ଦାନା ବାନ୍ଧୁଛି : ୭ ତାରିଖ ଯାଏଁ ବର୍ଷା ସମ୍ଭାବନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଆଜି ଠାରୁ ୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ହସ୍ତଗତ ସୂଚନା ଅନୁସାରେ ଲଘୁଚାପ ଆାଗାମୀ ଚାରିଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର କେନ୍ଦୁଝର ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ହେବ । ରାଜ୍ୟର ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୫ ତାରିଖ ଦିନ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏଥିପାଇଁ ୧୨ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି ।

ରିପୋର୍ଟ : ଆକାଶ ମିଶ୍ର