ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩) । ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍‌କୁ ପୋଲିସ୍ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ । ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ ଭୟଭୀତ କରାଇଥିଲେ । ଏହାସହ ଟଙ୍କା ମାଗି ତାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ମୋଟର ସାଇକେଲ୍‌ରେ ପଳାଇଥିବା ବେଳେ ଉଭୟ ଅଭିଯୁକ୍ତ ଆସାମଜିକ ଯୁବକ ହୋଇଥିବାରୁ ସାହିଲୋକ ଚିହ୍ନି ଥିଲେ । ଏନେଇ ମୀନତୀ ଥାନାରେ ଅଭିଯୋଗ କରିଥିଲେ । ଏହି ଆକ୍ରମଣରେ ମୀନତୀ ଦାସଙ୍କ ବେକରେ ଆଘାତ ଲାଗିଥିଲା । ପୋଲିସ୍ ଥାନା କେସ ନଂ ୧୭୪/୨୦, ୪୫୦/୩୯୪ ଆଇପିସି/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନ ପରେ ମାତ୍ର ତିନିଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ୱୟକୁ ଠାବ କରି ଗିରଫ କରିଥିଲା । ତେବେ ଏହି ଦୁଇଜଣ କୁଖ୍ୟାତ ଅପରାଧୀ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡ଼କାୟତି ଭଳି ମାମଲା ରିହିଛି । ଶିବ ପଟ୍ଟନାୟକ ନାମରେ ପୂର୍ବରୁ ୧୨ଟି ମାମଲା ରୁଜୁ ହୋଇଥିବା ବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି । ଦୁଇ ଅଭିଯୁକ୍ତଙ୍କ କରୋନା ପରୀକ୍ଷା ହେବା ପରେ କୋର୍ଟଚାଲଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା