ଦଳ ନିୟମ ଉଲଘଂନ କରିବାରୁ ବହିଷ୍କାର ଖବର ପାଇ ଆଗୁଆ ଇସ୍ତଫା ଦେଇ ଦେଲେ ନବ ଦାସ ?…

ଭୁବନେଶ୍ବର (ସମୃଦ୍ଧ ଓଡିଶା)କଂଗ୍ରେସରେ ଥାଇ ବିଜେଡିର ପ୍ରଚାର କରୁଥିଲେ ଝାରସୁଗଡା କଂଗ୍ରେସ ବିଧାୟକ ନବ ଦାସ । ଲୋକେ ଚାହୁଁଥିବାରୁ ମୁଁ ବିଜେଡିରେ ଯୋଗଦେବି ଏହି କଥା ଗତ କିଛି ଦିନହେଲା ଗଣମାଧ୍ୟମରେ ପ୍ରଚାର କରି ରାଜ୍ୟରେ ବେଶ ଚର୍ଚ୍ଚିତ ହୋଇଆସୁଥିଲେ ବିଧାୟକ ନବ ଦାସ । ଏଥିପାଇଁ କଂଗ୍ରେସ ପକ୍ଷରୁ ବିଚାର ଆଲୋଚନା କରି ତାଙ୍କୁ ବହିଷ୍କାର କରାଯାଇଛି । ତେବେ ବହିଷ୍କାର ହେବେ ବୋଲି ସୂଚନା ପାଇ ଆଗୁଆ କଂଗ୍ରେସରୁ ଇସ୍ତଫା ଦେଇ ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ସେପଟେ ନବୀନ ବାବୁ ଟିକେଟ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଲେ ମୁଁ କଂଗ୍ରେସରୁ ଇସ୍ତଫା ଦେବି ବୋଲି ମଧ୍ୟ କହି ଆସୁଥିଲେ ହେଲେ କଂଗ୍ରେସ ତାଙ୍କୁ ବହିଷ୍କାର କରୁ କରୁ ନବୀନ ବାବୁ ପ୍ରତଶ୍ରୁତି ଦେଇ ଦେଲେ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଏବେ ଜୋର ଧରିଛି। ଅନ୍ୟପକ୍ଷରେ ନବ ଦାସ ଆସନ୍ତା
24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ସ୍ବାଗତ କରି ଝାରସୁଗୁଡାର ବିଭିନ୍ନ ଛକ ଗୁଡିକରେ ବିରାଟ ବିରାଟ ହୋଡ଼ିଙ୍ଗ,ବ୍ୟାନର ମାରି ଆହୁରି ଚର୍ଚ୍ଚାର ପରଧିକୁ ଆସିଯାଇଥିଲେ । ଏଥିସହିତ ସେ ବାରମ୍ବାର ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗଣମାଧ୍ୟମରେ ପ୍ରଶଂସା କରୁଥିଲେ । ନିଜ ଭୋଟର ଓ ସମର୍ଥକଙ୍କ ଆଗ୍ରହ ବୋଲି ଦର୍ଶାଇ ସେ 2019ରେ ବିଜେଡି ଟିକେଟରେ ନିର୍ବାଚନ ଲଢିବେ ବୋଲି କହୁଥିଲେ । ଏହିଦୃଷ୍ଟିରୁ ତାଙ୍କ ବିରୋଧରେ ଦଳର ଶୃଙ୍ଖଳାଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ହେବାକୁ ଏଆଇସିସିକୁ ସପ୍ତାହେ ତଳେ ପିସିସି ସଭାପତି ଲିଖିତ ଭାବେ ଜଣାଇଥିଲେ । ଏଆଇସିସିର ଅନୁମୋଦନ ପରେ ଆଜି ସେ ଦଳରୁ ବହିଷ୍କୃତ ହୋଇଛନ୍ତି । କିନ୍ତୁ ବହିଷ୍କାର ସଂପର୍କିତ ଚିଠି ପ୍ରକାଶ ପାଇବା ପୂର୍ବରୁ ସେ ନିଜ ଇସ୍ତଫାପତ୍ର ପଠାଇ ଦେବା ସହ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ମତାମତକୁ ସମ୍ମାନ ଦେଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ନବ କହିଛନ୍ତି ଯେ, ତାଙ୍କର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ କୌଣସି ସମସ୍ୟା ନାହିଁ । କିନ୍ତୁ ତାଙ୍କ ସମର୍ଥକ ଓ କର୍ମୀ ଚାହୁଁଛନ୍ତି ଯେ, ସେ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢନ୍ତୁ । ଆସନ୍ତା 24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଭୋଟରଙ୍କ ଆଗ୍ରହ ସଂପର୍କରେ ଜଣାଇବେ ।ଭୋଟର ଓ ସମର୍ଥକଙ୍କ ଚାପରେ ଦଳ ଛାଡୁଥିବାରୁ ସେ ରାହୁଲଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ବିକାଶ । ତେଣୁ ବିଜେଡି ସହ ରହିଲେ ତାଙ୍କ ଅଞ୍ଚଳର ବିକାଶ ହୋଇପାରିବ । ଏହି ଆଶା ନେଇ ସେ ବିଜେଡିରେ ଯୋଗ ଦେଉଥିବା କହିଛନ୍ତି । ସେ ନିଜ ଇସ୍ତଫାପତ୍ରର ନକଲ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ।ହେଲେ ସେଠାରେ ବିଜେଡିର ବହୁ ତୁଙ୍ଗ ନେତାମାନେ ଆଶା ଓ ଆକଂକ୍ଷାରେ ରହିଛନ୍ତ ସେମାନେ କଣ ପ୍ରତିବାଦ କରିବେ ନାହିଁ କି ? ଏହି ସମସ୍ତ ବିଷୟକୁ ବିଚାର କରି ଯଦି ନବୀନବାବୁ ଟିକେଟ ନ ଦିଅନ୍ତି ତେବେ ସେ ପୁଣି କଂଗ୍ରେସକୁ ଫେରି ଟିକେଟ ପାଇଁ ଅନୁରୋଧ କରିବେ ନାହିଁ ତ ? କାହିଁକି ନା ସେ କଂଗ୍ରେସ ନେତୃତ୍ୱକୁ ବିରୋଧ ନ କରି ଇସ୍ତଫା ଦେଇଛନ୍ତି ଏଭଳି ଅନେକ ପ୍ରଶ୍ନ ପର୍ଯ୍ୟବେକ୍ଷକ ମହଲରେ ଉଙ୍କି ମାରୁଥିବା ବେଳେ ଯେ କୌଣସିଦଳରେ ପଦ ପଦବୀରେ ରହି ଦଳବଦଳ କରିବା ବ୍ୟକ୍ତିର ଆଦର୍ଶକୁ କୁଠାର ଘାତ କରୁଛି ବୋଲି ଚର୍ଚ୍ଚା ହେଉଛି । ଏକଥାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆଜି ତାଙ୍କ ପ୍ରେସମିଟରେ ଦୋହରାଇଛନ୍ତି । ରିପୋର୍ଟ :ସୁଧୀର ପଟ୍ଟନାୟକ