ଦିଲ୍ଲୀରେ ଗିରଫ ହେଲେ ଜମ୍ମୁକଶ୍ମୀରରୁ ଆସିଥିବା ଦୁଇ ଆଇଏସ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ : ଶୁକ୍ରବାର ଦୁଇ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଗୁରୁବାର ମଧ୍ୟରାତି୍ରରେ ଲାଲ୍‌କିଲ୍ଲା ନିକଟରୁ ଜମ୍ମୁକଶ୍ମୀରରୁ ଆସିଥିବା ଏହି ଦୁଇ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି । ଦୁଇ ଜଣ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ପୁଲିସ ସନ୍ଦେହ କରିଛି । ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଛି ପୁଲିସ ।ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପୁଲିସକୁ ଖବର ମିଳିଥିବା ବେଳେ ଦୁଇ ଆଇଏସ୍‌ ଆତଙ୍କବାଦୀ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀକୁ ଆସିଥିବା ଜଣାପଡ଼ିଛି । ପୁଲିସକୁ ଖବର ମିଳିବା ପରେ ସନ୍ଧାନ କରି ଗୁରୁବାର ମଧ୍ୟ ରାତିରେ ଲାଲ୍‌କିଲ୍ଲାଠାରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ତେବେ ଦୁହିଁଙ୍କ ଦିଲ୍ଲୀ ଆସିବା ପଛରେ କାରଣ କ’ଣ ଥିଲା ତାହା ଖୁବ୍‌ ଶୀଘ୍ର ଜଣା ପଡ଼ିବ ବୋଲି ପୁଲିସ ସୂଚନା ଦେଇଛି ।