ଦକ୍ଷିଣ ଓଡିଶା ବିକାଶ ପରିଷଦ ଆନୁକୂଲ୍ୟରେ ଶ୍ୟାମଳାୟୀ ଛକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ: ଶନିବାର ହିଞ୍ଜିଳିକାଟୁ ନିକଟ ମା ଶ୍ୟାମଳାୟୀ ଛକଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ଆଖପାଖ ଅଞ୍ଚଳର 486 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଭୁବନେଶ୍ୱର ଆପଲୋ ହସ୍ପିଟାଲ କାର୍ଡିଓଲୋଜି ବିଭାଗ ଡାକ୍ତର ପ୍ରିୟବ୍ରତ ସାହୁ, ଅର୍ଥୋପେଡିକ ବିଭାଗ ଡାକ୍ତର ବୈଭବ ମହାନ୍ତି ଏବଂ ବ୍ରହ୍ମପୁର ଏମକେସିଜି ଡାକ୍ତର ତପନ କୁମାର ମଲ୍ଲ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ | ଏହି ଅବସରରେ ପ୍ରାୟ 250 ଜଣ ରୋଗୀଙ୍କ ମାଗଣାରେ ଇସିଜି ପରୀକ୍ଷା କରାଯାଇଥିଲା |

ଦକ୍ଷିଣ ଓଡିଶା ବିକାଶ ପରିଷଦର ସଂଯୋଜନାରେ ଏବଂ ମା ଶ୍ୟାମଳାୟୀ ଅଟୋ ସଙ୍ଘ, ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନନ ଓ ମା ଶ୍ୟାମଳାୟୀ ମେଡିକାଲ ଷ୍ଟୋର ସହଯୋଗରେ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ସ୍ଥାନୀୟ ତହସିଲଦାର ଗୋପୀନାଥ କହଁର | ବିଡ଼ିଓ ପ୍ରଶନ୍ନ କୁମାର ପାତ୍ର, ଆଇଆଇସି ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ, ସାମ୍ବାଦିକ ଆକାଶ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଆବାହକ ତଥା ବିଜେଡି ଯୁବ ନେତା କିରଣ କୁମାର ପଟ୍ଟନାୟକ |