧିକ ହୋଇଯାଇଛି, ତେଣୁ ସେ ବାଚଳାମି କରୁଛନ୍ତି ବୋଲି ବିଜେଡି ବିଧାୟକ ସୁଧୀର ସାମଲ ଗଣମାଧ୍ୟମରେ କହିଛନ୍ତି। ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ କିଛି ଯାଏ ଆସେ ନାହିଁ ବୋଲି ମଧ୍ୟ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି । ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଠାକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇ ପାରୁଛନ୍ତି କି ନାହିଁ ତାହା କ’ଣ ଗଣମାଧ୍ୟମ ଦେଖିପାରୁନି କି ବୋଲି ଶ୍ରୀ ସାମଲ ଓଲଟା ପ୍ରଶ୍ନ କରିବା ସହ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତା ଯେଉଁ ବୟାନ ଦେଇଥିଲେ ତାକୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଫୁଲ୍ଲ ସାମଲ ବୟସ୍କ ହୋଇଯିବାରୁ ବାଚଳାମି କରୁଛନ୍ତି । ତେଣୁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ ଆମର କିଛି କହିବାର ନାହିଁ । ନିଜ ଦଳର ଜଣେ ବରିଷ୍ଠ ନେତାଙ୍କ ପ୍ରତି ଗଣମାଧ୍ୟମରେ ବିଜେଡିର ଏଭଳି ସିଧାସଳଖ ଆକ୍ଷେପ ରାଜ୍ୟ ବିଜେଡି ରାଜନୀତିକୁ ସରଗରମ କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି, ତେଣୁ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼କୁ ପଠାଉଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ସାମଲ ଗତକାଲି ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେବା ପରେ ତାଙ୍କର ଏହି ବୟାନକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ଉଦବେଗ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ପ୍ରଶ୍ନ କରିଛି ବିଜେପି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ପ୍ରଫୁଲ୍ଲଙ୍କ ବୟାନକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ । କଂଗ୍ରେସ ମଧ୍ୟ ଅନୁରୂପ ଭାବେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ।କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ଓ ଓଡ଼ିଶାର ଶାସନ ଭାର ସେ ହିଁ ସମ୍ଭାଳୁଛନ୍ତି ବୋଲି ନିଜେ ସ୍ପଷ୍ଟ କରିବା ଦରକାର । କାରଣ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ମନ୍ତ୍ରୀମାନେ ଅଫିସରଙ୍କ ଗସ୍ତ ଲାଗି ବ୍ୟବସ୍ଥା କରୁଛନ୍ତି । କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ । ଓଡ଼ିଶାରେ ଅଫିସରରାଜ ଚାଲିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଉଛି ବୋଲି ଶ୍ରୀ ସାଲୁଜା କହିଥିବା ବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ କଣ ହୋଇଛି ସେ ସୁସ୍ଥ ନା ଅସୁସ୍ଥ ସାଧାରଣରେ ପ୍ରକାଶ କରାଯାଉ । ତେବେ ଦୁଇ ସାମଲ ମଧ୍ୟରେ ବାଦ ବିବାଦ ବେଳେ ଷଢଙ୍ଗୀଙ୍କ ପ୍ରଶ୍ନକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି I